ଭୁବନେଶ୍ୱର: ରାଜ୍ୟର ୩୫ଟି ପୌରସଂସ୍ଥା ଓ ଏନ୍ଏସିର ପୌରାଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ନିର୍ଦ୍ଧାରଣ ସମ୍ପର୍କିତ ଖସଡ଼ା ବିଜ୍ଞପ୍ତି ରାଜ୍ୟ ସରକାର ପ୍ରକାଶ କରିଛନ୍ତି। ଓଡ଼ିଶା ପୌର ଆଇନ, ୧୯୫୦ ଏବଂ ଓଡ଼ିଶା ପୌର (ୱାର୍ଡ ସୀମା ନିର୍ଦ୍ଧାରଣ, ଆସନ ସଂରକ୍ଷଣ ଓ ନିର୍ବାଚନ ପରିଚାଳନା) ନିୟମାବଳୀ, ୧୯୯୪ ଅନୁଯାୟୀ ଏହି ଖସଡ଼ା ପ୍ରସ୍ତୁତ କରାଯାଇଛି।
ଏହି ଖସଡ଼ା ବିଜ୍ଞପ୍ତି ଓଡ଼ିଶା ଗେଜେଟ୍ରେ ପ୍ରକାଶ ପାଇବା ପରେ ୧୫ ଦିନ ମଧ୍ୟରେ ସାଧାରଣ ଲୋକେ ନିଜର ଆପତ୍ତି କିମ୍ବା ପରାମର୍ଶ ଦେଇପାରିବେ। ନିର୍ଦ୍ଦେଶକ, ପୌର ପ୍ରଶାସନଙ୍କ କାର୍ଯ୍ୟାଳୟରେ ଏହି ଆପତ୍ତି ଓ ପରାମର୍ଶ ଦାଖଲ କରାଯାଇପାରିବ। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ମିଳୁଥିବା ସମସ୍ତ ମତାମତକୁ ରାଜ୍ୟ ସରକାର ବିଚାରକୁ ନେବେ।
ଖସଡ଼ା ତାଲିକା ଅନୁଯାୟୀ, ୧୧ଟି ପୌରସଂସ୍ଥା ଓ ଏନ୍ଏସିର ପୌରାଧ୍ୟକ୍ଷ ପଦ ଅନୁସୂଚିତ ଜାତି (ମହିଳା) ପାଇଁ ସଂରକ୍ଷିତ ରହିଛି। ସେହିପରି ୭ଟି ପଦ ଅନୁସୂଚିତ ଜାତି, ୭ଟି ପଦ ଅନୁସୂଚିତ ଜନଜାତି (ମହିଳା), ୪ଟି ପଦ ଅନୁସୂଚିତ ଜନଜାତି, ୪ଟି ପଦ ମହିଳା ଏବଂ ୨ଟି ପଦ ଅଣସଂରକ୍ଷିତ ବର୍ଗ ପାଇଁ ପ୍ରସ୍ତାବିତ ହୋଇଛି।
ଖସଡ଼ା ବିଜ୍ଞପ୍ତିରେ ଆସିକା, ଭଞ୍ଜନଗର, କବିସୂର୍ଯ୍ୟନଗର ଓ ବୌଦ୍ଧଗଡ଼ ପୌରପରିଷଦର ପୌରାଧ୍ୟକ୍ଷ ପଦକୁ ମହିଳାଙ୍କ ପାଇଁ ସଂରକ୍ଷିତ କରାଯାଇଛି। ସେହିପରି ପୋଲସରା ପୌରପରିଷଦ ଏବଂ ଓଡ଼ଗାଁ ଏନ୍ଏସିର ପୌରାଧ୍ୟକ୍ଷ ପଦ ଅଣସଂରକ୍ଷିତ ରଖିବାକୁ ପ୍ରସ୍ତାବ ରହିଛି। ଅନ୍ୟପକ୍ଷରେ ଛତ୍ରପୁର ପୌରପରିଷଦକୁ ଅନୁସୂଚିତ ଜାତି, ଚିତ୍ରଡ଼ା, ବାଙ୍ଗିରିପୋଷି, କପ୍ତିପଦା, ବେତନଟୀ, ବାମରା, ରେଙ୍ଗାଳି ଓ ବୋରିଗୁମ୍ମାକୁ ଅନୁସୂଚିତ ଜନଜାତି (ମହିଳା) ବର୍ଗରେ ସଂରକ୍ଷଣ କରିବାକୁ ପ୍ରସ୍ତାବ ରହିଛି।
ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି ଯେ, ଆପତ୍ତି ଓ ପରାମର୍ଶର ବିଚାର ପରେ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ କରାଯିବ। ସେପର୍ଯ୍ୟନ୍ତ ଏହି ତାଲିକାକୁ ଖସଡ଼ା ଭାବେ ଗ୍ରହଣ କରାଯିବ।


