ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା ଜନଗଣନା କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ଲୋକସେବା ଭବନଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ସମୀକ୍ଷା କରିଛନ୍ତି। ବୈଠକରେ ଜନଗଣନା ଅଭିଯାନର ନିର୍ଦ୍ଦେଶକ (Director Census Operations) ନିଖିଲ ପୱନ କଲ୍ୟାଣ ଜନଗଣନାର ପ୍ରଥମ ପର୍ଯ୍ୟାୟ ଅର୍ଥାତ୍ ଗୃହ ତାଲିକାକରଣ କାର୍ଯ୍ୟ (House Listing Operation) ଏବଂ ଆବାସ ଗଣନା (Housing Census) ସଫଳତାର ସହ ସମ୍ପନ୍ନ ହୋଇଥିବା ସମ୍ପର୍କରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ପାଢ଼ୀଙ୍କୁ ଅବଗତ କରାଇଥିଲେ। ଏହି ପର୍ଯ୍ୟାୟରେ ରାଜ୍ୟବ୍ୟାପୀ ବିଭିନ୍ନସ୍ତରରେ ନିୟୋଜିତ ଅଧିକାରୀ ଓ କର୍ମଚାରୀମାନଙ୍କ ସମନ୍ୱିତ ପ୍ରୟାସ ଫଳରେ ଜନଗଣନା କାର୍ଯ୍ୟ ସୁଚାରୁରୂପେ ସମାପ୍ତ ହୋଇଥିବା ନେଇ ଆଲୋଚନା ହୋଇଥିଲା।
ଏହି ଅବସରରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସମସ୍ତ ଜନଗଣନା କର୍ମକର୍ତ୍ତା, ଜିଲ୍ଲାପାଳ, ପୌର କମିଶନର, ଜନଗଣନାକାରୀ (Enumerators) ଏବଂ ସୁପରଭାଇଜରମାନଙ୍କ ନିଷ୍ଠାପୂର୍ଣ୍ଣ ଏବଂ ସମର୍ପିତ ଦାୟିତ୍ୱ ସମ୍ପାଦନ ପାଇଁ ପ୍ରଶଂସା କରିଥିଲେ। ରାଜସ୍ୱ ସଚିବ କହିଥିଲେ ଯେ, ଜନଗଣନା ଭଳି ଏକ ବୃହତ୍ ଜାତୀୟ କାର୍ଯ୍ୟକ୍ରମର ସଫଳ ରୂପାୟନରେ କ୍ଷେତ୍ରସ୍ତରରେ କାର୍ଯ୍ୟରତ କର୍ମଚାରୀମାନଙ୍କ ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ପରିପ୍ରେକ୍ଷୀରେ ଜନଗଣନାର ପରବର୍ତ୍ତୀ ପର୍ଯ୍ୟାୟ ଜନସଂଖ୍ୟା ଗଣନା (Population Enumeration) ପାଇଁ ଆବଶ୍ୟକ ପ୍ରସ୍ତୁତି, କାର୍ଯ୍ୟଯୋଜନା ଏବଂ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ମଧ୍ୟ ସୁବିସ୍ତୃତ ଆଲୋଚନା ହୋଇଥିଲା। ସମସ୍ତ ପ୍ରସ୍ତୁତିକୁ ସମୟବଦ୍ଧ ଭାବେ ସମ୍ପନ୍ନ କରି ଆଗାମୀ ପର୍ଯ୍ୟାୟକୁ ସଫଳ କରିବା ଉପରେ ରାଜସ୍ୱ ସଚିବ ଗୁରୁତ୍ୱାରୋପ କରିଥିଲେ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ଗୃହ ତାଲିକା ଓ ଆବାସ ଜନଗଣନା ୧୬ ଏପ୍ରିଲ ୨୦୨୬ ଠାରୁ ୧୫ ମଇ ୨୦୨୬ ପର୍ଯ୍ୟନ୍ତ ୩୦ ଦିନ ଧରି ସଫଳତାର ସହ ଅନୁଷ୍ଠିତ ହୋଇଛି। ଏହା ସହିତ ସ୍ୱୟଂ-ଗଣନା (Self Enumeration) କାର୍ଯ୍ୟକ୍ରମ ୧ ଏପ୍ରିଲ ୨୦୨୬ ଠାରୁ ୧୫ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ସମ୍ପନ୍ନ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଜନସଂଖ୍ୟା ଗଣନା ୨୦୨୭ ମସିହା ଫେବୃଆରୀ ମାସରେ କରାଯିବ।
ଶେଷରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜନଗଣନା ଦଳକୁ ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଶୁଭେଚ୍ଛା ଜଣାଇବା ସହ ସଫଳତାର ସହ କାର୍ଯ୍ୟ ସମ୍ପାଦନ କରିବାକୁ ଆଶା ପ୍ରକାଶ କରିଥିଲେ। ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଜ୍ଞାଧାରା ମିଶ୍ର, ଆଲୋମଣି ସେଠୀ, ଜନଗଣନାର କାର୍ଯ୍ୟର ଯୁଗ୍ମ ନିର୍ଦ୍ଦେଶକ ହେମନ୍ତ କୁମାର ସିଂହ ଏବଂ ହରାଧନ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ।


