ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଉକ୍ତ କାର୍ଯ୍ୟକ୍ରମ ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ବାଣପୁର ଅଦାଲତର ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବାଣପୁର ଜେଏମଏଫସି ଇପ୍ସିତା ପ୍ରିୟା ଏକ୍କା ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ବିଭିନ୍ନ ପ୍ରକାରର ଔଷଧୀୟ ତଥା ଉପକାରୀ ଚାରା ଗୁଡିକ ବିଦ୍ୟାଳୟ ପରିସରରେ ରୋପଣ କରାଯାଇଥିଲା।ପରିଶେଷରେ ଚାରାଗୁଡିକୁ ପୂଜନ ମଧ୍ୟ କରାଯାଇଥିଲା। ବିଦ୍ୟାଳୟ ପରିଚାଳନା ସମିତି ସମ୍ପାଦକ ତଥା ବରିଷ୍ଠ ଆଇନଜୀବୀ ଶ୍ୟାମସୁନ୍ଦର ମିଶ୍ର, ବାଣପୁର ଓକିଲ ସଂଘ ସଭାପତି ଜଗନ୍ନାଥ ଭୋଳ, ବିଦ୍ୟାଳୟର ଆଚାର୍ଯ୍ୟ, ଆଚାର୍ଯ୍ୟା, କର୍ମଚାରୀ, ବନ ବିଭାଗ ଅଧିକାରୀ ଏବଂ କୋର୍ଟ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।
ସମ୍ପ୍ରତି ପରିସ୍ଥିତିରେ ବୃକ୍ଷରୋପଣ ଅପରିହାର୍ଯ୍ୟ ହୋଇପଡିଥିବା ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀ ମହାପାତ୍ର ତାଙ୍କ ବକ୍ତବ୍ୟରେ କହିଥିଲେ। ଦିନକୁଦିନ ପରିବେଶ ଭାରସାମ୍ୟ ସନ୍ତୁଳନ ହରାଉଥିବା ବେଳେ ତାପମାତ୍ରାରେ ପରିବର୍ତ୍ତନ ଘଟୁଛି। ତେଣୁ ଏହାର ଏକମାତ୍ର ବିକଳ୍ପ ହେଉଛି ବୃକ୍ଷରୋପଣ ଏବଂ ଆମ ଭବିଷ୍ୟତ ପିଢ଼ି ମଧ୍ୟ ବୃକ୍ଷରୋପଣ ପ୍ରତି ଯତ୍ନବାନ ହେବା ଦରକାର ବୋଲି କହିଥିଲେ ବିଚାରପତି ଶ୍ରୀ ମହାପାତ୍ର।


