ବାଲେଶ୍ଵର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ର ପଥରଘାଟା ଅଞ୍ଚଳରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା। ପାରିବାରିକ କଳହକୁ କେନ୍ଦ୍ର କରି ବୋହୂ ଜଣକ ଶାଶୁଙ୍କୁ ପନିକିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ଆକ୍ରମଣରେ ଶାଶୁଙ୍କ ମୁଣ୍ଡ ଓ ବେକରେ ଗଭୀର ଆଘାତ ଲାଗିଥିବାରୁ ପ୍ରଥମେ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକକୁ ସ୍ଥାନାନ୍ତର କରାଯାଇଛି।
ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, କିଛି ଟଙ୍କାକୁ ନେଇ ଶାଶୁ-ବୋହୂଙ୍କ ମଧ୍ୟରେ ବିବାଦ ହୋଇଥିଲା। ଏହି ବିବାଦ ଉଗ୍ର ରୂପ ନେବା ପରେ ବୋହୂ ଆକ୍ରମଣ କରିଥିବା କୁହାଯାଉଛି।
ଘଟଣା ପରେ ପୋଲିସ ବୋହୂଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ଘଟଣାର ପ୍ରକୃତ କାରଣ ନେଇ ତଦନ୍ତ ଚାଲିଛି।


