ଚେନ୍ନାଇ: ଭାରତୀୟ ଜନତା ପାର୍ଟି ତଥା ବିଜେପିରୁ ଦୂରେଇ ଯାଇଥିବା ତାମିଲନାଡ଼ୁର ପୂର୍ବତନ ବିଜେପି ମୁଖ୍ୟ କେ. ଅନ୍ନାମାଲାଇ ନିକଟରେ କକ୍ରୋଚ୍ ଜନତା ପାର୍ଟି ବା ସିଜେପିର ପ୍ରତିବାଦ ପ୍ରଦର୍ଶନ ଉପରେ କେନ୍ଦ୍ର ସରକାରଙ୍କ ଦମନମୂଳକ କାର୍ଯ୍ୟାନୁଷ୍ଠାନକୁ ସମାଲୋଚନା କରିଥିବା ନେଇ ବେଶ୍ ଚର୍ଚ୍ଚା ଜୋର ଧରିଥିଲା । ଏହି ବିବାଦ ବଢ଼ିବାରୁ ଅନ୍ନାମାଲାଇ ନିଜର ସ୍ପଷ୍ଟୀକରଣ ରଖି କହିଛନ୍ତି ଯେ ତାଙ୍କର ସେହି ମନ୍ତବ୍ୟକୁ ଅଭିଜୀତ ଦିପକେଙ୍କ ନେତୃତ୍ୱାଧୀନ ଏହି ସଂଗଠନ ପ୍ରତି ତାଙ୍କର ସମର୍ଥନ ବୋଲି ଧରି ନିଆଯିବା ଆଦୌ ଉଚିତ୍ ନୁହେଁ। ତାଙ୍କର ଆନ୍ଦୋଳନ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ଏବଂ ସିଜେପିର ପ୍ରତିବାଦ ପଛର କାରଣକୁ ମଧ୍ୟ ସମର୍ଥନ ଜଣାଇଛନ୍ତି।
ଏହି ସନ୍ଦର୍ଭରେ ଅନ୍ନାମାଲାଇ ସ୍ପଷ୍ଟ କରିଛନ୍ତି ଯେ ସେମାନେ କେବେ ମଧ୍ୟ କକ୍ରୋଚ୍ ଜନତା ପାର୍ଟିକୁ ସମର୍ଥନ କରନ୍ତି ନାହିଁ, କାରଣ ସେମାନଙ୍କର ଏଜେଣ୍ଡା ସମ୍ପୂର୍ଣ୍ଣ ଅଲଗା ଏବଂ ଆମର ଏଜେଣ୍ଡା ମଧ୍ୟ ଭିନ୍ନ। ମାତ୍ର ସେ ଏହା ମଧ୍ୟ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ ଗଣତନ୍ତ୍ରରେ ପ୍ରତ୍ୟେକ ରାଜନୈତିକ ଦଳର ନିଜସ୍ୱ ଅଧିକାର ରହିଛି ଏବଂ ସେମାନେ ଲଢ଼େଇ କରିପାରିବେ।
ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରି ଆନ୍ଦୋଳନ କରୁଥିବା ସିଜେପି ପ୍ରତିବାଦକାରୀଙ୍କୁ ଅକ୍ଟୋବର ୧୦ ତାରିଖରେ ପୋଲିସ ଗିରଫ କରିବା ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଘଟଣାକୁ ଅନ୍ନାମାଲାଇ ପୂର୍ବରୁ କଡ଼ା ବିରୋଧ କରିଥିଲେ। ତାଙ୍କର ଏହି କଡ଼ା ଏବଂ ସ୍ପଷ୍ଟ ମନ୍ତବ୍ୟ ପାଇଁ ସେ ବିଜେପିର ଆକ୍ରୋଶର ଶିକାର ହୋଇଥିଲେ। ବିଜେପିକୁ ଟାର୍ଗେଟ୍ କରି ସେ କହିଛନ୍ତି ଯେ ଦେଶପ୍ରେମ କିମ୍ବା ଦେଶଭକ୍ତି ସମ୍ପର୍କରେ କାହାଠାରୁ ମଧ୍ୟ ପାଠ ପଢ଼ିବା କିମ୍ବା ଉପଦେଶ ନେବାର ଆବଶ୍ୟକତା ତାଙ୍କର ନାହିଁ। ସେ ଦେଶର ବିଭିନ୍ନ ରାଜ୍ୟରେ ରହି କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି ଏବଂ ଭାରତର ଏକତା ଓ ସାର୍ବଭୌମତ୍ୱକୁ ଭଲ ଭାବରେ ବୁଝିଛନ୍ତି।
ଅନ୍ନାମାଲାଇ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ସିଜେପିର ପ୍ରତିବାଦକାରୀମାନେ କୌଣସି ପ୍ରକାରର ଆଇନଗତ ତ୍ରୁଟି କରିଥାଆନ୍ତି, ତେବେ କର୍ତ୍ତୃପକ୍ଷ ପ୍ରତିଶୋଧମୂଳକ ମନୋଭାବ ପୋଷଣ ନକରି ସମ୍ପୂର୍ଣ୍ଣ ଭାବେ ଆଇନଗତ ପ୍ରକ୍ରିୟା ଅନୁସାରେ କାର୍ଯ୍ୟ କରିବା ଉଚିତ୍। ଗିରଫଦାରୀ ସର୍ବଦା ଆଇନ ଓ ନିୟମ ଅନୁସାରେ ହେବା ଆବଶ୍ୟକ। ଦେଶର ସାର୍ବଭୌମତ୍ୱ ପ୍ରତି କୌଣସି ବିପଦ ଥିଲେ ସରକାରଙ୍କ ପାଖରେ ଗୁଇନ୍ଦା ଏଜେନ୍ସି ଓ ଅନ୍ୟାନ୍ୟ ସଂସ୍ଥା ରହିଛି, ସେଗୁଡ଼ିକୁ ବ୍ୟବହାର କରାଯାଉ ଏବଂ ଦୋଷୀଙ୍କୁ ଜେଲ୍ ପଠାଯାଉ। କିନ୍ତୁ ବିନା କାରଣରେ ସୋସିଆଲ ମିଡିଆରେ ଅଳୀକ ପରିସ୍ଥିତି ସୃଷ୍ଟି କରାଯିବା ଅନୁଚିତ୍ ବୋଲି ସେ ମତ ଦେଇଛନ୍ତି। ଏଥିସହ ନିର୍ବାଚନ ଆୟୋଗ ଏବଂ ସୁପ୍ରିମକୋର୍ଟ ଭଳି ଗଣତାନ୍ତ୍ରିକ ପ୍ରତିଷ୍ଠାନଗୁଡ଼ିକ ଉପରୁ ଜନସାଧାରଣଙ୍କ ଆସ୍ଥା କମାଇବା ପାଇଁ ହେଉଥିବା ପ୍ରୟାସକୁ କୌଣସି ପରିସ୍ଥିତିରେ ଗ୍ରହଣ କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି।


