ଭୁବନେଶ୍ଵର: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ଭୁବନେଶ୍ୱରରେ ପୂର୍ବାଞ୍ଚଳ ଆଞ୍ଚଳିକ ପୋଲିସ ସମନ୍ୱୟ କମିଟିର ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିହାର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼ର ଡିଜିପି ଏବଂ କେନ୍ଦ୍ରୀୟ ପୋଲିସ ସଂଗଠନର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଛନ୍ତି। ଶ୍ରୀ ଖୁରାନିଆ ସଂଘଠିତ ଅପରାଧ, ସାଇବର ଅପରାଧ, ନିଶା କାରବାର ଓ ବାମପନ୍ଥୀ ଉଗ୍ରବାଦର ମୁକାବିଲା ପାଇଁ ରାଜ୍ୟମାନଙ୍କ ମଧ୍ୟରେ ରିୟଲ୍-ଟାଇମ୍ ଗୁଇନ୍ଦା ସୂଚନା ବିନିମୟ ଏବଂ ମିଳିତ କାର୍ଯ୍ୟ ଉପରେ ଗୁରୁତ୍ୱାରୋପ କରିଛନ୍ତି।
ବୈଠକରେ ନକ୍ସଲ ପୁନର୍ବାସ, ସାଇବର ଅପରାଧ, ଜିରୋ ଏଫ୍ଆଇଆର୍, ରେଳ ସୁରକ୍ଷା ଓ ଆନ୍ତଃରାଜ୍ୟ ସମନ୍ୱୟ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ସହ ନିୟମିତ ବ୍ୟବଧାନରେ ଏଭଳି ବୈଠକ ଆୟୋଜନ କରିବାକୁ ସହମତି ପ୍ରକାଶ ପାଇଛି।


