କରାଚୀ: ପାକିସ୍ତାନର କରାଚୀ ସହରରେ ଶନିବାର ରାତିରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ଘଟିଛି। ଗୁଲିସ୍ତାନ-ଏ-ଜୋହର ଅଞ୍ଚଳରେ ଥିବା ଅର୍ଦ୍ଧସାମରିକ ବାହିନୀ ଫ୍ରଣ୍ଟିଅର କୋର୍ପ (Frontier Corps) କମ୍ପାଉଣ୍ଡକୁ ଟାର୍ଗେଟ୍ କରି ଆତଙ୍କବାଦୀମାନେ ପ୍ରଥମେ ଏକ ଆତ୍ମଘାତୀ ବିସ୍ଫୋରଣ କରିଥିଲେ। ବିସ୍ଫୋରଣ ପରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳିବର୍ଷା ଆରମ୍ଭ ହୋଇଥିଲା, ଯାହା ଖବର ଲେଖାଯିବା ସମୟ ପର୍ଯ୍ୟନ୍ତ ଜାରି ରହିଥିବା ସୂଚନା ମିଳିଛି।
ପ୍ରାଥମିକ ସୂଚନା ଅନୁସାରେ, ରାତି ପ୍ରାୟ ୮ଟା ୧୦ ମିନିଟ୍ ସମୟରେ ଆତଙ୍କବାଦୀମାନେ ପ୍ରଥମେ କମ୍ପାଉଣ୍ଡର ମୁଖ୍ୟ ଫାଟକ ନିକଟରେ ଶକ୍ତିଶାଳୀ ବୋମା ବିସ୍ଫୋରଣ ଘଟାଇଥିଲେ। ଏହାପରେ ସେମାନେ କମ୍ପାଉଣ୍ଡ ଭିତରକୁ ପ୍ରବେଶ କରି ଅନବରତ ଗୁଳିବର୍ଷା ଆରମ୍ଭ କରିଥିଲେ। ସୁରକ୍ଷାବାହିନୀ ମଧ୍ୟ ତୁରନ୍ତ ଜବାବୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା।
ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ଏହି ଆକ୍ରମଣରେ ଦୁଇଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅତି କମରେ ଛଅଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ତୁରନ୍ତ ଡାଓ ୟୁନିଭର୍ସିଟି ଅଫ୍ ହେଲ୍ଥ ସାଇନ୍ସେସ୍ (DUHS) ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୁରକ୍ଷା ସଂସ୍ଥାମାନେ କହିଛନ୍ତି ଯେ, ଜଣେ ଆତ୍ମଘାତୀ ଆକ୍ରମଣକାରୀ ବିସ୍ଫୋରଣରେ ନିହତ ହୋଇଥିବା ବେଳେ ଆଉ ତିନିରୁ ଚାରିଜଣ ସଶସ୍ତ୍ର ଆତଙ୍କବାଦୀ ଏବେ ବି କମ୍ପାଉଣ୍ଡ ଭିତରେ କିମ୍ବା ଆଖପାଖରେ ଲୁଚି ରହି ଗୁଳିବର୍ଷା କରୁଥିବା ସୂଚନା ରହିଛି। ସମଗ୍ର ଅଞ୍ଚଳକୁ ସିଲ୍ କରାଯାଇଥିବା ବେଳେ ଅତିରିକ୍ତ ସୁରକ୍ଷା ବାହିନୀ ମୁତୟନ କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ, ଆକ୍ରମଣ ସ୍ଥଳ ନିକଟରେ ରେଞ୍ଜର୍ସ କାର୍ଯ୍ୟାଳୟ, ଏକ ବିଶ୍ୱବିଦ୍ୟାଳୟ ଏବଂ ପାଣିପାଗ ବିଭାଗର କାର୍ଯ୍ୟାଳୟ ଥିବାରୁ ସମଗ୍ର ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ତେବେ ଏହି ଆକ୍ରମଣର ଦାୟିତ୍ୱ ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଙ୍ଗଠନ ନେଇନାହାଁନ୍ତି। ସୁରକ୍ଷାବାହିନୀର ଅପରେସନ୍ ଜାରି ରହିଥିବାରୁ ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ିପାରେ।


