ଟ୍ରମ୍ପଙ୍କୁ ସୁପ୍ରିମକୋର୍ଟର ବଡ଼ ଝଟକା। ଜନ୍ମଗତ ନାଗରିକତାକୁ ସୀମିତ କରିବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାରି କରିଥିବା କାର୍ଯ୍ୟନିର୍ବାହୀ ଆଦେଶକୁ ଆମେରିକାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ୬-୩ ବହୁମତରେ ଦିଆଯାଇଥିବା ଏହି ଐତିହାସିକ ରାୟରେ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଆମେରିକୀୟ ମାଟିରେ ଜନ୍ମ ନେଉଥିବା ପ୍ରାୟ ସମସ୍ତ ଶିଶୁଙ୍କର ଆମେରିକୀୟ ସମ୍ବିଧାନର ୧୪ତମ ସଂଶୋଧନ ଅନୁଯାୟୀ ନାଗରିକତା ପାଇବାର ଅଧିକାର ରହିଛି।
ପ୍ରଧାନ ବିଚାରପତି ଜନ୍ ଜି. ରବର୍ଟସ୍ ଜୁନିଅର ତାଙ୍କ ରାୟରେ କହିଛନ୍ତି, ଜନ୍ମଗତ ନାଗରିକତା ସମ୍ବିଧାନ ପ୍ରଦତ୍ତ ଏକ ମୌଳିକ ଅଧିକାର ଏବଂ ରାଷ୍ଟ୍ରପତିଙ୍କ କାର୍ଯ୍ୟନିର୍ବାହୀ ଆଦେଶ ଦ୍ୱାରା ଏହାକୁ ସୀମିତ କରାଯାଇପାରିବ ନାହିଁ। ଅବୈଧ ପ୍ରବାସୀ କିମ୍ବା ଅସ୍ଥାୟୀ ଭିସାରେ ଆମେରିକାରେ ରହୁଥିବା ପିତାମାତାଙ୍କଠାରୁ ଜନ୍ମିତ ଶିଶୁମାନେ ମଧ୍ୟ ଜନ୍ମ ସମୟରୁ ଆମେରିକୀୟ ନାଗରିକ ବୋଲି କୋର୍ଟ ଦୋହରାଇଛନ୍ତି।
ଉଲ୍ଲେଖଯୋଗ୍ୟ, ୨୦୨୫ ଜାନୁଆରୀ ୨୦ରେ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ଦିନରେ ଟ୍ରମ୍ପ ଜନ୍ମଗତ ନାଗରିକତାକୁ ସୀମିତ କରିବା ପାଇଁ ଏହି କାର୍ଯ୍ୟନିର୍ବାହୀ ଆଦେଶ ଜାରି କରିଥିଲେ। ଏହି ଆଦେଶ ବିରୋଧରେ ବିଭିନ୍ନ ନାଗରିକ ଅଧିକାର ସଂଗଠନ, ପ୍ରବାସୀ ଅଧିକାର ଗୋଷ୍ଠୀ ଓ ପ୍ରଭାବିତ ପରିବାରମାନେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଶେଷରେ ସୁପ୍ରିମକୋର୍ଟ ଏହି ଆଦେଶକୁ ଅସାମ୍ବିଧାନିକ ବୋଲି ଦର୍ଶାଇ ଖାରଜ କରିଛନ୍ତି।
ଏହି ରାୟକୁ ଟ୍ରମ୍ପଙ୍କ କଠୋର ପ୍ରବାସ ନୀତି ପ୍ରତି ଏକ ବଡ଼ ଝଟକା ବୋଲି ବିବେଚନା କରାଯାଉଛି।


