ଆନନ୍ଦପୁର: କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଉପଖଣ୍ଡରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ସୋସୋ ଥାନା ଅଧୀନ ବେରୁଣପଦି ଅଞ୍ଚଳରେ ଥିବା କେନାଲ ନିକଟରୁ ଜଣେ ଅଜଣା ଯୁବତୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଚାଞ୍ଚଲ୍ୟର ପରିବେଶ ସୃଷ୍ଟି ହୋଇଛି।
ସ୍ଥାନୀୟ ଲୋକମାନେ କେନାଲ କଡ଼ରେ ମୃତଦେହ ପଡ଼ିଥିବା ଦେଖି ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ସୋସୋ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ମୃତ ଯୁବତୀଙ୍କ ମୁହଁରେ ଗଭୀର କ୍ଷତ ଚିହ୍ନ ରହିଛି। ତେଣୁ କୌଣସି ଦୁର୍ବୃତ୍ତ ପଥର କିମ୍ବା ଭାରୀ ବସ୍ତୁରେ ତାଙ୍କୁ ଛେଚି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ହତ୍ୟା ପରେ ପ୍ରମାଣ ଲୁଚାଇବା ଉଦ୍ଦେଶ୍ୟରେ ମୃତଦେହକୁ କେନାଲ ନିକଟରେ ଫିଙ୍ଗି ଦିଆଯାଇଥିବା ଆଶଙ୍କା କରାଯାଉଛି।
ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡ଼ିନଥିବାବେଳେ, ପୋଲିସ ଏହାକୁ ହତ୍ୟାକାଣ୍ଡ ଦୃଷ୍ଟିକୋଣରୁ ତଦନ୍ତ କରୁଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବାବେଳେ, ଘଟଣାସ୍ଥଳରୁ ବିଭିନ୍ନ ସୁରାକ ସଂଗ୍ରହ କରାଯାଇଛି।
ଘଟଣା ପଛରେ କିଏ ଏବଂ କାହିଁକି ଏପରି ନିର୍ମମ କାଣ୍ଡ ଘଟାଇଛି, ସେନେଇ ପୋଲିସ ଖୋଳତାଡ଼ ଚଳାଇଛି। ତଦନ୍ତ ଆଗକୁ ବଢ଼ିବା ସହ ଘଟଣାର ରହସ୍ୟ ଉନ୍ମୋଚନ ହେବ ବୋଲି ଆଶା କରାଯାଉଛି।


