ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅଧୀନ ମନ୍ଦିର ଛକରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା। ବିବାହ ଭୋଜିରେ ମଟନ ନମିଳିବାକୁ କେନ୍ଦ୍ର କରି ଜଣେ ନାବାଳକଙ୍କ ଉପରେ ହୋଇଛି ମାରଣାନ୍ତକ ଆକ୍ରମଣ। ଆକ୍ରମଣରେ ନାବାଳକଙ୍କ ବେକ କଟିଯାଇଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ କଟକକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁଯାୟୀ, ପୀଡ଼ିତ ନାବାଳକ ଏକ ବିବାହ ଭୋଜିରେ କ୍ୟାଟରିଂ କାମ କରୁଥିଲେ। ସେଠାରେ ଭୋଜି ଖାଇବାକୁ ଆସିଥିବା କିଛି ନାବାଳକ ମଟନ ଚାହିଁଥିଲେ। ତେବେ ମଟନ ବଦଳରେ ଚିକେନ ପରିବେଷଣ କରାଯିବାରୁ ଉଭୟ ପକ୍ଷ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ଭୋଜି ସ୍ଥଳରୁ ବାହାରିବା ପରେ ଅଭିଯୁକ୍ତ ନାବାଳକମାନେ ଆକ୍ରମଣ କରି ଧାରୁଆ ଅସ୍ତ୍ରରେ ତାଙ୍କ ବେକ କାଟିଦେଇଥିବା ଅଭିଯୋଗ ହୋଇଛି।
ଘଟଣା ପରେ ଆହତ ନାବାଳକଙ୍କୁ ପ୍ରଥମେ ସ୍ଥାନୀୟ ଚିକିତ୍ସାଳୟ ଓ ପରେ କଟକକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ନାବାଳକମାନଙ୍କୁ ସୁଧାର ଗୃହକୁ ପଠାଯାଇଥିବା ସୂଚନା ମିଳିଛି।ପୋଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି ।
ଏହି ଘଟଣା ସହ ଆଉ ଏକ ବଡ଼ ପ୍ରଶ୍ନ ମଧ୍ୟ ଉଠିଛି। ଶିଶୁ ଶ୍ରମ ବିରୋଧରେ କଡ଼ା ପଦକ୍ଷେପ ନିଆଯାଉଥିବା ବେଳେ ଜଣେ ନାବାଳକ କିପରି ବିବାହ ଭୋଜିରେ କ୍ୟାଟରିଂ କାମ କରୁଥିଲେ? ସେହିପରି ସାମାନ୍ୟ ଖାଦ୍ୟକୁ କେନ୍ଦ୍ର କରି ଏଭଳି ହିଂସା ଘଟିବା ସମାଜରେ ବଢ଼ୁଥିବା ଅସହିଷ୍ଣୁତାକୁ ନେଇ ମଧ୍ୟ ପ୍ରଶ୍ନ ସୃଷ୍ଟି କରିଛି।


