ନୂଆଦିଲ୍ଲୀ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ଗୁଜରାଟର ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଏକ ‘ଗଣ ବୃକ୍ଷରୋପଣ ଅଭିଯାନ’ର ଶୁଭାରମ୍ଭ କରିବା ସହ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ତଥା ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
ଏହି ସଭାକୁ ସମ୍ବୋଧିତ କରି ଅମିତ ଶାହ କହିଛନ୍ତି ଯେ, କେବଳ ଗାନ୍ଧୀନଗର ଲୋକସଭା ନିର୍ବାଚନ ମଣ୍ଡଳୀରେ ହିଁ ନାଗରିକମାନଙ୍କ ଦ୍ଵାରା ଆଜି ଗୋଟିଏ କୋଟିରୁ ଅଧିକ ଗଛ ଲଗାଯାଇଛି। ଏହା ସହିତ ସମଗ୍ର ଅହମଦାବାଦ ସହରରେ ୫୦ ଲକ୍ଷ ବୃକ୍ଷ ରୋପଣ କରାଯାଇଛି। ସେ କହିଛନ୍ତି ଯେ ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ଏକ ସବୁଜ ପରିବେଶ ସୃଷ୍ଟି କରିବା, ସ୍ୱଚ୍ଛ ବାୟୁ ଏବଂ ବିଶୁଦ୍ଧ ଜଳ ନିଶ୍ଚିତ କରିବା, ଏବଂ ଏକ ଉଚ୍ଚ-ଗୁଣବତ୍ତା ସମ୍ପନ୍ନ, ବାସୋପଯୋଗୀ ପୃଥିବୀ ଓ ଧରିତ୍ରୀକୁ ସୁରକ୍ଷିତ ରଖିବା। ଶ୍ରୀ ଶାହ ପ୍ରକାଶ କରିଛନ୍ତି ଯେ ୧.୨୫ କୋଟି ଗଛ ଲଗାଇବାର ଏହି ଅଭିଯାନ କେବଳ ଏକ ସ୍ଲୋଗାନରେ ସୀମିତ ନ ରହି ଏକ ଗଣଆନ୍ଦୋଳନରେ ପରିଣତ ହୋଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ “ଏକ ପେଡ୍ ମା କେ ନାମ୍” ଆହ୍ୱାନ ଖୁବ୍ ଶୀଘ୍ର ଏକ ଜନ ଆନ୍ଦୋଳନର ରୂପ ନେଇଛି ଏବଂ ସମଗ୍ର ଦେଶ ତାଙ୍କର “ଲୋକ, ପୃଥିବୀ ଓ ପ୍ରଗତି” ମନ୍ତ୍ରକୁ ଆପଣେଇ ନେଇଛି।
ଅମିତ ଶାହ କହିଥିଲେ ଯେ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସି. ଏ. ପି. ଏଫ୍.) ବିଗତ ସାତ ବର୍ଷ ମଧ୍ୟରେ ସାରା ଦେଶରେ ସାତ କୋଟିରୁ ଅଧିକ ବୃକ୍ଷ ରୋପଣ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଦୁଇ ଦିନ ପୂର୍ବରୁ ଦିଲ୍ଲୀରେ ଏକ ବଡ଼ ଧରଣର ବୃକ୍ଷରୋପଣ ଅଭିଯାନ ମଧ୍ୟ କରାଯାଇଥିଲା। ସେ କହିଥିଲେ ଯେ ରୋପଣ କରାଯାଇଥିବା ବୃକ୍ଷଗୁଡ଼ିକ ଭାରତର ପ୍ରାକୃତିକ ପରିବେଶ ଅନୁକୂଳ ଏବଂ ଏଥିରେ ୧୦୦ ବର୍ଷରୁ ଅଧିକ ଜୀବନକାଳ ବିଶିଷ୍ଟ ପ୍ରଜାତି ସାମିଲ ରହିଛି। ଶ୍ରୀ ଶାହ କହିଥିଲେ ଯେ ବୃକ୍ଷରୋପଣ ଅଭିଯାନର ଉଦ୍ଦେଶ୍ୟ ହେଉଛି ଅହମ୍ମଦାବାଦକୁ ସ୍ୱାଭାବିକ ଭାବେ ଏକ ସବୁଜ ସହରରେ ପରିଣତ କରିବା। ସେ ସୂଚନା ଦେଇଥିଲେ ଯେ ଗାନ୍ଧୀନଗର ଅଞ୍ଚଳରେ ପୂର୍ବରୁ ୧୨ଟି ଅକ୍ସିଜେନ ପାର୍କ ରହିଥିବା ବେଳେ ଆଜି ୬୧ଟି ନୂତନ ଅକ୍ସିଜେନ ପାର୍କର ଉଦଘାଟନ କରାଯାଇଛି, ଯାହାଫଳରେ ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ମୋଟ ଅକ୍ସିଜେନ ପାର୍କ ସଂଖ୍ୟା ୭୩ରେ ପହଞ୍ଚିଛି। ସେହିଭଳି ଅହମ୍ମଦାବାଦ ମହାନଗର ନିଗମ ଗୋଟିଏ ଦିନରେ ୧୦୧ଟି ଅକ୍ସିଜେନ ପାର୍କର ଉଦଘାଟନ କରିଛି।
କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ, ବୃକ୍ଷରୋପଣ କରିବାକୁ ଚାହୁଁଥିବା ନାଗରିକଙ୍କ ଘରକୁ ସିଧାସଳଖ ଚାରା ପହଞ୍ଚାଇବା ପାଇଁ ଅହମ୍ମଦାବାଦ ମ୍ୟୁନିସିପାଲିଟି କର୍ପୋରେସନ୍ ବୈଜ୍ଞାନିକ ପଦ୍ଧତିରେ ଏକ ସ୍ୱତନ୍ତ୍ର ଯାନ ସେବା ଆରମ୍ଭ କରିଛି। ସେ କହିଥିଲେ ଯେ ଜନସାଧାରଣଙ୍କ ଅଂଶଗ୍ରହଣ ବିନା କୌଣସି ଅଭିଯାନ ସଫଳ ହୋଇପାରିବ ନାହିଁ। ଏହି ବୃକ୍ଷରୋପଣ ଅଭିଯାନ ଆଗାମୀ ବର୍ଷଗୁଡ଼ିକରେ ଅନ୍ୟ ସହର ତୁଳନାରେ ଅହମ୍ମଦାବାଦର ତାପମାତ୍ରା ଅତିକମରେ ୫ ପ୍ରତିଶତ ହ୍ରାସ କରିବ। ଶ୍ରୀ ଶାହ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ଲୋଗାନ ‘ଏକ ପେଡ଼ ମା କେ ନାମ ’ ହେଉଛି ପରିବେଶ ସଂରକ୍ଷଣ ଦିଗରେ ଏକମାତ୍ର ମାର୍ଗ। ସେ ପ୍ରତ୍ୟେକ ନାଗରିକଙ୍କୁ ଗୋଟିଏ ଗଛ ଲଗାଇବା ଏବଂ ଭବିଷ୍ୟତ ପିଢ଼ି ପାଇଁ ଓଜୋନ୍ ସ୍ତରକୁ ସଂରକ୍ଷିତ କରିବାରେ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ। ସେ ଏହା ମଧ୍ୟ କହିଛନ୍ତି ଯେ ସାନନ୍ଦ, ଗାନ୍ଧୀନଗର, କାଲୋଲ ଏବଂ ଅହମ୍ମଦାବାଦ ସହର ମିଳିତ ଭାବେ ଗାନ୍ଧୀନଗର ଲୋକସଭା ନିର୍ବାଚନମଣ୍ଡଳୀରେ ସବୁଜ ବଳୟକୁ ୧୧.୨୩ ପ୍ରତିଶତ ବୃଦ୍ଧି କରିଛନ୍ତି ଏବଂ ୨୦୨୯ ସୁଦ୍ଧା ଏହାକୁ ୨୦ ପ୍ରତିଶତକୁ ବୃଦ୍ଧି କରିବାକୁ ସଂକଳ୍ପ ନେଇଛନ୍ତି।
ଶ୍ରୀ ଶାହ କହିଥିଲେ ଯେ ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ୨୦ ପ୍ରତିଶତ ସବୁଜ ବଳୟ ହାସଲ କରିବା ଏକ ସାମୂହିକ ଦାୟିତ୍ୱ। ସେ ଉଲ୍ଲେଖ କରିଥିଲେ ଯେ ସମସ୍ତ ଲୋକସଭା ନିର୍ବାଚନମଣ୍ଡଳୀ ମଧ୍ୟରେ ଗାନ୍ଧୀନଗରରେ ସର୍ବାଧିକ ସଂଖ୍ୟକ ଛାତ ଉପରେ ସୌରଶକ୍ତି ସ୍ଥାପନ ରହିଛି। ସେ ଅହମ୍ମଦାବାଦ ଏବଂ ଗାନ୍ଧୀନଗରର ଅଧିବାସୀମାନଙ୍କୁ ଅନୁରୋଧ କରିଥିଲେ ଯେ ଗୋଟିଏ ବି ଘର, ଆପାର୍ଟମେଣ୍ଟ କିମ୍ବା ଛାତ ଯେପରି ସୌର ଛାତର ସ୍ଥାପନ ବିନା ନ ରହେ। ସେ କହିଥିଲେ ଯେ ଆଜି ୨୨ଟି ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରାଯାଇଛି ଏବଂ ୭ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଶ୍ରୀ ଶାହ କହିଥିଲେ ଯେ ୩୨୫ଟି ନୂଆ ଏ. ଏମ୍. ଟି. ଏସ୍. ଏବଂ ବି. ଆର୍. ଟି. ଏସ୍. ବସ୍ କାର୍ବନ ନିର୍ଗମନ ହ୍ରାସ କରିବାରେ ସହାୟକ ହେବ ଏବଂ ଆଜିର ଉଦଘାଟନ ପରେ ଅହମ୍ମଦାବାଦରେ ଆଉ ପ୍ରଦୂଷଣ ସୃଷ୍ଟି କରୁଥିବା କୌଣସି ବସ୍ ରହିବ ନାହିଁ।
କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ଗାନ୍ଧୀନଗର ଲୋକସଭା ନିର୍ବାଚନମଣ୍ଡଳୀରେ ଏପର୍ଯ୍ୟନ୍ତ ୨୮,୪୯୨ କୋଟି ଟଙ୍କା ମୂଲ୍ୟର ବିକାଶ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି। ଏଗୁଡ଼ିକ ମଧ୍ୟରେ ଘାଟଲୋଡ଼ିଆରେ ୭୦୩୦ କୋଟି, ବେଜଲପୁରରେ ୨୬୭୦ କୋଟି, ସାବରମତୀରେ ୨୧୪୯ କୋଟି, ନାରଣପୁରାରେ ୩୨୬୨ କୋଟି, ସାନନ୍ଦରେ ୨୮୦୦ କୋଟି, ଗାନ୍ଧୀନଗର ଉତ୍ତରରେ ୪୩୦୦ କୋଟି ଏବଂ କାଲୋଲରେ ୨୦୦୩ କୋଟି ମୂଲ୍ୟର ପ୍ରକଳ୍ପ ରହିଛି। ଅହମ୍ମଦାବାଦ ସହର ଏବଂ ଗାନ୍ଧୀନଗର ଲୋକସଭା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କୁ ନିବେଦନ କରି ଶ୍ରୀ ଶାହ ସେମାନଙ୍କ ହାଉସିଂ ସୋସାଇଟିର ଗୋଟିଏ କୋଣକୁ ମଧ୍ୟ ଗଛ ବିନା ନ ଛାଡିବାକୁ ଅନୁରୋଧ କରିଥିଲେ। ସେ କହିଥିଲେ ଯେ ଭବିଷ୍ୟତ ପିଢ଼ି ପାଇଁ ବାସଯୋଗ୍ୟ ପୃଥିବୀ ସୃଷ୍ଟି କରିବା ଲାଗି ବୃକ୍ଷ ରୋପଣ କରିବା ସାମୂହିକ ଲକ୍ଷ୍ୟ ହେବା ଉଚିତ। ପ୍ରତ୍ୟେକ ଘରର ଛାତ ଉପରେ ଯେପରି ସୌର ଶକ୍ତି ପ୍ରକଳ୍ପ ସ୍ଥାପନ କରାଯାଇ ପାରିବ, ତାହା ସୁନିଶ୍ଚିତ କରିବା ଲାଗି ସେ ନାଗରିକମାନଙ୍କୁ ଅନୁରୋଧ କରିଥିଲେ।


