Categories
ଆଜିର ଖବର ରାଜ୍ୟ ଖବର

୧୨୭ ବାଟାଲିୟନ CRPF ଦ୍ୱାରା ଜନସମ୍ପର୍କ ଶିବିର ଆୟୋଜିତ

ଭୁବନେଶ୍ବର: ଜି/୧୨୭ ବାଟାଲିୟନ CRPF, ଯିଏକି ନକ୍ସଲ ବିରୋଧୀ କାର୍ଯ୍ୟ ପାଇଁ ପୋଲିସ ଷ୍ଟେସନ ବେଲଘର ନିୟୋଜିତ। ବେଲଘର ନିକଟସ୍ଥ ସରଦପୁର, ମେଣ୍ଡାବାରୁ, ବେଲା ସାରଦା, କରଜାଣ୍ଡି, ଜାଜୋଙ୍ଗୀ ଏବଂ ଝିରିପାଣି ଗାଁ ର ଗରିବ ପରିବାର ଲୋକମାନଙ୍କୁ କମାଣ୍ଡେଣ୍ଟ -୧୨୭ ବାଟାଲିୟନ CRPF ତଥା ବଟାଲିୟନ ଅନ୍ୟ କର୍ମୀ, ସ୍ଥାନୀୟ ପ୍ରଶାସନରୁ ବନ ରେଞ୍ଜର ବେଲଘର, ବେଲଘର, ଥାନା ଅଧିକାରୀ, ଝିରିପାଣି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ଝିରିପାଣିର ସରପଞ୍ଚ ସହିତ କ୍ଷେତ୍ରର ଅନ୍ୟ ଗଣମାନ୍ୟ ବ୍ୟକ୍ତି ଉପସ୍ଥିରେ ମାଗଣା ଔଷଧ ଓ କମଳ ବଣ୍ଟନ ଯାଇଅଛି।

ଏହି କାର୍ଯ୍ୟକ୍ରମ ଭାରତ ସରକାର, ଗୃହ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ମାନବିକ ନାଗରିକ ଆର୍ଥିକ ସହାୟତା ଯୋଜନା ଅଧୀନରେ ଏହି ପ୍ରକ୍ରିୟା ଆୟୋଜିତ ହୋଇଥିଲା। ଏହି ଯୋଜନ ଅଧୀନରେ ସମୁଦାୟ ୫୦୦ ରୁ ଅଧିକ ଲୋକ ଉପକୃତ ହୋଇଛନ୍ତି। ଏହି ସମୟରେ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। କମାଣ୍ଡାଣ୍ଟ -୧୨୭ ବାଟାଲି୍ୟାନ କହିଛନ୍ତି ଯେ, ଆଗାମୀ ଦିନରେ କନ୍ଧମାଳ ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଏଭଳି କାର୍ଯ୍ୟକ୍ରମ କରାଯିବ।

Categories
ଆଜିର ଖବର ଜାତୀୟ ଖବର

ନବନିଯୁକ୍ତ ପ୍ରାର୍ଥୀଙ୍କୁ ପାଖାପାଖି ୫୧,୦୦୦ ନିଯୁକ୍ତି ପତ୍ର ବଣ୍ଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ରୋଜଗାର ମେଳାକୁ ସମ୍ବୋଧିତ କରିବା ସହ ଭିଡିଓ କନଫରେନ୍ସିଂ ଜରିଆରେ ନବନିଯୁକ୍ତ ପ୍ରାର୍ଥୀ ମାନଙ୍କୁ ପାଖାପାଖି ୫୧,୦୦୦ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ଦେଶର ବିଭିନ୍ନ ସ୍ଥାନରୁ ଏହି ପ୍ରାର୍ଥୀମାନଙ୍କୁ ରାଜସ୍ୱ ବିଭାଗ, ଗୃହ ମନ୍ତ୍ରଣାଳୟ, ଉଚ୍ଚଶିକ୍ଷା ବିଭାଗ, ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ, ଆର୍ଥିକ ସେବା ବିଭାଗ, ପ୍ରତିରକ୍ଷା ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ସମେତ ବିଭିନ୍ନ ସରକାରୀ ମନ୍ତ୍ରଣାଳୟ/ବିଭାଗରେ ନିଯୁକ୍ତି ମିଳିଛି।

ନବନିଯୁକ୍ତମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯୁବକଯୁବତୀମାନଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ପାଇଁ ସରକାରଙ୍କ ଅଭିଯାନ କ୍ରମାଗତ ଭାବେ ଆଗେଇ ଚାଲିଛି । ଆଜିର କାର୍ଯ୍ୟକ୍ରମ ଅବସରରେ ସାରା ଦେଶରେ ୫୦,୦୦୦ରୁ ଅଧିକ ଯୁବକଯୁବତୀଙ୍କୁ ସରକାରୀ ଚାକିରି ପାଇଁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ନିଯୁକ୍ତି ପତ୍ର ନବନିଯୁକ୍ତ ପ୍ରାର୍ଥୀଙ୍କ କଠିନ ପରିଶ୍ରମ ଓ ଅଧ୍ୟବସାୟର ଫଳ ବୋଲି ସେ ଦର୍ଶାଇଥିଲେ। ଏହି ଅବସରରେ ନୂତନ ନିଯୁକ୍ତି ପାଇଥିବା ପ୍ରାର୍ଥୀ ଏବଂ ସେମାନଙ୍କ ପରିବାରକୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେମାନେ ଜନସାଧାରଣଙ୍କ ସହିତ ସିଧାସଳଖ କାରବାର କରୁଥିବା ବ୍ୟବସ୍ଥାର ଏକ ଅଂଶ ହେବାକୁ ଯାଉଛନ୍ତି । ଜଣେ ସରକାରୀ କର୍ମଚାରୀ ଭାବରେ ପ୍ରଧାନମନ୍ତ୍ରୀ ନବନିଯୁକ୍ତଙ୍କ କର୍ତ୍ତବ୍ୟ ଏବଂ ଦାୟିତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ କହିଥିଲେ ଯେ ସାଧାରଣ ଲୋକଙ୍କ ‘ସହଜ ଜୀବନଯାପନ’ ପ୍ରତି ସେମାନେ ସର୍ବୋଚ୍ଚ ପ୍ରାଥମିକତା ଦେବା ଉଚିତ୍‌।

ଚଳିତ ମାସ ୨୬ ନଭେମ୍ବରରେ ସମ୍ବିଧାନ ଦିବସ ପାଳନ ସମାରୋହ କଥା ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ୧୯୪୯ ମସିହା ଏହି ଦିନରେ ଦେଶ ନିଜ ସମ୍ବିଧାନକୁ ଗ୍ରହଣ କରିଥିଲା ଏବଂ ପ୍ରତ୍ୟେକ ନାଗରିକଙ୍କୁ ସମାନ ଅଧିକାର ଦେଇଥିଲା । ସେ ବାବା ସାହେବ ଆମ୍ବେଦକରଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ ଯିଏକି ସମ୍ବିଧାନର ସ୍ଥପତି ଭାବରେ ସମସ୍ତଙ୍କୁ ସମାନ ସୁଯୋଗ ପ୍ରଦାନ କରି ସାମାଜିକ ନ୍ୟାୟ ପ୍ରତିଷ୍ଠା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଦର୍ଶାଇଥିଲେ ଯେ ସ୍ୱାଧୀନତା ପରେ ସମାନତାର ନୀତିକୁ ଅଣଦେଖା କରାଯାଇଥିଲା ଏବଂ ସମାଜର ଏକ ପ୍ରମୁଖ ବର୍ଗ ବର୍ଷ ବର୍ଷ ଧରି ସମ୍ବଳ ଏବଂ ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିଲା। ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୧୪ରେ ବର୍ତ୍ତମାନର ସରକାର କ୍ଷମତାକୁ ଆସିବା ପରେ ହିଁ ‘ବଞ୍ଚିତମାନଙ୍କୁ ପ୍ରାଥମିକତା’ ମନ୍ତ୍ର ଗ୍ରହଣ କରାଯାଇଥିଲା ଏବଂ ଏକ ନୂତନ ମାର୍ଗ ତିଆରି ହୋଇଥିଲା। ଯେଉଁମାନେ କେବେ କୌଣସି ସୁବିଧା ପାଇନଥିଲେ ସେମାନଙ୍କ ଦ୍ୱାରରେ ସରକାର ପହଞ୍ଚିଥିଲେ ବୋଲି ସେ ଗୁରୁତ୍ୱାରୋପ କରି କହିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସ୍ୱାଧୀନତା ପରେ ବହୁ ଦଶନ୍ଧି ଧରି ଅବହେଳିତ ହୋଇ ରହିଥିବା ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ସରକାର ପ୍ରୟାସ କରୁଛନ୍ତି। ସରକାରଙ୍କ ଚିନ୍ତାଧାରା ଏବଂ କାର୍ଯ୍ୟ ସଂସ୍କୃତିରେ ପରିବର୍ତ୍ତନ ଫଳରେ ଆଜି ଯେଉଁ ଅଭୂତପୂର୍ବ ପରିବର୍ତ୍ତନ ଦେଖିବାକୁ ମିଳୁଛି ତାହା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅମଲାତନ୍ତ୍ର, ଜନସାଧାରଣ ଏବଂ ଫାଇଲ ବ୍ୟବସ୍ଥା ସମାନ ରହିଥିଲେ ମଧ୍ୟ ଗରିବ ଏବଂ ମଧ୍ୟବିତ୍ତଙ୍କ ବିକାଶକୁ ପ୍ରାଥମିକତା ଦେଇ ସମଗ୍ର ବ୍ୟବସ୍ଥାର କାର୍ଯ୍ୟ ପ୍ରଣାଳୀ ଏବଂ ଶୈଳୀରେ ସାମଗ୍ରିକ ପରିବର୍ତ୍ତନ ଆସିଛି । ଏହା ସାଧାରଣ ଲୋକଙ୍କ କଲ୍ୟାଣର ସକାରାତ୍ମକ ଫଳାଫଳକୁ ସାମ୍ନାକୁ ଆଣିଛି ବୋଲି ସେ କହିଛନ୍ତି। ନିକଟରେ ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ ଗତ ୫ ବର୍ଷ ମଧ୍ୟରେ ୧୩ କୋଟିରୁ ଅଧିକ ଲୋକ ଦାରିଦ୍ର୍ୟରୁ ମୁକୁଳିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ। ଏହା ସରକାରୀ ଯୋଜନାର ପ୍ରଭାବ ଗରିବଙ୍କ ପାଖରେ ପହଞ୍ଚିବାର ପ୍ରମାଣ ବୋଲି  ସେ କହିଛନ୍ତି। ସରକାରୀ ଯୋଜନାଗୁଡ଼ିକୁ ସାଧାରଣ ନାଗରିକଙ୍କ ଘର ପାଖରେ ପହଞ୍ଚାଉଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ନିଯୁକ୍ତ ପ୍ରାର୍ଥୀମାନଙ୍କୁ ସେମାନଙ୍କ ସମୟକୁ ଲୋକଙ୍କ ସେବାରେ ଉପଯୋଗ କରିବାକୁ ଅନୁରୋଧ କରିଥିଲେ।

ପ୍ରଧାନମନ୍ତ୍ରୀ ନୂତନ ନିଯୁକ୍ତି ପାଇଥିବା ପ୍ରାର୍ଥୀଙ୍କୁ କହିଥିଲେ ଯେ ସେମାନେ ଆଧୁନିକ ରାଜପଥ, ରେଳ ଷ୍ଟେସନ, ବିମାନବନ୍ଦର ଏବଂ ଜଳପଥ କ୍ଷେତ୍ରରେ ଭାରତକୁ ବଦଳାଇବା ପାଇଁ ଭିତ୍ତିଭୂମି ବିପ୍ଳବକୁ ଦେଖୁଛନ୍ତି । ଭିତ୍ତିଭୂମି କ୍ଷେତ୍ରରେ ବିପୁଳ ପୁଞ୍ଜିନିବେଶ ଲକ୍ଷ ଲକ୍ଷ ନୂତନ ନିଯୁକ୍ତି ସୃଷ୍ଟି କରୁଛି।

ପ୍ରକଳ୍ପଗୁଡ଼ିକୁ ସମ୍ପୂର୍ଣ୍ଣ କରିବାରେ ମିଶନ ମୋଡ୍ ରେ କାର୍ଯ୍ୟ କରାଯିବା ବିଷୟରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅସମ୍ପୂର୍ଣ୍ଣ ପ୍ରକଳ୍ପଗୁଡ଼ିକ ଦେଶର ସଚ୍ଚୋଟ ଟିକସଦାତାଙ୍କ ପ୍ରତି ଏକ ବଡ଼ ଅନ୍ୟାୟ। ବିଗତ ବର୍ଷଗୁଡ଼ିକରେ କେନ୍ଦ୍ର ସରକାର ଲକ୍ଷ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପର ସମୀକ୍ଷା କରିଛନ୍ତି ଏବଂ ସେଗୁଡ଼ିକୁ ଦ୍ରୁତ ଗତିରେ ସମ୍ପୂର୍ଣ୍ଣ କରିଛନ୍ତି। ବିଳମ୍ବିତ ପ୍ରକଳ୍ପର ଉଦାହରଣ ଦେଇ ସେ କହିଥିଲେ, ୨୨-୨୩ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ବିଦାର କଲବୁର୍ଗି ରେଳ ଲାଇନ କାମ ନିକଟରେ ଶେଷ ହୋଇଛି । ସରକାର ଏହାକୁ ମାତ୍ର ୩ ବର୍ଷରେ ଶେଷ କରିଛନ୍ତି। ସିକ୍କିମର ପାକ୍ୟୋଙ୍ଗ ବିମାନବନ୍ଦର ନିର୍ମାଣ ପାଇଁ ୨୦୦୮ରେ ପରିକଳ୍ପନା କରାଯାଇଥିଲା, କିନ୍ତୁ ୨୦୧୪ ପର୍ଯ୍ୟନ୍ତ ଏହା କେବଳ କାଗଜପତ୍ରରେ ରହିଥିଲା । ୨୦୧୪ ପରେ ଆରମ୍ଭ ହୋଇ ୨୦୧୮ ସୁଦ୍ଧା ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିଲା। ପାରାଦୀପ ବିଶୋଧନାଗାର ୨୦-୨୨ ବର୍ଷ ଧରି କେବଳ ଆଲୋଚନା ପର୍ଯ୍ୟାୟରେ ରହିଥିଲା ଏବଂ ଏ ଦିଗରେ କୌଣସି ବିଶେଷ ଅଗ୍ରଗତି ହୋଇନଥିଲା । ନିକଟରେ ଏହି ବିଶୋଧନାଗାର କାର୍ଯ୍ୟ ଶେଷ ହୋଇଛି।

ଦେଶର ରିୟଲ ଇଷ୍ଟେଟ୍ କ୍ଷେତ୍ର ବିଷୟରେ ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ ଯେ ଏହା ବିଲ୍ଡର ଏବଂ ମଧ୍ୟବିତ୍ତଙ୍କ ଅବନତି ଆଡକୁ ଅଗ୍ରସର ହେଉଥିଲା କିନ୍ତୁ ରେରା ଆଇନ ହିଁ ସ୍ୱଚ୍ଛତା ଆଣିଛି ଏବଂ ନିବେଶକୁ ପ୍ରୋତ୍ସାହିତ କରିଛି । ପ୍ରକଳ୍ପଗୁଡିକ କିପରି ଅଟକି ଯାଉଥିଲା ଯାହା ନିଯୁକ୍ତି ସୁଯୋଗକୁ ଠପ୍ କରିଦେଉଥିଲା ସେ ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ, “ଆଜି ଦେଶରେ ଏକ ଲକ୍ଷରୁ ଅଧିକ ରିଅଲ ଇଷ୍ଟେଟ ପ୍ରକଳ୍ପ ରେରା ଅଧୀନରେ ପଞ୍ଜୀକୃତ ହୋଇଛି । ସେ କହିଛନ୍ତି ଯେ ଦେଶର ବଢୁଥିବା ରିଅଲ ଇଷ୍ଟେଟ ଆଜି ବିପୁଳ ସଂଖ୍ୟକ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି ।

କେନ୍ଦ୍ର ସରକାରଙ୍କ ନୀତି ଓ ନିଷ୍ପତ୍ତି ଆଜି ଦେଶର ଅର୍ଥବ୍ୟବସ୍ଥାକୁ ନୂଆ ଉଚ୍ଚତାରେ ପହଞ୍ଚାଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ । ସେ ଆହୁରି କହିଥିଲେ ଯେ ଭାରତର ଅଭିବୃଦ୍ଧି ହାରକୁ ନେଇ ବିଶ୍ୱର ଜଣାଶୁଣା ଅନୁଷ୍ଠାନ ଗୁଡ଼ିକ ଅତ୍ୟନ୍ତ ଆଶାବାଦୀ ରହିଛନ୍ତି। ଭାରତର ଦ୍ରୁତ ଅଭିବୃଦ୍ଧି ସହିତ ବଢ଼ୁଥିବା ନିଯୁକ୍ତି ସୁଯୋଗ, ଏକ ବିଶା କାର୍ଯ୍ୟବଳ ଜନସଂଖ୍ୟା ଏବଂ ବଢ଼ୁଥିବା ଶ୍ରମ ଉତ୍ପାଦକତା ଉପରେ ବିଶ୍ୱସ୍ତରୀୟ ନିବେଶ ମାନ୍ୟତା ପ୍ରଦାନକାରୀ ସଂସ୍ଥାମାନେ ମାନ୍ୟତା ଦେଇଛନ୍ତି ବୋଲି ଶ୍ରୀ ମୋଦୀ ସୂଚନା ଦେଇଥିଲେ । ସେ  ଏହାର ଏକ ପ୍ରମୁଖ କାରଣ ଭାବେ ଭାରତର ଉତ୍ପାଦନ ଓ ନିର୍ମାଣ କ୍ଷେତ୍ରର ଶକ୍ତି ଉପରେ ମଧ୍ୟ ଆଲୋକପାତ କରିଥିଲେ। ଆଗାମୀ ଦିନରେ ଭାରତରେ ରୋଜଗାର ଓ ଆତ୍ମନିଯୁକ୍ତିର ଅନେକ ସମ୍ଭାବନା ସୃଷ୍ଟି ହେବ ବୋଲି ଏହି ତଥ୍ୟ ପ୍ରମାଣ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଭାରତରେ ହେଉଥିବା ବିକାଶର ସୁଫଳ ଯେପରି ସମାଜର ଶେଷ ବ୍ୟକ୍ତିଙ୍କ ପାଖରେ ପହଞ୍ଚିପାରିବ ସେଥିପାଇଁ ସରକାରୀ କର୍ମଚାରୀ ଭାବରେ ନିଯୁକ୍ତି ପାଇଥିବା ଲୋକମାନଙ୍କ ଭୂମିକା ଉପରେ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । କୌଣସି ଅଞ୍ଚଳ ଯେତେ ଦୂରରେ ଥାଉ ନା କାହିଁକି, ଏହା ଆପଣଙ୍କ ପ୍ରାଥମିକତା ହେବା ଉଚିତ। ଜଣେ ବ୍ୟକ୍ତି ଯେତେ ଦୁର୍ଗମ ସ୍ଥାନରେ ରହିଥାଆନ୍ତୁ ନା କାହିଁକି, ଆପଣଙ୍କୁ ତାଙ୍କ ପାଖରେ ପହଞ୍ଚିବାକୁ ପଡ଼ିବ। ଏକ ବିକଶିତ ଭାରତର ସ୍ୱପ୍ନ ସେତେବେଳେ ସାକାର ହେବ ଯେତେବେଳେ ନବନିଯୁକ୍ତ ବ୍ୟକ୍ତିମାନେ ଭାରତ ସରକାରଙ୍କ କର୍ମଚାରୀ ଭାବରେ ଏହି ଆଭିମୁଖ୍ୟ ସହିତ ଆଗକୁ ବଢ଼ିବେ ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ ।

ଦେଶ ପାଇଁ ଆଗାମୀ ୨୫ ବର୍ଷ ସମୟର ଗୁରୁତ୍ୱ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ନୂତନ ଶିକ୍ଷଣ ମଡ୍ୟୁଲ୍ ‘କର୍ମଯୋଗୀ ପ୍ରାରମ୍ଭ’ ସହିତ ଯୋଡ଼ି ହୋଇ ସେମାନଙ୍କ ପ୍ରଶିକ୍ଷଣ ପ୍ରକ୍ରିୟା ଜାରି ରଖିବାକୁ ସେ ନବନିଯୁକ୍ତମାନଙ୍କୁ ଅନୁରୋଧ କରିଥିଲେ। ବର୍ଷେ ତଳେ ‘କର୍ମଯୋଗୀ ପ୍ରାରମ୍ଭ’ ମଡ୍ୟୁଲ୍ ଆରମ୍ଭ ହେବା ପରଠାରୁ ଲକ୍ଷ ଲକ୍ଷ ନୂଆ ସରକାରୀ କର୍ମଚାରୀ ତାଲିମ ନେଇଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ଅନ୍ ଲାଇନ୍ ପ୍ରଶିକ୍ଷଣ ପ୍ଲାଟଫର୍ମ ଆଇଜିଓଟି କର୍ମଯୋଗୀରେ ୮୦୦ରୁ ଅଧିକ ପାଠ୍ୟକ୍ରମ ଉପଲବ୍ଧ ରହିଛି। ‘‘ଏହାକୁ ଆପଣଙ୍କ ଦକ୍ଷତା ବୃଦ୍ଧି ପାଇଁ ବ୍ୟବହାର କରନ୍ତୁ”, ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ । ନୂଆକରି ନିଯୁକ୍ତି ପାଇଥିବା ପ୍ରାର୍ଥୀମାନଙ୍କୁ ସେମାନଙ୍କ ସଫଳତା ପାଇଁ ଶ୍ରୀ ମୋଦୀ ପୁଣି ଥରେ ଅଭିନନ୍ଦନ ଜଣାଇଥିଲେ । ରାଷ୍ଟ୍ର ନିର୍ମାଣ ଦିଗରେ ଆପଣଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ।

ପୃଷ୍ଠଭୂମି

ରୋଜଗାର ମେଳା ହେଉଛି ନିଯୁକ୍ତି ସୃଷ୍ଟିକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ପୂରଣ ଦିଗରେ ଏକ ପଦକ୍ଷେପ । ରୋଜଗାର ମେଳା ଅଧିକ ନିଯୁକ୍ତି ସୃଷ୍ଟିରେ ଏକ ଉତ୍‌ପ୍ରେରକ ଭାବରେ କାର୍ଯ୍ୟ କରିବ ଏବଂ ଯୁବକମାନଙ୍କୁ ସେମାନଙ୍କ ସଶକ୍ତିକରଣ ଓ ଜାତୀୟ ବିକାଶରେ ଅଂଶଗ୍ରହଣ ପାଇଁ ଅର୍ଥପୂର୍ଣ୍ଣ ସୁଯୋଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି ।

ନବନିଯୁକ୍ତମାନେ ସେମାନଙ୍କର ଅଭିନବ ଚିନ୍ତାଧାରା ଏବଂ ଭୂମିକା ସମ୍ବନ୍ଧୀୟ ଦକ୍ଷତା ସହିତ ଦେଶର ଶିଳ୍ପ, ଆର୍ଥିକ ଏବଂ ସାମାଜିକ ବିକାଶକୁ ସୁଦୃଢ଼ କରିବା କାର୍ଯ୍ୟରେ ଯୋଗଦାନ କରିବେ ଯାହା ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବାରେ ସହାୟକ ହେବ ।

ଆଇଜିଓଟି କର୍ମଯୋଗୀ ପୋର୍ଟାଲର ଅନଲାଇନ୍ ମଡ୍ୟୁଲ୍ କର୍ମଯୋଗୀ ପ୍ରାରମ୍ଭ ମାଧ୍ୟମରେ ନୂତନ ଭାବେ ନିଯୁକ୍ତି ପାଇଥିବା ପ୍ରାର୍ଥୀମାନେ ପ୍ରଶିକ୍ଷଣ ଗ୍ରହଣ କରିବାର ସୁଯୋଗ ପାଉଛନ୍ତି । ଏଥିରେ ଯେକୌଣସି ସ୍ଥାନରେ ଯେକୌଣସି ଡିଭାଇସ୍‌ ଜରିଆରେ ୮୦୦ରୁ ଅଧିକ ଇ-ଲର୍ଣ୍ଣିଂ ପାଠ୍ୟକ୍ରମ ଉପଲବ୍ଧ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ମଣିପୁର ହିଂସା ମଧ୍ୟରେ ଗୃହ ମନ୍ତ୍ରଣାଳୟର ବଡ କାର୍ଯ୍ୟାନୁଷ୍ଠାନ, ୯ ମୈତେଇ ଉଗ୍ରବାଦୀ ସଂଗଠନ ଉପରେ ପ୍ରତିବନ୍ଧକ

ନୂଆଦିଲ୍ଲୀ: ମଣିପୁରରେ ହୋଇଥିବା ହିଂସା ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ (MHA) ଆଜି ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ରାଷ୍ଟ୍ର ବିରୋଧୀ କାର୍ଯ୍ୟକଳାପ ତଥା ସୁରକ୍ଷା ବାହିନୀ ଉପରେ ଘାତକ ଆକ୍ରମଣ ପାଇଁ ମନ୍ତ୍ରଣାଳୟ ନଅଟି ମୈତେଇ ଉଗ୍ରବାଦୀ ସଂଗଠନ ଏବଂ ସେମାନଙ୍କ ସହଯୋଗୀ ସଂସ୍ଥା ଉପରେ ପ୍ରତିବନ୍ଧକ ଲଗାଇଛି।

ଗୃହ ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁଯାୟୀ ପାଞ୍ଚ ବର୍ଷ ପାଇଁ ନିଷେଧାଦେଶ ଘୋଷଣା କରାଯାଇଥିବା ଗୋଷ୍ଠୀ ମଧ୍ୟରେ ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ) ଏବଂ ଏହାର ରାଜନୈତିକ ଶାଖା, ରିଭୋଲ୍ୟୁସନାରୀ ପିପୁଲ୍ସ ଫ୍ରଣ୍ଟ (ଆରପିଏଫ୍), ୟୁନାଇଟେଡ୍ ନ୍ୟାସନାଲ ଲିବରେସନ୍ ଫ୍ରଣ୍ଟ (ୟୁଏନ୍ଏଲ୍ଏଫ୍) ଏବଂ ଏହାର ସଶସ୍ତ୍ର ଶାଖା ମଣିପୁର ପିପୁଲ୍ସ ଆର୍ମି (MPA) ଅନ୍ତର୍ଭୁକ୍ତ ଅଟେ।

ଏଥିମଧ୍ୟରେ ପିପୁଲ୍ସ ରିଭୋଲ୍ୟୁସନାରୀ ପାର୍ଟି ଅଫ୍ କାଙ୍ଗଲେଇପାକ୍ (PREPAK) ଏବଂ ଏହାର ସଶସ୍ତ୍ର ଶକା ରେଡ୍ ଆର୍ମି, କାଙ୍ଗଲେଇପାକ୍ କମ୍ୟୁନିଷ୍ଟ ପାର୍ଟି (କେସିପି), ଏହାର ସଶସ୍ତ୍ର ଶାଖା (ରେଡ୍ ଆର୍ମି ଭାବରେ ମଧ୍ୟ ଜଣାଶୁଣା), କାଙ୍ଗଲେଇ ୟାଓଲ୍ କନବା ଲୁପ୍ (KYKL) ଅନ୍ତର୍ଭୁକ୍ତ। କୋର୍ଡିନେସନ କମିଟି (କୋରକୋମ୍) ଏବଂ ASUK ମଧ୍ୟ ଅନ୍ତର୍ଭୁକ୍ତ।

Categories
ଆଜିର ଖବର ଜାତୀୟ ଖବର

ନଭେମ୍ବର ୨୦୨୨ରୁ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ବିଚାରାଧୀନ ମାମଲା ହ୍ରାସ ପାଇଁ ସ୍ୱତନ୍ତ୍ର ଅଭିଯାନ ଅନୁଷ୍ଠିତ

ନୂଆଦିଲ୍ଲୀ: ଗୃହ ମନ୍ତ୍ରଣାଳୟ ନଭେମ୍ବର ୨୦୨୨ରୁ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ମାସିକ ଭିତ୍ତିରେ ବିଚାରାଧୀନ ମାମଲାକୁ ହ୍ରାସ କରିବା ପାଇଁ ସ୍ୱତନ୍ତ୍ର ଅଭିଯାନ ଆୟୋଜନ କରିଥିଲା। ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ସ୍ଥାନରେ ସମୁଦାୟ ୩୪୩୮ଟି ସ୍ୱଚ୍ଛତା ଅଭିଯାନ ପରିଚାଳିତ ହୋଇଛି, ଯେଉଁଥିରେ ସର୍ବସାଧାରଣ ଚଳପ୍ରଚଳ ଥିବା କ୍ଷେତ୍ର/ବାହାର କାର୍ଯ୍ୟାଳୟ ଉପରେ ବିଶେଷ ଧ୍ୟାନ ଦିଆଯାଇଛି।

ଉକ୍ତ ସମୟ ମଧ୍ୟରେ ୬୩୨ଟି ସାଂସଦ ରେଫରେନ୍ସ, ୩୭ଟି ସଂସଦୀୟ ପ୍ରତିଶ୍ରୁତି, ୬ଟି କ୍ୟାବିନେଟ୍ ପ୍ରସ୍ତାବ, ୨୧୩ଟି ରାଜ୍ୟ ସରକାରଙ୍କ ରେଫରେନ୍ସ ଏବଂ ୪୭ଟି ପିଏମଓ ରେଫରେନ୍ସର ସମାଧାନ କରାଯାଇଥିଲା। ସେହିପରି ନଭେମ୍ବର ୨୦୨୨ରୁ ଅଗଷ୍ଟ ୨୦୨୩ ମଧ୍ୟରେ ମିଳିଥିବା ମୋଟ ୩୮,୫୫୦ ଟି ଜନ ଅଭିଯୋଗ ଏବଂ ୪,୧୫୯ ଟି ପିଜି ଆବେଦନକୁ ମନ୍ତ୍ରଣାଳୟ ଦ୍ୱାରା ସମାଧାନ କରାଯାଇଛି ।

ସିଏପିଏଫ୍ କାର୍ଯ୍ୟାଳୟରେ ସମୁଦାୟ ୨୫,୫୦୪ ବର୍ଗଫୁଟ ଜାଗା ମୁକ୍ତ କରାଯାଇଛି।
ଏହାବ୍ୟତୀତ ମନ୍ତ୍ରଣାଳୟ ଅଧୀନରେ ଥିବା ସମସ୍ତ ବିଭାଗ ସହ ଦକ୍ଷତାର ସହ ସମନ୍ୱୟ ରକ୍ଷା କରିବା ପାଇଁ ଏକ ଆନ୍ତଃ ମନ୍ତ୍ରଣାଳୟ ପୋର୍ଟାଲ ବିକଶିତ କରାଯାଇଛି । ଏହା ହେଉଛି ମନ୍ତ୍ରଣାଳୟର ସର୍ବୋତ୍ତମ ଅଭ୍ୟାସ ଯେଉଁଥିରେ ସମସ୍ତ ବିଭାଗ ସ୍ୱତନ୍ତ୍ର ଅଭିଯାନ ସମ୍ବନ୍ଧୀୟ ତଥ୍ୟ ଅପଲୋଡ୍ କରନ୍ତି । ଏହା ଦ୍ୱାରା କୌଣସି ବିଳମ୍ବକୁ ରୋକିବା ପାଇଁ ଠିକ୍ ସମୟରେ ସଠିକ ତଥ୍ୟ ହାସଲ କରିବାରେ ସହାୟକ ହୋଇଛି ।

ସ୍ୱତନ୍ତ୍ର ଅଭିଯାନର ପୂର୍ବ କାର୍ଯ୍ୟକ୍ରମଗୁଡ଼ିକର ସଫଳତାରେ ଉତ୍ସାହିତ ହୋଇ ଗୃହ ମନ୍ତ୍ରଣାଳୟ ପ୍ରଶାସନିକ ସଂସ୍କାର ଓ ସାଧାରଣ ଅଭିଯୋଗ ବିଭାଗ (ଡିଏଆରପିଜି) ଦ୍ୱାରା କରାଯାଉଥିବା ସ୍ୱତନ୍ତ୍ର ଅଭିଯାନ ୩.୦ର ପ୍ରସ୍ତୁତି ପର୍ଯ୍ୟାୟ (୧୫-୩୦ ସେପ୍ଟେମ୍ବର, ୨୦୨୩) ଏବଂ କାର୍ଯ୍ୟାନ୍ୱୟନ ପର୍ଯ୍ୟାୟ (୦୨-୩୧ ଅକ୍ଟୋବର, ୨୦୨୩) ସମୟରେ ସକ୍ରିୟ ଅଂଶୀଦାର ଭାବରେ କାର୍ଯ୍ୟ କରିବାକୁ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ। ଗୃହ ମନ୍ତ୍ରଣାଳୟରେ ଆୟୋଜିତ ଏହି ସ୍ୱତନ୍ତ୍ର ଅଭିଯାନ ସ୍ଥାୟୀ ଏବଂ ପରିବେଶ ଅନୁକୂଳ କର୍ମକ୍ଷେତ୍ର ଉପରେ ଧ୍ୟାନ ଦେଉଛି ।

୨ଅକ୍ଟୋବର ୨୦୨୩ରୁ ୩୧ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ହେବାକୁ ଥିବା ସ୍ବତନ୍ତ୍ର ଅଭିଯାନ ୩.୦ ଉପରେ ସର୍ବୋଚ୍ଚ ସ୍ତରରେ ନଜର ରଖାଯାଉଛି। ସମସ୍ତ ସିଏପିଏଫ୍ ଏବଂ ସିପିଓମାନଙ୍କୁ ସ୍ୱତନ୍ତ୍ର ଅଭିଯାନ ୩.୦ର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରାଯାଇଛି ଏବଂ ଚିହ୍ନଟ କରାଯାଇଥିବା ମାନଦଣ୍ଡ ଅନୁଯାୟୀ ସର୍ବୋତ୍ତମ ଫଳାଫଳ ପାଇଁ ମିଳିତ ଭାବରେ କାର୍ଯ୍ୟ କରିବାକୁ ଉତ୍ସାହିତ କରାଯାଇଛି।
ସମସ୍ତଙ୍କ ପାଇଁ ଏକ ସ୍ଥାୟୀ ଭବିଷ୍ୟତ ଆଡକୁ ଅଗ୍ରସର ହେଉଥିବା ବେଳେ କର୍ମକ୍ଷେତ୍ରରେ ଉତ୍ତମ ଅଭ୍ୟାସ ପ୍ରତି ଆଚରଣ/ଆଚରଣମନୋଭାବରେ ପରିବର୍ତ୍ତନ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଯୁବଶକ୍ତିଙ୍କ ପାଇଁ ସୁଯୋଗର ନୂତନ ଦ୍ୱାର ଖୋଲିବ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସିଏପିଏଫ କନଷ୍ଟେବଳ (ଜେନେରାଲ ଡ୍ୟୁଟି) ପଦବୀ ପାଇଁ ଅନୁଷ୍ଠିତ ଲିଖିତ ପରୀକ୍ଷା ଓଡ଼ିଆ ସମେତ ୧୩ଟି ଆଞ୍ଚଳିକ ଭାଷାରେ କରାଯିବା ନିଷ୍ପତିକୁ ଟ୍ୱିଟ୍ କରି ସ୍ୱାଗତ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏହି ନିଷ୍ପତି ଆମର ଭାଷା ବିବିଧତାକୁ ପାଳନ କରିବାର ଅବସର ଦେଇଛି। ଭାରତୀୟ ଭାଷାର ପ୍ରଚାରକୁ ପ୍ରୋତ୍ସାହନ ଦେବା ସହ ଏହି ନିର୍ଣ୍ଣୟ ଯୁବଶକ୍ତିଙ୍କ ପାଇଁ ସୁଯୋଗର ନୂଆ ଦ୍ୱାର ଖୋଲିବ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ।

ସେ କହିଛନ୍ତି ଏହା ଏକ ଐତିହାସିକ ନିଷ୍ପତି। ସିଏପିଏଫ ପାଇଁ କନଷ୍ଟେବଳ ପରୀକ୍ଷା ଇଂରାଜୀ ଓ ହିନ୍ଦୀ ଭାଷା ବ୍ୟତିତ ୧୩ଟି ଭାରତୀୟ ଭାଷାରେ ହେବା ଦ୍ୱାରା ଅଧିକ ସଂଖ୍ୟକ ଯୁବବର୍ଗମାନେ ଉପକୃତ ହେବେ। ବିଶେଷ ଭାବରେ ଗ୍ରାମାଞ୍ଚଳର ଯୁବବର୍ଗମାନେ ଏହାର ସୁବିଧା ପାଇପାରିବେ। ଏହି ନିର୍ଣ୍ଣୟ ସବୁ ଭାରତୀୟ ଭାଷାର ପ୍ରଚାର ପ୍ରସାର ଦିଗରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାର ପ୍ରତିଫଳନ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି।

ଉଲ୍ଲେଖନୀୟ ଯେ, କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ ନିର୍ଦ୍ଦେଶକ୍ରମେ ସିଏପିଏଫରେ ସ୍ଥାନୀୟ ଯୁବକମାନଙ୍କର ଭାଗିଦାରୀ ବଢ଼ାଇବା ଏବଂ ଆଞ୍ଚଳିକ ଭାଷାଗୁଡ଼ିକୁ ପ୍ରୋତ୍ସାହନ ଦେବା ଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏହି ଐତିହାସିକ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଣିକି ହିନ୍ଦୀ ଓ ଇଂରାଜୀ ବ୍ୟତୀତ ଓଡ଼ିଆ, ଅହମୀୟା, ବଙ୍ଗଳା, ଗୁଜରାଟୀ, ମରାଠୀ, ମାଲାୟଲମ, କନ୍ନଡ଼, ତାମିଲ, ତେଲୁଗୁ, ଊର୍ଦ୍ଦୁ, ପଞ୍ଜାବୀ, ମଣିପୁରୀ ଏବଂ କୋଙ୍କଣୀ ଭାଷା ଗୁଡ଼ିକରେ ସିଏପିଏଫ ପରୀକ୍ଷାରେ  ପ୍ରଶ୍ନପତ୍ର ପ୍ରସ୍ତୁତ ହେବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ଭୁବନେଶ୍ବରରେ ଅନୁଷ୍ଠିତ ହେବ ଆଞ୍ଚଳିକ ରାଜଭାଷା ସମ୍ମିଳନୀ ଓ ପୁରସ୍କାର ବିତରଣ ସମାରୋହ

ଭୁବନେଶ୍ବର: ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଅଧୀନ ରାଜଭାଷା ବିଭାଗ ପକ୍ଷରୁ ଆଜି ଆଞ୍ଚଳିକ ରାଜଭାଷା ସମ୍ମିଳନୀ ଆୟୋଜନ କରାଯିବ। ଭୁବନେଶ୍ବର ଆଚାର୍ଯ୍ୟ ବିହାର ସ୍ଥିତ ଖଣିଜ ଓ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇ ଆଇ ଏମ ଟି) ପରିସରରେ ଏହି ସମ୍ମିଳନୀ ଓ ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହେବ। ଆସନ୍ତାକାଲି ପୂର୍ବାହ୍ନ ସାଢ଼େ ୯ଟାରୁ କାର୍ଯ୍ୟକ୍ରମ ଆରମ୍ଭ ହେବ। ପୂର୍ବ ଏବଂ ଉତ୍ତର-ପୂର୍ବ କ୍ଷେତ୍ରର କେନ୍ଦ୍ର ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ଏହି ସମ୍ମିଳନୀରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ କୁମାର ମିଶ୍ର ଅଧ୍ୟକ୍ଷତା କରିବେ। ବିଶେଷ ଅତିଥି ଭାବେ ରାଜଭାଷା ଉପରେ ଗଠିତ ସଂସଦୀୟ ସମିତିର ଉପାଧ୍ୟକ୍ଷ ଭର୍ତ୍ତୃହରି ମହତାବ ଯୋଗ ଦେବେ। ଏହା ବ୍ୟତୀତ ରାଜଭାଷା ବିଭାଗର ଯୁଗ୍ମ ସଚିବ ଡକ୍ଟର ମୀନାକ୍ଷୀ ଜୋଲି, କେନ୍ଦ୍ର ସରକାର ଓ କେନ୍ଦ୍ର ସରକାରୀ ପ୍ରତିଷ୍ଠାନର ଅଧିକାରୀ ଓ କର୍ମଚାରୀମାନେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

ସମାରୋହରେ ଅତିଥିମାନେ ରାଜଭାଷାର ପ୍ରଚାରପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା କେନ୍ଦ୍ର ସରକାରୀ ଅଧିକାରୀ, ବ୍ୟାଙ୍କ ଓ ଉଦ୍ୟୋଗମାନଙ୍କୁ ବିଭିନ୍ନ ବର୍ଗରେ ପୁରସ୍କୃତ କରିବେ। ରାଜଭାଷା ସମ୍ମିଳନୀ ଆୟୋଜନ ସମ୍ପର୍କରେ ଆଜି ଯୁଗ୍ମ ସଚିବ ଡକ୍ଟର ଜୋଲି ଗଣମାଧ୍ୟମକୁ ଏହି ସୂଚନା ଦେଇଥିଲେ।

ସୂଚନାଯୋଗ୍ୟ ଯେ ସମ୍ବିଧାନର ଅନୁଚ୍ଛେଦ ୩୪୩ ଅନୁଯାୟୀ, ହିନ୍ଦୀ ଭାଷା ଓ ଦେବନାଗରୀ ଲିପିକୁ ରାଜଭାଷା ଭାବେ ଗ୍ରହଣ କରାଯାଇଛି। ହିନ୍ଦୀ ଭାଷାର ବିକାଶ ପାଇଁ ସମ୍ବିଧାନର ଅନୁଚ୍ଛେଦ ୩୫୧ରେ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଛି। ରାଜଭାଷା ହିନ୍ଦୀର ପ୍ରୋତ୍ସାହନ ପାଇଁ ପ୍ରତ୍ୟେକ ଆର୍ଥିକ ବର୍ଷରେ ରାଜଭାଷା ବିଭାଗ ପକ୍ଷରୁ ଚାରିଟି ଆଞ୍ଚଳିକ ସମ୍ମିଳନୀ ଆୟୋଜନ କରାଯାଇଥାଏ।

Categories
ଜାତୀୟ ଖବର ବିଶେଷ ଖବର

ଦେଶର ୭୫ ହଜାର ଯୁବକଙ୍କୁ ‘ଦିୱାଲୀ ଉପହାର’ ଦେବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଦିୱାଲୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ୭୫ ହଜାର ଯୁବକଙ୍କୁ ଚାକିରିର ଉପହାର ଦେବେ। ଅକ୍ଟୋବର ୨୨ ତାରିଖରେ, ଭିଡିଓ କନଫରେନ୍ସ ଜରିଆରେ ପିଏମ ମୋଦୀ ଦେଶର ଯୁବକମାନଙ୍କ ସହିତ ସଂଯୋଗ କରିବେ ଏବଂ ୭୫ ହଜାର ଯୁବକଙ୍କୁ ଚାକିରି ନିଯୁକ୍ତି ପତ୍ର ଦିଆଯିବ। ଏହି କାର୍ଯ୍ୟଗୁଡିକ ବିଭିନ୍ନ ମନ୍ତ୍ରଣାଳୟରେ ଦିଆଯିବ, ଯାହା ହେଉଛି ପ୍ରତିରକ୍ଷା, ରେଳବାଇ, ପୋଷ୍ଟ, ଗୃହ ମନ୍ତ୍ରଣାଳୟ, ସିଏସ୍ଏଫ୍, ଶ୍ରମ ଏବଂ ନିଯୁକ୍ତି, ସିବିଆଇ, କଷ୍ଟମ୍ସ, ବ୍ୟାଙ୍କ, CAF ଇତ୍ୟାଦି। ଆସନ୍ତା ବର୍ଷ ଡିସେମ୍ବର ସୁଦ୍ଧା ଏକ ଲକ୍ଷ ଚାକିରି ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସହରର କେନ୍ଦ୍ର ମନ୍ତ୍ରୀମାନେ ମଧ୍ୟ ସାମିଲ ହେବେ। ଏହା ସହିତ ସାଂସଦମାନେ ସେମାନଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀରୁ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ଓଡ଼ିଶାରୁ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଗୁଜୁରାଟର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ, ଚଣ୍ଡିଗଡ଼ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର, ମହାରାଷ୍ଟ୍ରର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ଯୋଗଦେବେ। ରାଜସ୍ଥାନରୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ତାମିଲନାଡୁର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଉତ୍ତରପ୍ରଦେଶର ଭାରୀ ଶିଳ୍ପ ମନ୍ତ୍ରୀ ମହେନ୍ଦ୍ର ପାଣ୍ଡେ, ଝାଡଖଣ୍ଡର ଅର୍ଜୁନ ମୁଣ୍ଡା, ବିହାରର ଗିରିରାଜ ସିଂ ଯୋଗଦେବେ।

ଏହା ବ୍ୟତୀତ, ଅକ୍ଟୋବର ୨୨ ତାରିଖରେ, ଧନତେରାସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରାୟ ୪.୫୦ ଲକ୍ଷ ହିତାଧିକାରୀଙ୍କ ଘର ପ୍ରବେଶରେ ଅଂଶଗ୍ରହଣ କରିବେ। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଙ୍ଗଳବାର ଦିନ ଏନେଇ ସୂଚନା ଦେଇଥିଲେ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଏନଆଇଏ ଚଢାଉ ପରେ PFI ଉପରେ ଲାଗିଲା ପ୍ରତିବନ୍ଧକ, ଗୃହ ମନ୍ତ୍ରଣାଳୟ ଜାରି କଲା ନିର୍ଦ୍ଦେଶ

ନୂଆଦିଲ୍ଲୀ: ଗୃହ ମନ୍ତ୍ରଣାଳୟରୁ ଏକ ବଡ ଖବର ଆସିଛି। ଯେଉଁଥିରେ କୁହାଯାଇଛି ଯେ ବିବାଦୀୟ ସଂଗଠନ ପିଏଫ୍ଆଇ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହି ସଂଗଠନ ବିରୋଧରେ ଗତ କିଛି ଦିନ ଧରି ସାରା ଦେଶରେ ଚଢାଉ ଚାଲିଥିଲା, ପରେ ଏହି ବଡ ପଦକ୍ଷେପ ନିଆଯାଇଛି। PFI କୁ ଏକ ବେଆଇନ ସଂଗଠନ ଭାବରେ ଘୋଷଣା କରି ଆସନ୍ତା ପାଞ୍ଚ ବର୍ଷ ପାଇଁ ଏହାକୁ ନିଷେଧ କରାଯାଇଛି। ଏହା ସହିତ ଜଡିତ ଅନ୍ୟ ସମସ୍ତ ସଂସ୍ଥା ପାଇଁ ମଧ୍ୟ ଏହି ପ୍ରତିବନ୍ଧକ ପ୍ରଯୁଜ୍ୟ ହେବ। ଏହାପୂର୍ବରୁ ଦେଶର ସମସ୍ତ ରାଜ୍ୟରେ ଏନଆଇଏ ଦ୍ୱାରା ଏହି ସଂଗଠନ ବିରୋଧରେ ଚଢାଉ କରାଯାଇଥିଲା, ଏହି ଚଢାଉ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଏଜେନ୍ସିକୁ ମିଳିଥିଲା। ଏଥିରେ ଆତଙ୍କବାଦୀ ଲିଙ୍କ୍ ଅଭିଯୋଗ ମଧ୍ୟ ଅନ୍ତର୍ଭୁକ୍ତ ଅଛି।

ରିହେବ ଇଣ୍ଡିଆ ଫାଉଣ୍ଡେସନ (RIF), କ୍ୟାମ୍ପସ ଫ୍ରଣ୍ଟ ଅଫ ଇଣ୍ଡିଆ (CFI), ଅଲ ଇଣ୍ଡିଆ ଇମାମ କାଉନସିଲ (AIIC), ନ୍ୟାସନାଲ କନଫେଡେରେସନ୍ ଅଫ୍ ହ୍ୟୁମାନ ରାଇଟସ ଅର୍ଗାନାଇଜେସନ (NCHRO), ନ୍ୟାସନାଲ ଓମେନ ଫ୍ରଣ୍ଟ, ଏମପାୱାର ଫାଉଣ୍ଡେସନ, ରେହବ ଫାଉଣ୍ଡେସନ ଏବଂ କେରଳର ସହଯୋଗୀ ସଂଗଠନ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ପି୧୭ଏ ର ପଂଚମ ଷ୍ଟେଲ୍‌ଥ ଫ୍ରିଗେଟ୍/ଯୁଦ୍ଧ ଜାହାଜ ତାରାଗିରିର ଶୁଭାରମ୍ଭ

ଦିଲ୍ଲୀ: ଏମ୍‌ଡିଏଲ୍ ଦ୍ୱାରା ନିର୍ମିତ ପି୧୭ଏର ପଂଚମ ଷ୍ଟେଲ୍ ଫ୍ରିଗେଟ୍ / ଯୁଦ୍ଧ ଜାହାଜକୁ ଆଜି ଏନ୍‌ଡବ୍ଲ୍ୟୁଡବ୍ଲ୍ୟୁଏ (ପଶ୍ଚିମ କ୍ଷେତ୍ର)ର ଅଧ୍ୟକ୍ଷା ଚାରୁ ସିଂହ ଶୁଭାରମ୍ଭ କରିଛନ୍ତି, ଯାହାକୁ ସେ ‘ତାରାଗିରି’ ଭାବେ ନାମିତ କରି ଥିଲେ। ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି କରା ଯାଇଥିବା ବିଜ୍ଞପ୍ତିରେ ୧୧ ସେପ୍ଟେମ୍ବର, ୨୦୨୨କୁ ଭାରତରେ ଜାତୀୟ ଶୋକ ଦିବସ ଘୋଷିତ କରା ଯାଇଥିଲା, ଯାହାର ଅନୁପାଳନ କରି, ଏହି କାର୍ଯ୍ୟକ୍ରମକୁ ପ୍ରଯୁକ୍ତିଗତ ଭାବେ ଆରମ୍ଭ କରା ଯିବାରେ ସୀମିତ ରଖା ଯାଇଥିଲା। କାରଣ ଯୁଦ୍ଧ ଜାହାଜକୁ ଲଂଚ୍ କରିବା ନିମନ୍ତେ ଜୁଆର – ଭଟ୍ଟାର ସ୍ଥିତି ନିହାତି ରୂପେ ଅନୁକୂଳ ହେବା ଆବଶ୍ୟକ ହୋଇଥାଏ , ଏଥିପାଇଁ କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯିବାର କୌଣସି ସମ୍ଭାବନା ନଥିଲା। ପଶ୍ଚିମ କ୍ଷେତ୍ରର ନୌସେନା କମାଣ୍ଡର ଫ୍ଲାଗ୍ ଅଫିସର କମାଣ୍ଡିଂ – ଇନ୍ – ଚିଫ୍ ଭାଇସ୍ ଆଡମିରାଲ୍ ଅଜେନ୍ଦ୍ର ବାହାଦୂର ସିଂହ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଥିଲେ। ଏହି ସମାରୋହରେ ଯୁଦ୍ଧ ଜାହାଜ ଉତ୍ପାଦନ ଏବଂ ଅଧିଗ୍ରହଣ ନିୟନ୍ତ୍ରକ ଭାଇସ୍ ଆଡମିରାଲ୍ କିରଣ ଦେଶମୁଖ ତଥା ଭାରତୀୟ ନୌସେନା ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟର ଅନେକ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ।

ୱାରସିପ୍ ଡିଜାଇନ୍ ବ୍ୟୁରୋ (ଡବ୍ଲ୍ୟୁଡିବି) ଏବଂ ଏମ୍‌ଡିଏଲ୍‌ର ଦଳ ଏକାଠି ହୋଇ ଅତୀତରେ ମଧ୍ୟ ଏକାଧିକ ସଫଳ ଲଂଚ କରିଛନ୍ତି ଏବଂ ଏହି ଭଳି ଭାବେ ସେମାନେ ନିଜର ବିଶେଷଜ୍ଞତାକୁ ଆଗକୁ ପ୍ରଦର୍ଶନ କରିବେ ଏବଂ ଏହି ଥର ପୁଣି ଗର୍ବର ସହିତ ପାନ୍‌ଟୁନ୍‌ର ସହାୟତାରେ ଯୁଦ୍ଧ ଜାହାଜକୁ ଲଂଚ୍ କରା ଯାଇଛି। ଏହାର ଶୁଭାରମ୍ଭ କରା ଯିବା ପରେ ‘ତାରାଗିରି’ ଏମ୍‌ଡିଏଲ୍‌ରେ ନିଜର ଦୁଇ ସାଥୀ ଜାହାଜ ଗୁଡିକ ସହିତ ସାମିଲ୍ ହୋଇ ଯିବ। ଏହା ପରେ ଏହାକୁ ସାମରିକ ଉପକରଣରେ ସଜ୍ଜିତ କରି ଭାରତୀୟ ନୌସେନାକୁ ପ୍ରଦାନ କରାଯିବ।

ସାତ ପି୧୭ଏ ଫ୍ରିଗେଟ୍ ଏମ୍‌ଡିଏଲ୍ ଏବଂ ଜିଆର୍‌ଏସ୍‌ଇରେ ନିର୍ମାଣର ବିଭିନ୍ନ ପର୍ଯ୍ୟାୟ ଗୁଡିକ ଦେଇ ଗତି କରୁଛି। ଷ୍ଟେଲ୍‌ଥ ଫ୍ରିଗେଟ୍ ଭଳି ପ୍ରମୁଖ ଶ୍ରେଣୀର ଜଟିଳ ଜାହାଜ ଗୁଡିକର ସ୍ୱଦେଶୀ ନିର୍ମାଣ ଦେଶକୁ ଜାହାଜ ନିର୍ମାଣ କ୍ଷେତ୍ରରେ ଉଚ୍ଚ ସ୍ଥାନ ପ୍ରଦାନ କରିଛି। ଏହା ଅନେକ ପ୍ରକାରର ଅତିରିକ୍ତ ଲାଭ ମଧ୍ୟ ପ୍ରଦାନ କରୁଛି, ଯେପରି ଆର୍ଥିକ ବିକାଶ, ଭାରତୀୟ ସିପ୍‌ୟାର୍ଡ ତଥା ଏହାର ଉପ – ଠିକାଦାର ଏବଂ ସହାୟକ ଉଦ୍ୟୋଗ ଗୁଡିକରେ ଅଧିକରୁ ଅଧିକ ରୋଜଗାର ସୃଷ୍ଟି ହେବାରେ ଲାଗିଛି। ଏହା ସହିତ ଲଗାତାର ଭାବରେ ସେମାନଙ୍କୁ କାମ ମିଳିବାରେ ଲାଗିଛି। ଏହା ପରେ ମଧ୍ୟ ପ୍ରକଳ୍ପ୧୭ଏର ୭୫ ପ୍ରତିଶତ ଅର୍ଡର (କାର୍ଯ୍ୟାଦେଶ) ସ୍ୱଦେଶୀ ଫାର୍ମ ଗୁଡିକୁ ଦିଆ ଯାଇଛି, ଯେଉଁଥିରେ ଅଣୁ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ଗୁଡିକ ସାମିଲ୍ ଅଛନ୍ତି। ଏହି ଭଳି ଭାବରେ ଦେଶର ‘ଆତ୍ମ ନିର୍ଭର ଭାରତ’ର ପ୍ରକଳ୍ପକୁ ଶକ୍ତି ମିଳିବାରେ ଲାଗିଛି।

ଏହି ଅବସରରେ ଭାଇସ୍ ଆଡମିରାଲ୍ ଅଜେନ୍ଦ୍ର ବାହାଦୂର ସିଂହ, ଏଫ୍‌ଓସି – ଇନ୍ – ସି, ପଶ୍ଚିମ ନୌସେନା କମାଣ୍ଡ ମଝଗାଓଁ ଡକ୍ ସିପବିଲ୍ଡର୍ସ ଲିମିଟେଡ୍‌, ୱାରସିପ୍ ଡିଜାଇନ୍ ବ୍ୟୁରୋ ଏବଂ ଅନ୍ୟ ନୌସେନା ଦଳ ଗୁଡିକର ପ୍ରୟାସ ଗୁଡିକୁ ପ୍ରଶଂସା କରି କହିଥିଲେ ଯେ, ଏହି ସମସ୍ତ ଯୁଦ୍ଧ ଜାହାଜ ନିର୍ମାଣ ଦେଶର ଆତ୍ମନିର୍ଭରତାର ଭାବନାକୁ ଶକ୍ତି ପ୍ରଦାନ କରିଛି। ସେ ଆହୁରି ମଧ୍ୟ କହିଥିଲେ ଯେ, ‘ତାରାଗିରି’ ଯେତେବେଳେ ସମୁଦ୍ରର ନୀଳ ଜଳରାଶିରେ ବିଚରଣ କରିବା ଆରମ୍ଭ କରିବ, ସେତେବେଳେ ଭାରତୀୟ ନୌସେନାର ଶକ୍ତି ମଧ୍ୟ ବୃଦ୍ଧି ପାଇବ।

Categories
ଆଜିର ଖବର ଜାତୀୟ ଖବର

ଜମ୍ମୁ କାଶ୍ମୀର ସମ୍ବନ୍ଧରେ ଗୃହମନ୍ତ୍ରୀଙ୍କ ଉଚ୍ଚ ସ୍ତରୀୟ ବୈଠକ: ସୁରକ୍ଷା ଏଜେନ୍ସିର ମୁଖ୍ୟମାନେ ଦେଲେ ଯୋଗ

ନୂଆଦିଲ୍ଲୀ: ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ଜମ୍ମୁ କାଶ୍ମୀରକୁ ନେଇ ଏକ ଉଚ୍ଚ ସ୍ତରୀୟ ବୈଠକ ଆଜି ଗୃହ ମନ୍ତ୍ରଣାଳୟରେ ଆରମ୍ଭ ହୋଇଛି। ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏନଏସଏ ଅଜିତ ଡୋଭାଲ, କେନ୍ଦ୍ର ଗୃହ ସଚିବ ଅଜୟ ଭାଲା, ସେନା ମୁଖ୍ୟ ମନୋଜ ପାଣ୍ଡେ, ଜମ୍ମୁ କାଶ୍ମୀର ଉପ ରାଜ୍ୟପାଳ ମନୋଜ ସିହ୍ନା, ସିଆରପିଏଫ ଡିଡି କୁଲଦୀପ ସିଂ ଯୋଗ ଦେଇଛନ୍ତି।

ସୂତ୍ରରୁ ପ୍ରକାଶ ଯେ ଏଥିରେ ଜମ୍ମୁ-କଶ୍ମୀରର ବିକାଶ କାର୍ଯ୍ୟ ଏବଂ ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା କରାଯିବ। କାଶ୍ମୀର ପଣ୍ଡିତ ତଥା ଅଣ-କାଶ୍ମୀରବାସୀଙ୍କ ଉପରେ ହେଉଥିବା ଟାର୍ଗେଟ କିଲିଂକୁ ନେଇ ଏହି ବୈଠକରେ ମଧ୍ୟ ଆଲୋଚନା ହେବ।

Categories
ଆଜିର ଖବର ଜାତୀୟ ଖବର

ଅଗ୍ନିପଥ ଯୋଜନା ନେଇ ଗୃହ ମନ୍ତ୍ରଣାଳୟର ବଡ ନିଷ୍ପତ୍ତି, ଅଗ୍ନିବୀରଙ୍କ ପାଇଁ ସଂରକ୍ଷିତ ରହିବ ସିଟ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ଚାଲିଥିବା ଅଡୁଆ ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ଟୁଇଟ୍ କରାଯାଇଛି। ଯେଉଁଥିରେ କୁହାଯାଇଛି ଯେ, CAPF ଏବଂ ଆସାମ ରାଇଫଲ୍ସରେ ନିଯୁକ୍ତିରେ ୪ ବର୍ଷ ପୂରଣ କରିଥିବା ଅଗ୍ନିବୀରଙ୍କୁ କେତେ ପ୍ରତିଶତ ସଂରକ୍ଷଣ ପ୍ରଦାନ କରାଯିବ। ଗୃହ ବିଭାଗ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଏହି ପାରାମିଲିଟାରୀ ଫୋର୍ସରେ ଅଗ୍ନିବୀରଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଦେବାକୁ ନିଷ୍ପତ୍ତି ନିଆଯାଇଛି।

ଏହା ସହିତ ଗୃହ ମନ୍ତ୍ରଣାଳୟ CAPF ଏବଂ ଆସାମ ରାଇଫଲ୍ସରେ ନିଯୁକ୍ତି ପାଇଁ ଅଗ୍ନିବୀରଙ୍କୁ ଦିଆଯାଇଥିବା ସର୍ବାଧିକ ପ୍ରବେଶ ବୟସ ସୀମା ମଧ୍ୟରେ ୩ ବର୍ଷ ଆଶ୍ଵସ୍ତି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି। ଏବଂ ଅଗ୍ନିପଥ ଯୋଜନାର ପ୍ରଥମ ବ୍ୟାଚ୍ ପାଇଁ ଏହି ଆଶ୍ଵସ୍ତି ୫ ବର୍ଷ ହେବ।

କହିବାକୁ ଗଲେ ଗତ ଚାରି ଦିନ ଧରି ଦେଶର ବିଭିନ୍ନ ରାଜ୍ୟରେ ଅଗ୍ନିପଥ ଯୋଜନା ସମ୍ପର୍କରେ ପ୍ରଦର୍ଶନ ଚାଲିଛି। ଅନେକ ସ୍ଥାନରେ ପ୍ରଦର୍ଶନ ନାମରେ ନିଆଁ ଲଗାଇ ଦିଆଯାଉଛି। ଏହି ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର କରିବାକୁ ଦେଶର ଯୁବକମାନେ ସରକାରଙ୍କୁ ନିବେଦନ କରୁଛନ୍ତି। ଯଦିଓ ଯୁବକମାନଙ୍କୁ ଶାନ୍ତ କରିବା ପାଇଁ ସରକାର ଏହି ଯୋଜନାରେ ଅନେକ ପରିବର୍ତ୍ତନ କରୁଛନ୍ତି, ଏହା ପୂର୍ବରୁ ମଧ୍ୟ ନିଯୁକ୍ତି ଏବଂ ପାରାମିଲିଟାରୀ ଫୋର୍ସ ପାଇଁ ବୟସ ସୀମାକୁ ଅଗ୍ରାଧିକାର ଦିଆଯିବ ବୋଲି କୁହାଯାଇଥିଲା, କିନ୍ତୁ ଏହାର ମଧ୍ୟ କୌଣସି ପ୍ରଭାବ ପଡ଼ିଲା ନାହିଁ।

ଏହି ନିଯୁକ୍ତି ପାଇଁ ପ୍ରାଥମିକ ବିଜ୍ଞପ୍ତି ପ୍ରକାଶ କରି ଦୁଇ ଦିନ ମଧ୍ୟରେ ‘ଅଗ୍ନିପଥ’ ଯୋଜନା ଅଧୀନରେ ଏହି ପ୍ରକ୍ରିୟା ଆନୁଷ୍ଠାନିକ ଭାବେ ଆରମ୍ଭ ହେବ ବୋଲି ସେନା କହିଛି। ସେନା ଅଧିକାରୀ କହିଛନ୍ତି ଯେ, ପ୍ରାରମ୍ଭିକ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସେନାର ବିଭିନ୍ନ ଏଜେନ୍ସି ଏବଂ ପ୍ରତିଷ୍ଠାନଗୁଡ଼ିକ ନିଯୁକ୍ତି ପ୍ରକ୍ରିୟାର ସବିଶେଷ ତଥ୍ୟ ପ୍ରଦାନ କରିବେ ଯେପରିକି ଖାଲିଥିବା ପଦବୀ, ନିଯୁକ୍ତି ରାଲିର ସ୍ଥାନ ଏବଂ ପରୀକ୍ଷା ସୂଚୀ। ଅଧିକାରୀମାନେ କହିଛନ୍ତି ଯେ, ‘ଅଗ୍ନିପଥ’ ଯୋଜନା ଅଧୀନରେ ଡିସେମ୍ବର ସୁଦ୍ଧା ନିଯୁକ୍ତିର ତାଲିମ ଆରମ୍ଭ କରିବାକୁ ସେନା ଏକ ଲକ୍ଷ୍ୟ ସ୍ଥିର କରିଛି।

Categories
ବିଶେଷ ଖବର

ପଶ୍ଚିମବଙ୍ଗରେ ଧାରା ୩୫୫ ଲାଗୁ ହେବା ଉଚିତ: କଂଗ୍ରେସ ନେତା ଆଧୀର ରଂଜନ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଜଣେ ଟିଏମସି ନେତାଙ୍କ ହତ୍ୟା ପରେ ଘଟିଥିବା ହିଂସାରେ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ଏହି ପ୍ରସଙ୍ଗରେ ଗୃହ ମନ୍ତ୍ରଣାଳୟ ଏକ ରିପୋର୍ଟ ମାଗିଛି। ବର୍ତ୍ତମାନ ଏହି ମାମଲାରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ କହିଛନ୍ତି ଯେ, ଘଟଣାର ଅନୁସନ୍ଧାନ ପାଇଁ ଗଠିତ ଏସଆଇଟିର କୌଣସି ଲାଭ ନାହିଁ। ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ଭଙ୍ଗାଯାଉଛି। ବୀରଭୂମି ହିଂସା ମାମଲାରେ ସେ ରାଷ୍ଟ୍ରପତିଙ୍କୁ ଭେଟିବା ବିଷୟରେ କହିଛନ୍ତି। ଅଧୀର ରଂଜନ କହିଛନ୍ତି ଯେ, ବଙ୍ଗଳାର ଲୋକମାନେ ବର୍ତ୍ତମାନ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି।

ବୀରଭୂମି ଘଟଣା ସମ୍ପର୍କରେ ପଶ୍ଚିମବଙ୍ଗରେ ସମ୍ବିଧାନର ଧାରା ୩୫୫ କାର୍ଯ୍ୟକାରୀ କରିବାକୁ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ଅଧୀର ରଂଜନ ଚୌଧୁରୀ ଅନୁରୋଧ କରିଛନ୍ତି। “କଂଗ୍ରେସ ନେତା କହିଛନ୍ତି ଯେ, ବୀରଭୂମରେ ଏହି ଘଟଣାରେ ମୁଁ ରାଷ୍ଟ୍ରପତିଙ୍କୁ ଭେଟିବି ଏବଂ ତାଙ୍କୁ ରାଜ୍ୟରେ ଧାରା ୩୫୫ କୁ ବିଚାର କରିବା (କାର୍ଯ୍ୟକାରୀ କରିବା) ପାଇଁ ଦାବି କରିବି। କାରଣ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡି ଯାଉଛି, ତେଣୁ ଲୋକମାନେ ବଙ୍ଗଳାରେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ବଜାୟ ରଖିବା ପାଇଁ ଧାରା ୩୫୫ କେନ୍ଦ୍ର ସରକାରଙ୍କୁ ହସ୍ତକ୍ଷେପ କରିବାକୁ କ୍ଷମତା ପ୍ରଦାନ କରିଛି।

ମଙ୍ଗଳବାର ଦିନ ବୀରଭୂମର ପଶ୍ଚିମବଙ୍ଗର ରାମପୁରହାଟ ଅଞ୍ଚଳରେ ତୃଣମୂଳ କଂଗ୍ରେସ ନେତା ବାହାଦୂର ଶେଖଙ୍କ ହତ୍ୟା ପରେ ଏକ ଭିଡ ଅନେକ ଘରେ ନିଆଁ ଲଗାଇ ଦେଇଛନ୍ତି। ଅଗ୍ନିକାଣ୍ଡ ପରେ ଅତିକମରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବିରେ ଭାରତୀୟ ଜନତା ପାର୍ଟି ଦାବି କରିଛି। ଏହି ସମୟରେ ପଶ୍ଚିମବଙ୍ଗର ମହାନିର୍ଦ୍ଦେଶକ ପୋଲିସ (ଡିଜିପି) ମନୋଜ ମାଲବିୟା କହିଛନ୍ତି ଯେ, ଏପର୍ଯ୍ୟନ୍ତ ଏହି ମାମଲାରେ ୧୧ ଜଣ ଗିରଫ ହୋଇଛନ୍ତି। ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ, ଘଟଣାର ଅନୁସନ୍ଧାନ ପାଇଁ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଗଠନ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଜମ୍ମୁ କାଶ୍ମୀରରେ ଭିଲେଜ ଡ଼ିଫେନ୍ସ ଗ୍ରୁପ ଗଠନକୁ ଅନୁମୋଦନ ଦେଲା ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ଭିଲେଜ ଡ଼ିଫେନ୍ସ ଗ୍ରୁପ ଗଠନକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଆଜି ଅନୁମୋଦନ କରିଛି। ଭିଲେଜ ଡ଼ିଫେନ୍ସ ଗ୍ରୁପର ସଦସ୍ୟମାନଙ୍କୁ ଭିଲେଜ ଡ଼ିଫେନ୍ସ ଗାର୍ଡ ଭାବରେ ନିଯୁକ୍ତ କରାଯିବ। ଶ୍ରେଣୀ ଷଷ୍ଠ ବ୍ୟକ୍ତି ଯିଏ VDG ର ନେତୃତ୍ୱ/ ସଂଯୋଜନା କରିବେ, ତାଙ୍କୁ ପ୍ରତି ମାସରେ 4500 ଟଙ୍କା ଦିଆଯିବ। ସ୍ଵେଚ୍ଛାକୃତ ଭିତ୍ତିରେ ଏହି VDG ର ସଦସ୍ୟ ଥିବା ଅନ୍ୟ ବ୍ୟକ୍ତି (V2 ବର୍ଗ) ପ୍ରତି ମାସରେ ସମାନ ହାରରେ 4000 ଟଙ୍କା ପାଇବେ। ସଂପୃକ୍ତ ଜିଲ୍ଲାର ଏସପି /ଏସଏସପିଙ୍କ ନିର୍ଦ୍ଦେଶରେ ଭିଡିଜି କାର୍ଯ୍ୟ କରିବ।

ପ୍ରକାଶ ଥାଉ କି ଜମ୍ମୁ କାଶ୍ମୀରର ବିଜେପି ନେତାମାନେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଠାରୁ ଭିଲେଜ ଡ଼ିଫେନ୍ସ ଗ୍ରୁପ କମିଟିର ପୁନଃ ନିର୍ମାଣ ଦାବି କରିଥିଲେ। ଏହା ପରେ ଗୃହ ମନ୍ତ୍ରଣାଳୟ ବୁଧବାର ଦିନ ଜମ୍ମୁ କାଶ୍ମୀରରେ ଭିଲେଜ ଡ଼ିଫେନ୍ସ ଗ୍ରୁପ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

90 ଦଶକର ମଧ୍ୟଭାଗରେ ରାଜ୍ୟ ଦ୍ୱାରା ଭିଲେଜ ଡ଼ିଫେନ୍ସ ଗ୍ରୁପ ଗଠନ କରାଯାଇଥିଲା। ଆତ୍ମରକ୍ଷା ତଥା ଆତଙ୍କବାଦ ମୁକାବିଲା ପାଇଁ କିଷ୍ତୱାଡ, ଡୋଡା, ରିୟାସି, ରାମବନ୍, ପୁଞ୍ଚ ଏବଂ ରାଜୌରୀ ସମେତ ଜମ୍ମୁର ଅନ୍ୟାନ୍ୟ ଜିଲ୍ଲା ପାଇଁ ଏହା ପ୍ରତିଷ୍ଠା କରାଯାଇଥିଲା। ଏହି ସଶସ୍ତ୍ର ଗୋଷ୍ଠୀ ଆତଙ୍କବାଦ ମୁକାବିଲା ପାଇଁ ସରକାରୀ ବାହିନୀକୁ ସାହାଯ୍ୟ କରୁଥିଲେ। ତେବେ ଜମ୍ମୁରେ ଆତଙ୍କବାଦର ଗ୍ରାଫ ଆସିବା ପରେ ଭିଡିସିର କିଛି ସଦସ୍ୟ ମଧ୍ୟ ଅନେକ ଅପରାଧିକ ମାମଲାରେ ଜଡିତ ଥିଲେ।

2016 ରେ, ପିଡିପି-ବିଜେପି ମିଳିତ ସରକାର ବିଧାନସଭାକୁ କହିଥିଲେ ଯେ, ଭିଡିସି ସଦସ୍ୟଙ୍କ ବିରୋଧରେ 223 ଟି ମାମଲା ରୁଜୁ ହୋଇଥିଲା। ଯେଉଁଥିରେ 23 ଟି ହତ୍ୟା, 7 ଟି ବଳାତ୍କାର ମାମଲା ଏବଂ 15 ଟି ହିଂସା ମାମଲା ରହିଥିଲା।

Categories
ଆଜିର ଖବର ଜାତୀୟ ଖବର

ଶାୟନୀ ଘୋଷଙ୍କୁ ଗିରଫ ଘଟଣା: ଗୃହ ମନ୍ତ୍ରଣାଳୟ ସମ୍ମୁଖରେ ବିରୋଧ ପ୍ରଦର୍ଶନ କଲେ ଟିଏମସି ସାଂସଦ

ନୂଆଦିଲ୍ଲୀ: ତ୍ରିପୁରାରେ ପୋଲିସର ଅତ୍ୟାଚାର ଅଭିଯୋଗରେ ମମତା ବାନାର୍ଜୀଙ୍କ ପାର୍ଟି ତୃଣମୂଳ ସାଂସଦଙ୍କ ଏକ ପ୍ରତିନିଧୀ ଗୃହ ମନ୍ତ୍ରଣାଳୟ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଟିଏମସି ସାଂସଦମାନେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ପାଇଁ ସମୟ ମାଗିଛନ୍ତି। ଡେରେକ ଓ’ବ୍ରାଇନ୍, ସୁଖେନ୍ଦୁ ଶେଖର ରୟ, ଶାନ୍ତନୁ ସେନ୍, ଡୋଲା ସେନଙ୍କ ସମେତ ୧୬ ଜଣ ତୃଣମୂଳ ସାଂସଦ ଆଜି ସକାଳେ ଦିଲ୍ଲୀର ପାର୍ଟି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି।

ଗୃହ ମନ୍ତ୍ରଣାଳୟ ବାହାରେ ବିରୋଧ ବେଳେ ଟିଏମସି ସାଂସଦ ସୁଖେନ୍ଦୁ ଶେଖର ରୟ କହିଛନ୍ତି ଯେ, ତ୍ରିପୁରା ସରକାରଙ୍କୁ ବରଖାସ୍ତ କରାଯିବା ଉଚିତ। ତ୍ରିପୁରାରେ ଗୁଣ୍ଡାରାଜ ପ୍ରତିଷ୍ଠା କରାଯାଇଛି। ଆମେ ଗୃହମନ୍ତ୍ରୀଙ୍କୁ ଭେଟିବାକୁ ଚାହୁଁଥିଲୁ, କିନ୍ତୁ ସେ ଆମକୁ ସମୟ ଦେଇନାହାଁନ୍ତି। ଆମର ଟିଏମସି ଯୁବ ନେତାଙ୍କ ବିରୋଧରେ ଏକ ମିଥ୍ୟା ମାମଲା ରୁଜୁ ହୋଇଛି।

ଏଥି ସହ ଟିଏମସି ସାଂସଦ ସୌଗତ ରାୟ କହିଛନ୍ତି ଯେ, ତ୍ରିପୁରାରେ ଏହି ଘଟଣା ଗଣତନ୍ତ୍ର ଉପରେ ଆକ୍ରମଣ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ପାଇଁ ଆମେ ସମୟ ଖୋଜିଛୁ, କିନ୍ତୁ ଏପର୍ଯ୍ୟନ୍ତ ସମୟ ପାଇନାହୁଁ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଆସୁଛନ୍ତି, ସେ ଅନେକ ବିରୋଧୀ ଦଳର ନେତାଙ୍କ ସହ ଆଲୋଚନା କରିବେ।

କ’ଣ ରହିଛି ବିବାଦ?:

ପ୍ରକୃତରେ ଟିଏମସି ନେତା ଶାୟନୀ ଘୋଷଙ୍କୁ ତ୍ରିପୁରାରେ ଗିରଫ କରାଯାଇଛି। ଜଣେ ବିଜେପି କର୍ମୀ ଘୋଷଙ୍କୁ ଶନିବାର ରାତିରେ ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବଙ୍କ ଏକ ବୈଠକରେ ବାଧା ସୃଷ୍ଟି କରିଥିବା ଅଭିଯୋଗ କରିଛନ୍ତି। ଏହାସହିତ କର୍ମୀଙ୍କୁ ହତ୍ୟା ଏବଂ ଆକ୍ରମଣ ଅଭିଯୋଗରେ ମଧ୍ୟ ଅଭିଯୋଗ ହୋଇଛି। ବିଜେପି କହିଛି ଯେ, ଟିଏମସି କର୍ମୀ ଅସଲମ ଶେଖଙ୍କ ହତ୍ୟା ଟିଏମସି ମଧ୍ୟରେ ବିବାଦର ଫଳାଫଳ। ତ୍ରିପୁରାରେ ଟିଏମସି ହିଂସା ବିସ୍ତାର କରୁଛି। ଶାୟନୀ ଘୋଷଙ୍କ ଗିରଫଦାରୀକୁ ବିରୋଧ କରି ଟିଏମସି ବର୍ତ୍ତମାନ ତ୍ରିପୁରା ସରକାର ବିରୋଧରେ ଏକ ଫ୍ରଣ୍ଟ ଖୋଲିଛି।