ରଣପୁର: ନୟାଗଡ଼ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଡାଏଟ), ରାଜସୁନାଖଳା ପରିସରରେ ବୁଧବାର ସକାଳ ୧୦ ଘଟିକାରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଓ ନବାଗତ ପ୍ରଶିକ୍ଷିକାଙ୍କ ସ୍ୱାଗତ ସମାରୋହ ଅନୁଷ୍ଠିତ ହୋଇଯାଇଛି।
ଶିକ୍ଷକ ପ୍ରଶିକ୍ଷିକା ଅନିନ୍ଦିତା ପ୍ରିୟଦର୍ଶିନୀ ପଦୋନ୍ନତି ପାଇ କନ୍ଧମାଳ ଜିଲ୍ଲାର ଟିକାବାଲି ସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ନିଯୁକ୍ତି ପାଇଥିବାରୁ ତାଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଜଣାଯାଇଥିଲା। ଏହା ସହ ଗତ ଜୁଲାଇ ୧୭ ତାରିଖରେ ନୂତନ ଭାବେ ଯୋଗଦେଇଥିବା ବରିଷ୍ଠ ଶିକ୍ଷକ ପ୍ରଶିକ୍ଷିକା ଶିଖା ସିଆଲ ଓ ସ୍ୱାଗତିକା ସରଣଙ୍କୁ ପୁଷ୍ପଗୁଚ୍ଛ ଓ ଉପହାର ପ୍ରଦାନ କରି ସ୍ୱାଗତ କରାଯାଇଥିଲା।
ଅନୁଷ୍ଠାନର ଅଧ୍ୟକ୍ଷ ବିଜୟ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ସଭା ଆୟୋଜିତ ହୋଇଥିବାବେଳେ ବରିଷ୍ଠ ପ୍ରଶିକ୍ଷକ ମନୋରଞ୍ଜନ ଦାଶ ମଞ୍ଚ ପରିଚାଳନା କରିଥିଲେ। ଗୁରୁଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। କଳିଙ୍ଗ ସାହୁଙ୍କ ତତ୍ତ୍ୱାବଧାନରେ ବିଦାୟୀ ପ୍ରଶିକ୍ଷିକାଙ୍କ କର୍ମମୟ ଜୀବନକୁ ନେଇ ପ୍ରସ୍ତୁତ ଏକ ସ୍ମୃତିଚିତ୍ର ଭିଡିଓ ପ୍ରଦର୍ଶନ କରାଯାଇଥିଲା।
ଏହି ଅବସରରେ ବରିଷ୍ଠ ପ୍ରଶିକ୍ଷକ ମାନସ କୁମାର ସାହୁ ଓ ପ୍ରତାପ କୁମାର ମହାପାତ୍ର ବିଦାୟୀ ପ୍ରଶିକ୍ଷିକାଙ୍କ କର୍ମନିଷ୍ଠା, ଦକ୍ଷତା ଓ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରଶିକ୍ଷକ ବାଟକୃଷ୍ଣ ସାହୁ ଓ ଦୀପକ କୁମାର ପ୍ରଧାନ ନବାଗତ ପ୍ରଶିକ୍ଷିକାମାନଙ୍କୁ ଅନୁଷ୍ଠାନର କାର୍ଯ୍ୟାବଳୀ ସମ୍ପର୍କରେ ଅବଗତ କରାଇଥିଲେ। ଶେଷରେ ପ୍ରଶିକ୍ଷକ ସନ୍ତୋଷ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ଅନୁଷ୍ଠାନର ସମସ୍ତ ପ୍ରଶିକ୍ଷକ ଓ କର୍ମଚାରୀଙ୍କ ସକ୍ରିୟ ସହଯୋଗରେ ସମଗ୍ର କାର୍ଯ୍ୟକ୍ରମ ସୁଚାରୁ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଥିଲା।


