ଖୋର୍ଦ୍ଧା: ଘୋଷଯାତ୍ରାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାରେ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଏନେଇ ବୁଧବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା।
ଆଞ୍ଚଳିକ ପରିବହନ ଅଧିକାରୀ, ଭୁବନେଶ୍ୱର-୧ ମାନସ ମିଶ୍ରଙ୍କ ଆୟୋଜନରେ ଏବଂ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଅରବିନ୍ଦ ନାୟକଙ୍କ ସଂଯୋଜନାରେ ଆୟୋଜିତ ବୈଠକରେ ବିଭିନ୍ନ ବିଭାଗର ଅଧିକାରୀମାନେ ସଡ଼କ ଦୁର୍ଘଟଣା ରୋକିବା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଥିଲେ।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଘୋଷଯାତ୍ରା ସମୟରେ ଟାସ୍କ ଫୋର୍ସ ଦ୍ୱାରା ନିୟମିତ ଯାଞ୍ଚ, କଡ଼ା ପାଟ୍ରୋଲିଂ, ସଡ଼କ ସୁରକ୍ଷା ସମ୍ପର୍କିତ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶାବଳୀର କାର୍ଯ୍ୟକାରିତା ଏବଂ ପ୍ରତ୍ୟେକ ଥାନାରୁ ମାସିକ ସଡ଼କ ସୁରକ୍ଷା ତଥ୍ୟ ସଂଗ୍ରହ ଉପରେ ଜୋର ଦେଇଥିଲେ। ଏହା ସହ ଆସନ୍ତା ୧୧ ତାରିଖ ସୁଦ୍ଧା ଜିଲ୍ଲା ରାଜମାର୍ଗ ସୁରକ୍ଷା କାର୍ଯ୍ୟକାରୀ ଦଳ ଗଠନ, ରାଜପଥରେ ବୃହତ୍ କ୍ରେନ୍ ବ୍ୟବସ୍ଥା, ଆମ୍ବୁଲାନ୍ସ ସେବାକୁ ସକ୍ରିୟ କରିବା ଏବଂ ସଡ଼କ ପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ ପାଇଁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।
ସଡ଼କ ଦୁର୍ଘଟଣାରେ ଆହତଙ୍କୁ ସହାୟତା କରୁଥିବା ‘ଉତ୍ତମ ସମରିଟାନ’ଙ୍କୁ ପ୍ରୋତ୍ସାହିତ କରିବା ସହ ସଡ଼କ ସୁରକ୍ଷା ସଚେତନତାକୁ ଗ୍ରାମ ଓ ସହରାଞ୍ଚଳରେ ବ୍ୟାପକ କରିବା ପାଇଁ ପୁସ୍ତିକା ପ୍ରକାଶ ଓ ପ୍ରଚାର-ପ୍ରସାର ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।
ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଶଙ୍ଖ ଧ୍ୱନି ରାସ୍ତା ସୁରକ୍ଷା ସମିତି ପକ୍ଷରୁ ପ୍ରସ୍ତୁତ ‘ଗାଡ଼ି ଚାଳକ ସୂଚନା ପୁସ୍ତିକା’ ଏବଂ ‘ପିଲାଙ୍କ ସଡ଼କ ସୁରକ୍ଷା ଶିକ୍ଷା ପୁସ୍ତିକା’ର ଉନ୍ମୋଚନ କରିଥିଲେ।
ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅନାଦି ଚରଣ ସେଠୀ, ଆଞ୍ଚଳିକ ପରିବହନ ଅଧିକାରୀ ଭୁବନେଶ୍ୱର-୨ ସନତ କୁମାର ଜେନା, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ରଞ୍ଜନ ମିତ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଟ୍ରାଫିକ ପୁଲିସ ଏବଂ ସଡ଼କ ସୁରକ୍ଷା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ।


