ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ଥାନା ଅଧୀନ ମୁଚବାହାଲ ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ, ତାଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ଘଟଣାସ୍ଥଳରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି। ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟ ଓ ଚାଞ୍ଚଲ୍ୟର ପରିବେଶ ସୃଷ୍ଟି ହୋଇଛି।
ସ୍ଥାନୀୟ ଲୋକେ ମୃତଦେହ ପଡ଼ିଥିବା ଦେଖି ବେଲପାହାଡ଼ ପୁଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ପରେ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ସୂଚନା ମିଳିଛି।
ପ୍ରାଥମିକ ତଦନ୍ତରୁ ଯୁବକଙ୍କୁ ଅନ୍ୟତ୍ର ହତ୍ୟା କରାଯାଇଥିବା ପରେ ମୃତଦେହକୁ ମୁଚବାହାଲ ଅଞ୍ଚଳରେ ଫିଙ୍ଗି ଦିଆଯାଇଥିବା ଆଶଙ୍କା କରାଯାଉଛି। ତେବେ ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ହତ୍ୟାର କାରଣ ମଧ୍ୟ ସ୍ପଷ୍ଟ ହୋଇନଥିବାରୁ ପୁଲିସ ବିଭିନ୍ନ ଦିଗକୁ ନଜରରେ ରଖି ତଦନ୍ତ କରୁଛି।
ଘଟଣାରେ କେତେଜଣ ସମ୍ପୃକ୍ତ ଅଛନ୍ତି, ହତ୍ୟା ପଛର ଉଦ୍ଦେଶ୍ୟ କ’ଣ ଏବଂ କେଉଁ ପରିସ୍ଥିତିରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଲା, ସେନେଇ ପୁଲିସ ଛାନଭିନ ଜାରି ରଖିଛି। ତଦନ୍ତ ଶେଷ ହେବା ପରେ ଘଟଣାର ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।


