ରଣପୁର: ଓଡିଶାର ଦ୍ୱିତୀୟ ଶ୍ରୀ କ୍ଷେତ୍ର ଭାବେ ପରିଚିତ ରଣପୁର ଗୁଣ୍ଡିଚା ରଥଯାତ୍ରାରେ ଆଜି ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି। ଆଜି ସକାଳ ୧୦ଟା ପର୍ଯ୍ୟନ୍ତ ତୁହାକୁ ତୁହା ବର୍ଷା ଲାଗି ରହିଥିଲା ହେଲେ ତିନି ଠାକୁରଙ୍କ ଧାଡ଼ି ପହଣ୍ଡି ବେଳକୁ ଅନୁକୂଳ ପାଗ ହେବାରେ ଭକ୍ତ ଙ୍କ ସୁଅ ଛୁଟିଥିଲା। ଯାହାଫଳରେ ଲୋକ ମାନେ ଦିନ ୧ ଟା ପରେ ବଢିବା ଆରମ୍ଭ ହୋଇଥିଲା। ଏପରି ଗହଳି ହୋଇଥିଲା ପୁଲିସ କୁ ବି ଭିଡ ସମ୍ପାଳିବାକୁ କଷ୍ଟକର ହୋଇପଡିଥିଲା । କିନ୍ତୁ ଚଳିତ ବର୍ଷ ରଥ ଛେରାପହଁରାରେ ଦେଖା ଦେଇଥିଲା ବ୍ୟତିକ୍ରମ।
ରଣପୁର ରାଜା ଦିଲ୍ଲୀପ ଚନ୍ଦ୍ର ସିଂହଦେଓ ରଥ ଛେରା ପହଁରା କରିବାକୁ ଆସି ଛେରା ପହଁରା ନକରି ଫେରିଯାଇଥିଲେ। ତିନି ଠାକୁର ରଥରୁଢ ହେବା ପରେ ଏକ ସୁସଜ୍ଜିତ ବିମାନରେ ରଣପୁର ରାଜା ସାହେବ ଆସି ବଳଭଦ୍ର ତାଳଧ୍ୟଜ ରଥରେ ଛେରା ପହଁରା କରିବା ପାଇଁ ପହଂଚିଥିଲେ। କିନ୍ତୁ ରାଜପୁରୋହିତ ପୁରୁଣା ବିବାଦକୁ ନେଇ ପୁଣି ବିତର୍କ ହେବା ପରେ ରାଜା ସାହେବ ଛେରା ପହଁରା ନକରି ଫେରି ଯାଇଥିଲେ। ରଥ ତଳେ ଉପସ୍ଥିତ ଥିବା ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢୀ ଓ ପୂର୍ବତନ ବିଧାୟକ ରବି ନାରାୟଣ ମହାପାତ୍ର ରାଜାଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କୌଣସି ସମାଧାନ ହୋଇପାରି ନଥିଲା ଯାହା ଫଳରେ ରାଜା ଛେରା ପହଁରା ନକରି ଫେରିଯାଇଥିଲେ। ପରେ ପୂର୍ବରୁ ରାଜପରୋହିତ ଭାବେ କାର୍ଯ୍ୟ କରୁଥିବା ବିଶ୍ୱନାଥ ଷଢଙ୍ଗୀ ଛେରା ପହଁରା କାର୍ଯ୍ୟ ତୁଲାଇଥିଲେ। ପରେ ଚାରମାଲ ଖୋଲାଯାଇ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଥମେ ବଳଭଦ୍ର ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଂଚିବା ପରେ ସୁଭଦ୍ରାଙ୍କ ରଥକୁ ପ୍ରତିବର୍ଷ ଭଳି ମହିଳା ମାନେ ଟାଣିନେଇ ଗୁଣ୍ଡିଚା ମନ୍ଦିର ନିକଟରେ ପହଂଚାଇଥିଲେ।
ମାଦଳା ପାଞି ଓ କିମ୍ବଦନ୍ତି ଅନୁଯାଇ ପୁରୀର ଷୋଳ କଳାରୁ ରଣପୁରରେ ଗୋଟିଏ କଳା ରହିଛି। ପୁରୀରେ ଠାକୁରଙ୍କୁ ଦର୍ଶନ କଲେ ଯେଉଁ ପୁଣ୍ୟ ମିଳେ ରଣପୁରରେ ଠାକୁରଙ୍କୁ ଦର୍ଶନକଲେ ସେହି ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଥିବାରୁ ଏଠାରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଲକ୍ଷାଧିକ ଭକ୍ତ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା। ଆଜି ସକାଳୁ ନୟାଗଡ ଜିଲ୍ଲା ପୂର୍ବତନ ଖାଉଟି ଫୋରମ ଅଧ୍ୟକ୍ଷ ନାରାୟଣ ମହାପାତ୍ର ତିନି ରଥର ପ୍ରତିଷ୍ଠା କରିଥିଲେ। ଗତକାଲି ଠାରୁ ମନ୍ଦିର ର ସମ୍ମୁଖ ଭାଗ ଫୁଲରେ ସଜା ହୋଇ ଏକ ଆକର୍ଷଣୀୟ ଦେଖାଯାଉଥିଲା। ପୁରୀ ଜଗନ୍ନାଥ ମନ୍ଦିରକୁ ଶ୍ରୀ ଜୀଉଙ୍କ ପାଇଁ ବିଭିନ୍ନ ଜିନିଷ ପୁରୀ ରାଘବଦାସ ମଠ ଯୋଗାଉ ଥିବା ବେଳେ ଶହ ଶହ ବର୍ଷର ପରମ୍ପରା ଅନୁଯାୟୀ ଆଜି ରାଘବଦାସ ମଠ ତରଫରୁ ତିନି ବୋଝ ଭୋଗ ରଣପୁର ଜଗନ୍ନାଥ ମନ୍ଦିରକୁ ଆସିଥିଲା।
ସକାଳ ବଲ୍ଲଭ, ଅବକାଶ, ମଙ୍ଗଳାର୍ପଣ ପରେ ତିନି ଠାକୁରଙ୍କ ପହଣ୍ଡି ପାଇଁ ସୁସଜ୍ଜିତ କରାଯାଇଥିଲା । ଦିନ ୧ଟା ପରେ ରଣପୁର ବଡଦାଣ୍ଡ ଭକ୍ତମୟ ହୋଇଯାଇଥିଲା। ଘଂଟ, ଘଂଟା , ମାଦଳ, ଢୋଲ ଓ ହରିବୋଲ ହୁଳହୁଳିରେ ଓ ପାରମ୍ପାରିକ ଓଡିଶୀ ନୃତ୍ୟ ରେ ଜଗନ୍ନାଥ ମନ୍ଦିର ପରିସର ଭକ୍ତମୟ ହୋଇ ଯାଇଥିଲା। ଅପରାହ୍ନ ୧.୧୫ ରେ ପ୍ରଥମେ ଘରବାହୁ ଠାକୁରଙ୍କୁ ପହଣ୍ଡି କରାଯାଇଥିଲା। ପରେ ସୁଦର୍ଶନଙ୍କୁ ରଥାରୁଢ କରାଯାଇଥିଲା। ଅପରାହ୍ନ ୨.୩୦ ରେ ରେ ତିନି ଠାକୁରଙ୍କୁ ଧାଡି ପହଂଡି କରା ଯାଇଥିଲା।
ଶ୍ରୀ ଜୀଉଙ୍କ ପହଣ୍ଡି ବେଳେ ମହିଳା ଓ ପୁରୁଷଙ୍କ ହୁଳହୁଳି ଓ ହରିବୋଲରେ ଏକ ଭକ୍ତିମୟ ପରିବେଷ ସୃଷ୍ଟି ହୋଇଥିଲା। ଠାକୁର ପହଣ୍ଡି ବେଳେ ଓଡିଶୀ ନୃତ୍ୟ ଭକ୍ତମାନଙ୍କୁ ବେଶ ଆକର୍ଷିତ କରିଥିଲା। ଅପରାହ୍ନ ୩.୩୦ ଟାରେ ତିନି ଠାକୁରଙ୍କୁ ରଥାରୁଢ କରାଯାଇଥିଲା। ଓଡିଶା ବାଚସ୍ପତି ସୁରମା ପାଢୀ ବଳଭଦ୍ର ଙ୍କ ରଥ ଉପରେ ନିର୍ମାଣ କରିଥିବା ମହାରଣା ମାନଙ୍କୁ ସମ୍ମାନିତ କରିଥିଲେ। ସନ୍ଧ୍ୟା ୪.୩୦ଟାରେ ବଳଭଦ୍ର ଙ୍କର ତାଳଧ୍ୱଜ ରଥ ଟଣାଯାଇ ୫.୩୦ ରେ ଗୁଣ୍ଡିଚା ମନ୍ଦିର ନିକଟରେ ପହଚିଂଥିଲା। ପରେ ସୁଭଦ୍ରାଙ୍କ ଦେବଦଳନ ରଥକୁ ମହିଳାମାନେ ଟାଣିନେଇ ଗୁଣ୍ଡିଚା ମନ୍ଦିର ପାଖରେ ପହଂଚାଇଥିଲେ। ଆଜି ସ୍ଥାନୀୟ ଦୁର୍ଗା ମଣ୍ଡପ ଉପରେ ନାରାୟଣ ମହାପାତ୍ର , ସୁଦର୍ଶନ ବେହେରା, ଡଃ ପ୍ରଶାନ୍ତ ମିଶ୍ର , ବାଳକୃଷ୍ଣ ମିଶ୍ର, କିଶୋର ଭଞ୍ଜ, ପ୍ରଦ୍ୟୁମ୍ନ ସାଥୁଆ ଗୁଣ୍ଡିଚା ଯାତ୍ରାର ଧାରା ବିବରଣୀ ପ୍ରଦାନ କରିଥିଲେ।
ସନ୍ଧ୍ୟାରେ ସତ୍ୟନରାୟଣ ମହାପାତ୍ର ଙ୍କ ତ୍ୱତବଧାନରେ ସ୍ଥାନୀୟ ଦୋଳ ମଣ୍ଡପ ଉପରେ ଏକ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦ୍ୱୀତିୟ ଶ୍ରୀକ୍ଷେତ୍ର ଏହି ଗୁଣ୍ଡିଚା ଯାତ୍ରାରେ ଓଡ଼ିଶାର ବାଚସ୍ପତି ସୁରମା ପାଢୀ,ପୂର୍ବତନ ବିଧାୟକ ରବି ନାରାୟଣ ମହାପାତ୍ର, ଏନଏସି ଅଧକ୍ଷା ରଙ୍ଗିନ ମହାନ୍ତି, ସାସଂଦକ ପ୍ରତିନିଧି ପ୍ରିୟବତ ପ୍ରହରାଜ,ବ୍ଲକ ଉପାଧ୍ୟକ୍ଷ ନଣ୍ଡା ଦଳବେହେରା, ପରେଶ ମିଶ୍ରଙ୍କ ସହ ବହୁ ପ୍ରମୁଖ ବ୍ୟକ୍ତି ସାମିଲ ହୋଇଥିଲେ। ପୁଲିସ ପ୍ରସାଶନ ତରଫରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ତହସିଲଦାର ଆର୍ଯ୍ୟ କୁମାର ସର୍ବଦମନ ଓ ମ୍ୟାନେଜର ରମେଶ ପ୍ରଧାନ କାର୍ଯ୍ୟକୁ ସୁଚାରୁ ରୁପେ ପରିଚାଳନା କରିଥିଲେ। ଶହ ଶହ ବର୍ଷ ଧରି ରାଜା ଛେରା ପହଁରା କରିଆସୁଥିବାବେଳେ ଚଳିତ ବର୍ଷ ରାଜା ଛେରା ପହଁରା ନକରିବା ନେଇ ମିଶ୍ର ପ୍ରତିକ୍ରିୟା ଦେଖାଦେଇଛି।


