ଭୁବନେଶ୍ଵର: ଆନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଲାଣ ବିରୋଧରେ ଗଞ୍ଜାମ ପୋଲିସ ବଡ଼ ସଫଳତା ହାସଲ କରିଛି। ବଡ଼ଗଡ଼ ଥାନା ପୋଲିସ ଏକ ଫର୍ଡ ଏଣ୍ଡେଓଭର ଗାଡ଼ି ରୁ ୧୦୦ କେଜି ଗଞ୍ଜେଇ ଜବତ କରିବା ସହ ଘଟଣାରେ ସଂପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।
ସୂଚନା ଅନୁଯାୟୀ ପୋଲିସ ଉକ୍ତ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲା। ଗାଡ଼ିରେ ସ୍ୱତନ୍ତ୍ର ଭାବେ ନିର୍ମିତ ଏକ ଗୁପ୍ତ ଚାମ୍ବର ଭିତରେ ଗଞ୍ଜେଇ ଲୁଚାଇ ରଖାଯାଇଥିଲା। ଘଟଣାରେ ବ୍ୟବହୃତ ଦୁଇଟି ଆପାଚି ମୋଟରସାଇକେଲ ଜବତ କରାଯାଇଛି।
ତଦନ୍ତରୁ ଜଣାପଡ଼ିଛି ଯେ, ଏହି ଗଞ୍ଜେଇ ଗଞ୍ଜାମ ଜିଲ୍ଲାର ନାକଟିରି ଗ୍ରାମରୁ ସଂଗ୍ରହ କରାଯାଇଥିଲା ଏବଂ ବ୍ରହ୍ମପୁର ଦେଇ ଗୁଜରାଟକୁ ଚୋରାଚାଲାଣ କରାଯାଉଥିବା ବେଳେ ପୋଲିସ ଏହାକୁ ଜବତ କରିଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ମୁରଲୀଧର ସେଠୀ (୪୦), ଗୋପାଳ ଗମାଙ୍ଗ (୫୪), ମିଖାଲ ଗମାଙ୍ଗ (୪୦) ଏବଂ ଈଶା ଜାନି (୨୮)।
ଏହି ଘଟଣାରେ ବଡ଼ଗଡ଼ ଥାନାରେ ମାମଲା ନଂ-୨୪୪, ତାରିଖ ୨୮.୦୬.୨୦୨୬ ଅନୁଯାୟୀ ଏନ୍ଡିପିଏସ୍ ର ଧାରା ୨୦(B)(ii)(C) ଓ ୨୯ ରେ ମାମଲା ରୁଜୁ କରାଯାଇଛି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟକୁ ପଠାଯାଇଛି।
ପୋଲିସ ଏହି ଆନ୍ତଃରାଜ୍ୟ ଚୋରାଚାଲାଣ ଚକ୍ରର ସମ୍ପୂର୍ଣ୍ଣ ନେଟୱର୍କ, ଯୋଗାଣକାରୀ, ଗୁଜରାଟରେ ଥିବା ଗ୍ରହଣକାରୀ ଏବଂ ଏଥିରେ ସଂପୃକ୍ତ ଅନ୍ୟମାନଙ୍କ ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛି।


