ମେସେଜିଂ ଆପ୍ରେ ଆସୁଥିବା ‘ୟୁଜରନେମ୍’ ଫିଚରକୁ ନେଇ ବିବାଦ ତୀବ୍ର ହେଉଛି। ହ୍ୱାଟସଆପ୍ ପରେ କେନ୍ଦ୍ରର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MeitY) ଏବେ ଟେଲିଗ୍ରାମ ଓ ସିଗନାଲକୁ ମଧ୍ୟ ନୋଟିସ୍ ଜାରି କରିଛି। ୟୁଜରନେମ୍ ଫିଚରର ଅପବ୍ୟବହାର ରୋକିବା ପାଇଁ କେଉଁ ସୁରକ୍ଷା ବ୍ୟବସ୍ଥା ରହିଛି, ସେନେଇ ସରକାର ସ୍ପଷ୍ଟୀକରଣ ମାଗିଛନ୍ତି।
ସରକାରଙ୍କ ଆଶଙ୍କା ହେଉଛି, ୟୁଜରନେମ୍ ବ୍ୟବସ୍ଥାର ଅପବ୍ୟବହାର କରି ସାଇବର ଅପରାଧୀମାନେ ନକଲି ପରିଚୟ, ଅନଲାଇନ୍ ଠକେଇ ଏବଂ ଡିଜିଟାଲ୍ ଆରେଷ୍ଟ ଭଳି ଅପରାଧ କରିପାରନ୍ତି। ଏହି କାରଣରୁ ପ୍ଲାଟଫର୍ମଗୁଡ଼ିକ କିପରି ୟୁଜରଙ୍କ ପରିଚୟ ଓ ସୁରକ୍ଷାକୁ ନିଶ୍ଚିତ କରୁଛନ୍ତି, ତାହାର ବିବରଣୀ ମାଗାଯାଇଛି।
ହ୍ୱାଟସଆପ୍ ତା’ର ବ୍ଲଗ୍ ଓ FAQରେ ସ୍ପଷ୍ଟ କରିଛି ଯେ ‘ୟୁଜରନେମ୍’ ଫିଚର ବାଧ୍ୟତାମୂଳକ ନୁହେଁ, ବରଂ ଇଚ୍ଛାଧୀନ। ଏହି ଫିଚର ମାଧ୍ୟମରେ ୟୁଜରମାନେ ନିଜ ମୋବାଇଲ୍ ନମ୍ବର ସମସ୍ତଙ୍କ ସହ ସେୟାର ନକରି ଯୋଗାଯୋଗ କରିପାରିବେ, ଯାହା ଗୋପନୀୟତାକୁ ଆହୁରି ସୁରକ୍ଷିତ କରିବ ବୋଲି କମ୍ପାନି ଦାବି କରିଛି।
MeitYର ନୋଟିସ୍ ପରେ ଟେଲିଗ୍ରାମ ଓ ସିଗନାଲ କେଉଁ ଉତ୍ତର ଦେଉଛନ୍ତି ଏବଂ ସରକାର ପରବର୍ତ୍ତୀ ପଦକ୍ଷେପ କ’ଣ ନେଉଛନ୍ତି, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।


