ନୂଆଦିଲ୍ଲୀ: ନିଜର ସେଚେଲ୍ସ ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେଠାକାର ରାଷ୍ଟ୍ରପତିଙ୍କୁ ଏକ ସ୍ବତନ୍ତ୍ର ଉପହାର ପ୍ରଦାନ କରିଛନ୍ତି, ତାହା ହେଉଛି ‘ମୁରାଦାବାଦୀ ପିତ୍ତଳ କଇଁଛ’। ପିତଳ ସହର ଭାବେ ପରିଚିତ ଉତ୍ତରପ୍ରଦେଶର ମୋରାଦାବାଦର ବିଖ୍ୟାତ ପିତଳ ଶିଳ୍ପ ପରମ୍ପରାର ଏକ ଅନନ୍ୟ ନିଦର୍ଶନ ହେଉଛି ଏହି ପିତ୍ତଳ କଇଁଛ। କୁଶଳୀ କାରିଗରମାନଙ୍କ ହାତରେ ତିଆରି ଏହି କଳାକୃତି, ଧାତୁ ଢଳେଇ, ଖୋଦେଇ ଏବଂ ଫିନିସିଂ କ୍ଷେତ୍ରରେ ଏହି ଅଞ୍ଚଳର ଅସାଧାରଣ ଦକ୍ଷତାକୁ ପ୍ରଦର୍ଶିତ କରିଥାଏ। ଏହାର ସୂକ୍ଷ୍ମ କାରୁକାର୍ଯ୍ୟ ଭରା ପୃଷ୍ଠଭାଗ ଏବଂ ଚମକଦାର ଫିନିସିଂ ପିଢ଼ି ପିଢ଼ିର ଉନ୍ନତ କାରିଗରୀ କୌଶଳକୁ ପ୍ରତିଫଳିତ କରେ।
ଭାରତୀୟ ଦର୍ଶନରେ, କଇଁଛ ହେଉଛି ଜ୍ଞାନ, ସ୍ଥିରତା, ସହନଶୀଳତା ଏବଂ ଦୀର୍ଘାୟୁର ଏକ ଚିରନ୍ତନ ପ୍ରତୀକ। ଏହି ଆଦର୍ଶଗୁଡ଼ିକ ସେଚେଲ୍ସ ସହିତ ଗଭୀର ଭାବରେ ଜଡ଼ିତ, ଯାହାର ପ୍ରାକୃତିକ ଐତିହ୍ୟ ସେଠାକାର ପ୍ରସିଦ୍ଧ ‘ଆଲଡାବ୍ରା ବିଶାଳକାୟ କଇଁଛ’ ସହ ଅବିଚ୍ଛେଦ୍ୟ ଭାବେ ଜଡ଼ିତ। ଏ ଧରଣର କଇଁଛ ବିଶ୍ୱର ସବୁଠାରୁ ବଡ଼ ଏବଂ ଦୀର୍ଘଜୀବୀ କଇଁଛ ପ୍ରଜାତିଗୁଡ଼ିକ ମଧ୍ୟରୁ ଅନ୍ୟତମ। ଏସବୁ ଦୃଷ୍ଟିରୁ ଏହି ମୁରାଦାବାଦୀ ପିତ୍ତଳ କଇଁଛ ଭାରତର କାରିଗରୀ ଶ୍ରେଷ୍ଠତାର ଏକ ପ୍ରକୃଷ୍ଟ ନିଦର୍ଶନ ହେବା ସହ ଏପରି ଏକ ପ୍ରତୀକ ଯାହା ସେଚେଲ୍ସ ପାଇଁ ବିଶେଷ ମହତ୍ତ୍ୱ ବହନ କରେ। ଏହା ଦୁଇ ଦେଶ ମଧ୍ୟରେ ଥିବା ସୁଦୃଢ଼ ବନ୍ଧୁତ୍ୱକୁ ପ୍ରତିଫଳିତ କରିବା ସହ ଜ୍ଞାନ ଏବଂ ପ୍ରକୃତି ସହିତ ସଦ୍ଭାବର ମିଳିତ ମୂଲ୍ୟବୋଧକୁ ଦର୍ଶାଏ।


