ଭୁବନେଶ୍ଵର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏସ୍. ଗୋପାଳନ ନବରଙ୍ଗପୁର ଜିଲ୍ଲା ଗସ୍ତ କରିଛନ୍ତି। ଏହି ଅବସରରେ ସେ ଗୋଦାମ ଗୃହରେ ସଂରକ୍ଷିତ ଥିବା ଇଭିଏମ୍ ଓ ଭିଭିପାଟ୍ ମେସିନ୍ଗୁଡ଼ିକର ଯାଞ୍ଚ କରିବା ସହ ସେଗୁଡ଼ିକର ସୁରକ୍ଷା ଓ ରକ୍ଷଣାବେକ୍ଷଣ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଏହି ଯାଞ୍ଚ ସମୟରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଡକ୍ଟର ମହେଶ୍ୱର ସ୍ୱାଇଁଙ୍କ ସମେତ ଜିଲ୍ଲା ନିର୍ବାଚନ ବିଭାଗର ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ। ଜିଲ୍ଲାର ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧିମାନେ ମଧ୍ୟ ଯାଞ୍ଚ ପ୍ରକ୍ରିୟାରେ ସାମିଲ ହୋଇଥିଲେ। ଇଭିଏମ୍ ଓ ଭିଭିପାଟ୍ର ସୁରକ୍ଷିତ ସଂରକ୍ଷଣ ଏବଂ ନିର୍ବାଚନୀ ପ୍ରକ୍ରିୟାର ସ୍ୱଚ୍ଛତା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଏହି ଯାଞ୍ଚ କରାଯାଇଥିଲା।


