କଟକ: କଟକସ୍ଥିତ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲ ପରିଦର୍ଶନ କରି ଆୟୋଜିତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ଏହି ଅବସରରେ ହସ୍ପିଟାଲର ଭିତ୍ତିଭୂମିର ସୁଦୃଢ଼ୀକରଣ, ହସ୍ପିଟାଲ ପରିସରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରସାରଣ ତଥା ପୁନଃବିକାଶ କାର୍ଯ୍ୟ ସ୍ଥିତି ସେ ସମୀକ୍ଷା କରିଛନ୍ତି। ପରିଦର୍ଶନ କାଳରେ ଏସ୍ସିବିର ନୂତନ ବିଲ୍ଡିଂର CN1 ଏବଂ CN4 ନିର୍ମାଣ ସ୍ଥଳ ବୁଲି ଦେଖିବା ସହ କାର୍ଯ୍ୟର ଅଗ୍ରଗତି ସେ ଅନୁଧ୍ୟାନ କରିଛନ୍ତି। ଏହା ସହିତ ପିଜି ହଷ୍ଟେଲ, ରେସିଡେଣ୍ଟ ହଷ୍ଟେଲ ଏବଂ ସହକାରୀ ପ୍ରଫେସରମାନଙ୍କ ବାସଭବନ ପରିଦର୍ଶନ କରି ସେଠାକାର ସୁବିଧା ଅସୁବିଧା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି।
ହସ୍ପିଟାଲ ପରିସରରେ ନିର୍ମାଣଧୀନ ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବା ସହ ନିର୍ମାଣ କାର୍ଯ୍ୟର ଗୁଣାତ୍ମକ ମାନ ବଜାୟ ରଖିବା ଏବଂ ଡାକ୍ତର ତଥା ଛାତ୍ରଛାତ୍ରୀମାନଙ୍କ ରହିବା ପାଇଁ ଉତ୍ତମ ପରିବେଶ ସୃଷ୍ଟି କରିବାକୁ ଉପସ୍ଥିତ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ କଟକ ସଦର ବିଧାୟକ ପ୍ରକାଶ ସେଠୀ, ଚୌଦ୍ବାର ବିଧାୟକ ଶୌଭିକ ବିଶ୍ଵାଳ, ସ୍ୱାସ୍ଥ୍ୟ ସଚିବ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।


