ଭୁବନେଶ୍ବର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଆୟୋଜିତ ହେଉଛି ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ “ଗୁହାରି”। ଜୁଲାଇ ୧୮ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଏହି କାର୍ଯ୍ୟକ୍ରମ ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହେବ।
ଆଜିର ଉଦ୍ଘାଟନୀ ସନ୍ଧ୍ୟାରେ ବିଧାୟକ ଏକାମ୍ର ଶ୍ରୀ ବାବୁ ସିଂ, ବିଧାୟକ କୋରେଇ ଶ୍ରୀ ଆକାଶ ଦାସ ନାୟକ, ସଙ୍ଗୀତଜ୍ଞ ଗୁରୁ ରାମହରି ଦାସ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଡ଼. ବିଜୟ କେତନ ଉପାଧ୍ୟାୟ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ।
ବଡ଼ ଠାକୁର ଶ୍ରୀ ବଳଭଦ୍ର, ମା’ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଦପଦ୍ମରେ ସଙ୍ଗୀତ ଓ ଜଣାଣ ମାଧ୍ୟମରେ ଭକ୍ତିର ଅର୍ଘ୍ୟ ଅର୍ପଣ କରିବା ହେଉଛି “ଗୁହାରି” କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଆଜିର ଉଦ୍ଘାଟନୀ ସନ୍ଧ୍ୟାରେ କଣ୍ଠଶିଳ୍ପୀମାନେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭଜନ ପରିବେଷଣ କରିଥିଲେ। ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଶ୍ରୀମତୀ ଶୁଚିସ୍ମିତା ମନ୍ତ୍ରୀ ଆଜିର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।


