Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଏଣିକି ହସପିଟାଲ ଆଇସିୟୁରେ ବାଜିବ ମ୍ୟୁଜିକ, କଟକ ମେଡିକାଲର ନିଷ୍ପତି

କଟକ: ଏଣିକି ଆଇସିୟୁରେ ଶୂନଶାନ ତଥା ରୋଗୀଙ୍କ ଦେହରେ ଲାଗିଥିବା ମେସିନର ଟକଟକ୍ ଶଦ୍ଦ ଆଉ ଶୁଭିବ ନାହିଁ। ତା ପରିବର୍ତ୍ତେ ସେଠାରେ ଶୁଭିବ ଜଗନ୍ନାଥ ଭଜନର ଇନଷ୍ଟ୍ରୁମେଣ୍ଟାଲ ସଂଗୀତ। ଏହିପରି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ଗ୍ରହଣ କରିଛି କଟକ ବଡ ମେଡିକାଲ କର୍ତ୍ତୁପକ୍ଷ। ରୋଗୀମାନଙ୍କୁ ଆଇୟୁସିରେ ମ୍ୟୁଜିକ ଥେରାପି ପ୍ରଦାନ କରାଯିବ ବୋଲି କର୍ତ୍ତୁପକ୍ଷ କହିଛନ୍ତି।

ବର୍ତ୍ତମାନ ଆଇସିୟୁ ର ପରିବେଷ ବେଶ ଗମ୍ଭିର ରହିଛି। ଯାହା କେବଳ ରୋଗୀ କାହିଁକି ସେଠାକାର କର୍ମଚାରୀଙ୍କୁ ମଧ୍ୟ ବିରକ୍ତିକର କରୁଛି। ସେମାନଙ୍କ ମନକୁ ହାଲକା କରିବା ପାଇଁ ଏହି ବ୍ୟବସ୍ଥା କରାଯିବ। ତେବେ ଗୀତ ପରିବର୍ତ୍ତେ ସେଠାରେ କେବଳ ଇନଷ୍ଟୁମେଣ୍ଟାଲ ସଂଗୀତ ପରିବେଷଣ ହେବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଡିସେମ୍ବର ୨୦୨୩ ସୁଦ୍ଧା ଶେଷ ହେବ ବଡ ଡାକ୍ତରଖାନାର କ୍ଲିନିକାଲ ବ୍ଲକର କାମ

ଭୁବନେଶ୍ବର: କଟକ ଶ୍ରୀରାମଚଂଦ୍ର ମେଡିକାଲ କଲେଜ କେବଳ ଓଡିଶା ନୁହେଁ, ଆଖପାଖ ରାଜ୍ୟର ଲୋକମାନଙ୍କ ପାଇଁ ଭରସାଯୋଗ୍ୟ ଚିକିତ୍ସା କେନ୍ଦ୍ରର ସୁନାମ ଲାଭ କରିଛି। ତେଣୁ ୭୫ ବର୍ଷ ତଳେ ନିର୍ମିତ ହୋଇଥିବା ଏହି ବିରାଟ ଅନୁଷ୍ଠାନର ରୂପାନ୍ତରଣ ସହିତ ଏଠାରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ବିକଶିତ କରିବାର ଆବଶ୍ୟକତା ଅନୁଭୂତ ହୋଇଥିଲା। ୧୭୫ ଏକର ଜମିରେ ୩୫୦୦ କୋଟି ଟଙ୍କାରେ ଏହି ମର୍ଯ୍ୟଦାଜନକ ଶ୍ରୀରାମଚନ୍ଦ୍ର ମେଡିକାଲ କଲେଜର ୫-ଟି ଉପକ୍ରମରେ ରୂପାନ୍ତରଣ କରି ଏମସ ପ୍ଲସ ସୁବିଧା ରୋଗୀଙ୍କୁ ଯୋଗାଇ ଦେବାପାଇଁ ରାଜ୍ୟ ସରକାର କାମ କରୁଛନ୍ତି ।

କଟକ ଶ୍ରୀରାମଚନ୍ଦ୍ରଭଂଜ ମେଡିକାଲ କଲେଜକୁ ଶିକ୍ଷା, ଚିକିତ୍ସା ସେବା ଓ ଗବେଷଣା କ୍ଷେତ୍ରରେ ଏକ ବିଶ୍ବସ୍ତରୀୟ ଅନୁଷ୍ଠାନ ଭାବରେ ବିକଶିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କର ଦୂରଦର୍ଶୀ ଯୋଜନା ବାସ୍ତବରୂପ ନେବାକୁ ଯାଉଛି। ଏହି ରୂପାନ୍ତରଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ 5-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଆଜି ସକାଳେ କଟକ ବଡ ଡାକ୍ତରଖାନା ପରିଦର୍ଶନ କରି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ । ନିର୍ମାଣ କାର୍ଯ୍ୟର ଗୁଣାତ୍ମକ ମାନସହିତ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ପ୍ରକଳ୍ପ ଶେଷ କରାଯିବା ଉପରେ ଶ୍ରୀ ପାଣ୍ଡିଆନ ଗୁରୁତ୍ବାରୋପ କରିଥିଲେ।

ନୂଆକରି ନିର୍ମାଣ ହେଉଥିବା କ୍ଲିନିକାଲ ବ୍ଲକ ୧ ଓ ୪ ର ନିର୍ମାଣ କାର୍ଯ୍ୟ ଡିସେମ୍ବର ୨୦୨୩ ସୁଦ୍ଧା ଶେଷ କରିବାକୁ ଶ୍ରୀ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ। ତାସହିତ ଅନ୍ୟ ବ୍ଲକ ଗୁଡିକର ନିର୍ମାଣ ଗୁଡିକ ଜାରି ରଖିବାକୁ ପରାମର୍ଶ ଦେଇଥିଲେ। ରୋଗୀଙ୍କ ସଂପର୍କୀୟ ମାନଙ୍କ ରହିବା ନିମନ୍ତେ ଧର୍ମଶାଳା ଓ ବଜେଟ ହୋଟେଲ କାର୍ଯ୍ୟ ଶୀଘ୍ର ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାସହିତ ରାଣୀହାଟ ଛକ ନିକଟରେ ବ୍ୟବସାୟିକ କଂପ୍ଲେକ୍ସ କାର୍ଯ୍ୟ ଶୀଘ୍ର ଆରମ୍ଭ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

ବଡ ଡାକ୍ତରଖାନାର ଅଧ୍ୟାପକ, ଚିକିତ୍ସକ ଓ ଅନ୍ୟ କର୍ମଚାରୀମାନଙ୍କ ରହଣୀ ନିମନ୍ତେ ୧୩ଟି ଆବାସିକ ଗୃହ ନିର୍ମାଣ କରାଯିବ। ବର୍ତ୍ତମାନ ସୁଦ୍ଧା ମାତ୍ର ୫ଟି କାମ ଆରମ୍ଭ ହୋଇଛି। ତେଣୁ ତୁରନ୍ତ ସମସ୍ତ ଆବାସିକ ବ୍ଲକର କାମ ଆରମ୍ଭ କରି ଡିସେମ୍ବର ୨୦୨୩ ସୁଦ୍ଧା ସଂପୂର୍ଣ୍ଣ କରିବାକୁ ୫-ଟି ସଚିବ ନିର୍ଦ୍ଦେଶ ଦେଇଥିଲେ। ଏହାସହିତ ଏସସିବି ପବ୍ଲିକ ସ୍କୁଲର କାମ ମଧ୍ୟ ମାର୍ଚ୍ଚ ୨୦୨୩ ସୁଦ୍ଧା ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।

ପରେ ୫-ଟି ସଚିବ ଶ୍ରୀ ପାଣ୍ଡିଆନ ତାଳଦଣ୍ଡା କେନାଲ ପରିଦର୍ଶନ କରି ଏହାର ରୂପାନ୍ତର କାର୍ଯ୍ୟ ବୁଲି ଦେଇଥିଲେ। ଏହି ତାଳଦଣ୍ଡା କେନାଲ କୂଳରେ ବୁଲା ବିକାଳୀ ମାନେ ଯେଭଳି ନ ବସିବେ, ସେମାନଙ୍କ ପାଇଁ କଟକ ମ୍ୟୁନିସିପାଲଟି କର୍ପୋରେସନ ପକ୍ଷରୁ ଅର୍ବାନ ହାଟ ନିର୍ମାଣ କରାଯାଉଛି। ଏହି କାମ ଡିସେମ୍ବର ୨୦୨୨ ସୁଦ୍ଧା ଶେଷ କରିବାକୁ ଶ୍ରୀ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ।

ଭବିଷ୍ୟତର ପାର୍କିଂ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବଫର ଜୋନ ରଖିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ମାଲପରିବହନ କରୁଥିବା ବଡ ବଡ ଯାନ ଗୁଡିକର ପାର୍କିଂ ପାଇଁ ରେଲୱେ ଠାରୁ ଅଧିକ ଜମି ନେବା ପାଇଁ ସେ ପରାମର୍ଶ ଦେଇଥିଲେ। ସ୍ଥାନୀୟ ଲୋକ ତଥା ବୁଲା ବିକାଳୀ ମାନେ ଯେପରି ତାଳଦଣ୍ଡା କେନାଲରେ ଅଳିଆ ଆବର୍ଜନା ନ ପକାଇବେ, ସେଥିପାଇଁ ସେମାନଙ୍କୁ ସଚେତନ କରିବା ସହିତ କେନାଲ ରାସ୍ତାରେ ଥିବା ସମସ୍ତ ଇଲେକ୍ଟ୍ରି ସବ୍‌ଷ୍ଟେସନ, ପାଣି ପାଇପ ତଥା ନର୍ଦ୍ଦମାଜଳ ପାଇପ ସଂପୂର୍ଣ୍ଣ ଭାବରେ ତୁରନ୍ତ ସ୍ଥାନାନ୍ତକରଣ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ।

୩.୫ କିଲୋମିଟର ପରିବ୍ୟାପ୍ତ ତାଳଦଣ୍ଡା କେନାଲ ରାସ୍ତାର ବିକାଶ କାମକୁ ଜାତୀୟ ରାଜପଥ ୧୬ ଅତିକ୍ରମ କରି କଟକ ସହର ଶେଷ ସୀମା ପର୍ଯ୍ୟନ୍ତ ବିକଶିତ କରିବା ପାଇଁ ୫-ଟି ସଚିବ ପରାମର୍ଶ ଦେଇଥିଲେ। ସେହିପରି ବିଭିନ୍ନ ଜାଗାରେ ଥିବା ସେତୁ ନିକଟସ୍ଥ ସଂଯୋଗକାରୀ ରାସ୍ତା ପ୍ରଶସ୍ତ କରିବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଥିଲେ। ରେଲୱେ ଜମି ନିକଟରେ ଥିବା ଜଳାଶୟର ସଂରକ୍ଷଣ ଓ ବିକାଶ ଉପରେ ସେ ଗୁରୁତ୍ବାରୋପ କରିଥିଲେ।

ଏତଦ୍‌ବ୍ୟତୀତ କେନାଲ ରୋଡର ଲ୍ୟାଣ୍ଡସ୍କେପିଂ, ତାର ରକ୍ଷଣାବେକ୍ଷଣ ଓ ପରିଚ୍ଛନ୍ନତା ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ବୋଲି ଶ୍ରୀ ପାଣ୍ଡିଆନ ମତବ୍ୟକ୍ତ କରିଥିଲେ। ସୂଚନାଯୋଗ୍ୟ ଯେ ଜୋବ୍ରାରୁ ରାଣୀହାଟ ପର୍ଯ୍ୟନ୍ତ ଦେଢ କିଲୋମିଟର ରାସ୍ତାର ଲ୍ୟାଣ୍ଡସ୍କେପିଂ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୦୨୦ ଅକ୍ଟୋବରରେ ଉଦ୍‌ଘାଟିତ କରିଥିଲେ।

ତାଳଦଣ୍ଡା କେନାଲ ଅତୀତରେ ଆମର ଜଳସେଚନ, ଜଳ ପରିବହନ ତଥା ଅର୍ଥନୈତିକ ବିକାଶରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ୧୮୬୨ ଖ୍ରୀଷ୍ଟାଦ୍ଦରେ ଏହା ଇଷ୍ଟ ଇଣ୍ଡିଆ କଂପାନୀ ଦ୍ବାରା ଖନନ ହୋଇଥିଲା।, ତେଣୁ ତାଳଦଣ୍ଡା କେନାଲର ଐତିହାସିକ ଗୁରୁତ୍ବ ସଂପର୍କରେ ଭବିଷ୍ୟତ ପୀଢିକୁ ଅବଗତ କରିବା ପାଇଁ ଏକ ସଂଗ୍ରହାଳୟ ଓ ପ୍ରଦର୍ଶନୀ ସ୍ଥଳ ବିକଶିତ କରିବାପାଇଁ ନିଷ୍ପତ୍ତି ହୋଇଥିଲା। ଏଥିରେ ତାଳଦଣ୍ଡା କେନାଲର ଇତିହାସ ଓ ବର୍ତ୍ତମାନର ବିକାଶ କାମ ସଂପର୍କିତ ଫଟୋଚିତ୍ର ଏଥିରେ ସ୍ଥାନୀତ ହେବ।

୫-ଟି ସଚିବଙ୍କ ସହିତ ପୂର୍ତ୍ତ ବିଭାଗ ପ୍ରମୁଖ ସଚିବ ଦାୟିତ୍ବରେ ଥିବା ଶ୍ରୀ ବିଶାଳ ଦେବ, କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ଦଳାଇ, କଟକ ଜିଲ୍ଲାପାଳ, ସିଡିଏର ଅଧ୍ୟକ୍ଷ ଏବଂ କଟକ ମ୍ୟୁନିସିପାଲଟି କମିଶନର, ଏସସିବି କଲେଜର ଅଧ୍ୟକ୍ଷ, ଅଧୀକ୍ଷକ ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଦେଶରେ ପ୍ରଥମ : ଓଡିଶାରେ ବ୍ୟୟ ବହୁଳ ଏକ୍‌ମୋ ଚିକିତ୍ସା ହେଲା ମାଗଣା, ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକର ଶ୍ରୀରାମଚନ୍ଦ୍ର ଭଂଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ସ୍ଥାପିତ ହୋଇଥିବା ୯ଟି ଏକ୍‌ମୋ ମେସିନକୁ ଜନସାଧାରଣଙ୍କ ପାଇଁ ଲୋକାର୍ପିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଡାକ୍ତରଖାନାରେ ସ୍ଥାପିତ ହୋଇଥିବା ଏକ୍‌ମୋ ମେସିନଗୁଡିକୁ ବୁଲି ଦେଖିଥିଲେ।

ଏହା ସମଗ୍ର ପୂର୍ବ ଭାରତରେ ସବୁଠାରୁ ବଡ ଏକ୍‌ମୋ ୟୁନିଟ୍ ଏବଂ ଏକ୍‌ମୋ ଭଳି ବ୍ୟୟ ବହୁଳ ଚିକିତ୍ସା ବିନା ଖର୍ଚ୍ଚରେ ଯୋଗାଇବାରେ ସମଗ୍ର ଦେଶରେ ସରକାର ସ୍ତରରେ ପ୍ରଥମ ଓ ସର୍ବବୃହତ । ଏଥିପାଇଁ ଅଭିଜ୍ଞ ବିଶେଷଜ୍ଞ ମାନଙ୍କୁ ନିୟୋଜିତ କରାଯାଇଛି।

କଟକରେ ଏହି ସୁବିଧା ପାଇଁ ରୋଗୀମାନଙ୍କୁ ଟଙ୍କାଟିଏ ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଚିକିତ୍ସାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଏହାଦ୍ବାରା ରୋଗୀ ଓ ସେମାନଙ୍କ ପରିବାର ଉନ୍ନତ ଚିକିତ୍ସା ଓ ଆର୍ଥିକ ଦୃଷ୍ଟିକୋଣରୁ ଆଶ୍ବସ୍ତ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି। ଜୀବନ ରକ୍ଷାରେ ଏହି ସେବା ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

କରୋନାର ଦ୍ବିତୀୟ ଲହରୀରେ ଫୁସଫୁସ ରୋଗରେ ଗୁରୁତର ଆକ୍ରାନ୍ତ ହୋଇଥିବା ରୋଗୀ ମାନଙ୍କ ପାଇଁ ଏକ୍‌ମୋ ମେସିନ୍‌ ଏକ ଜୀବନ ରକ୍ଷାକାରୀ ବ୍ୟବସ୍ଥା। ଓଡିଶାରେ ଏହି ସୁବିଧା ବିଶେଷ ନ ଥିବାରୁ, ଗୁରୁତର ରୋଗୀମାନଙ୍କୁ ଅନ୍ୟ ରାଜ୍ୟକୁ ଯିବାକୁ ପଡୁଥିଲା । ବର୍ତ୍ତମାନ ଏହି ସୁବିଧା କଟକରେ ସରକାରୀ ଭାବରେ ଉପଲବ୍‌ଧ ହେବାରୁ ଅନେକ ରୋଗୀ ଉପକୃତ ହୋଇପାରିବେ ।

ଦ୍ବିତୀୟ ଲହରର ସ୍ମୃତିକୁ କଷ୍ଟଦାୟକ ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ କରୋନାର ଦ୍ବିତୀୟ ଲହର ସାରା ଦେଶରେ ସାଂଘାତିକ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଆଗୁଆ ଯୋଜନା ଓ ଉପଯୁକ୍ତ ପରିଚାଳନା ଯୋଗୁ ଓଡିଶାରେ ଆମେ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିପାରିଛୁ । ବିଶେଷଜ୍ଞମାନେ ତୃତୀୟ ଲହରୀର ସମ୍ଭାବନା ଏବଂ ଏଥିରେ ପିଲାମାନେ ଅଧିକ ସଂକ୍ରମିତ ହେବାର ଆଶଙ୍କା ପ୍ରକାଶ କରୁଥିବାରୁ, ରାଜ୍ୟ ସରକାର ଜିଲ୍ଲାସ୍ତରରେ କୋଭିଡ ହସ୍‌ପିଟାଲ ଗୁଡିକରେ ଶିଶୁ ଚିକିତ୍ସା ଉପରେ ଗୁରୁତ୍ବ ଦେଇ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରୁଛନ୍ତି।

ଆମ ପିଲାମାନେ ଯେପରି କରୋନା ସଂକ୍ରମଣରୁ ସୁରକ୍ଷିତ ରହିବେ, ସେଥିପାଇଁ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲକ୍‌ଡାଉନର ନିୟମଗୁଡିକୁ କୋହଳ କରାଯାଇଥିଲେ ମଧ୍ୟ ସଂକ୍ରମଣର ଆଶଙ୍କା ରହିଛି । ତେଣୁ ଜନସାଧାରଣ ମାସ୍କ ପିନ୍ଧିବା ସହିତ, ହାତ ଧୋଇବା, ଭିଡରୁ ଦୂରରେ ରହିବା ଆଦି ସମସ୍ତ କୋଭିଡ ନିୟମାବଳୀକୁ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ ।

ସୂଚନାଯୋଗ୍ୟ ଯେ ଘରୋଇ ଡାକ୍ତରଖାନାରେ ଏକ୍ ମୋ ଚିକିତ୍ସା ପାଇଁ ସର୍ବନିମ୍ନ ଦଶ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଥାଏ ।ସ୍ଥଳ ବିଶେଷ ରେ ଏହା ଆହୁରି ବୃଦ୍ଧି ପାଇଥାଏ ।ତେଣୁ ସରକାରୀ ସ୍ତରରେ ଏହି ଉନ୍ନତ ଚିକିତ୍ସା ସୁବିଧା ଗରିବ ତଥା ମଧ୍ୟ ବିତ୍ତ ଲୋକଙ୍କ ପାଇଁ ବିଶେଷ ଉପଯୋଗୀ ସାବ୍ୟସ୍ତ ହେବ ଵୋଲି ଆଶା କରାଯାଏ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଖାଦ୍ୟଯୋଗାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା, ବିଧାୟକଗଣ, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ଓ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।