ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର (ଅଗଷ୍ଟ ୧୩, ୨୦୨୬) ନୂଆଦିଲ୍ଲୀରେ ୨୦୨୪ ଏବଂ ୨୦୨୫ ବର୍ଷ ପାଇଁ ବିଶିଷ୍ଟ କଳାକାରମାନଙ୍କୁ ସଙ୍ଗୀତ ନାଟକ ଏକାଡେମୀ ଫେଲୋସିପ୍ ଏବଂ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କରିଛନ୍ତି।
ସେହିପରି ଓଡ଼ିଶୀ ନୃତ୍ୟ ଗୁରୁ ବିଚିତ୍ରା ନନ୍ଦ ସ୍ୱାଇଁ ୨୦୨୪ ବର୍ଷ ପାଇଁ ରାଷ୍ଟ୍ରପତିଙ୍କ ଠାରୁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଛନ୍ତି। ତାଙ୍କ ବ୍ୟତୀତ ସମ୍ବଲପୁରୀ ଲୋକନୃତ୍ୟ ପାଇଁ ରଣଜୀତ କୁମାର ନାଗ ୨୦୨୪ ମସିହା ପାଇଁ ନୃତ୍ୟ ବର୍ଗରେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଛନ୍ତି। ମଞ୍ଚ ନାଟକ ବର୍ଗରେ ନିର୍ଦ୍ଦେଶନା ଲାଗି ସୁବୋଧ ପଟ୍ଟନାୟକଙ୍କୁ ୨୦୨୫ ବର୍ଷ ପାଇଁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଦିଆଯାଇଛି।
ଆଜିର ପୁରସ୍କାର ବିତରଣ ସମାରୋହରେ ରାଷ୍ଟ୍ରପତି କହିଛନ୍ତି, ଏହି ସମାରୋହରେ ସମ୍ମାନିତ କଳାକାରମାନେ ସାମୂହିକ ଭାବରେ ଭାରତର ଏକ ସାଂସ୍କୃତିକ ମାନଚିତ୍ର ଉପସ୍ଥାପନ କରୁଛନ୍ତି। ଏଥିରେ ଦେଶର ମାଟି, ପାଣି ଓ ପବନର କାହାଣୀ ଏବଂ ସଙ୍ଗୀତ ଯୋଡ଼ି ହୋଇ ରହିଛି। କଳାକାରମାନେ ଉପସ୍ଥାପନ କରୁଥିବା ମାନଚିତ୍ରରେ ଭାରତର ବିବିଧ ପରମ୍ପରା ସମ୍ମିଳିତ ରହିଛି। ଏ ମାଟିର ନୃତ୍ୟ ଓ ଉତ୍ସବ ଏବଂ ଶହ ଶହ ବର୍ଷ ଧରି ଏଠାରେ ପ୍ରଚଳିତ ଭାଷା ଓ ଉପଭାଷାର ସ୍ମୃତି ପ୍ରତିଫଳିତ ହୋଇଛି।
ରାଷ୍ଟ୍ରପତି କହିଛନ୍ତି, ଭାରତର ସଂସ୍କୃତିର ଏକ ଗଭୀର ମୂଳଦୁଆ ରହିଛି। ଭିନ୍ନ ଭିନ୍ନ ଖାଦ୍ୟ, ପୋଷାକ, ନୃତ୍ୟ ଏବଂ ସଙ୍ଗୀତ ପ୍ରକୃତି ଦ୍ୱାରା ଅନୁପ୍ରାଣିତ। କଳାକାରମାନେ ସେମାନଙ୍କର ନୃତ୍ୟ ଓ ସଙ୍ଗୀତ ସୃଷ୍ଟି କରିବା ପାଇଁ ପକ୍ଷୀମାନଙ୍କର କଳରବ, ଝରଣା, ଗଛ, ପତ୍ର, ମେଘ ଓ ନଦୀ ଠାରୁ ପ୍ରେରଣା ପାଆନ୍ତି। ବିବିଧତା ଏବଂ ଏକତାର ଏହି ସଙ୍ଗମ ଆମ କଳାର ସବୁଠାରୁ ବଡ଼ ଶକ୍ତି ମଧ୍ୟରୁ ଅନ୍ୟତମ ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି।
ରାଷ୍ଟ୍ରପତି କହିଛନ୍ତି, ଭାରତର ସମସ୍ତ ବିବିଧ କଳା ରୂପରେ ଗୁରୁ-ଶିଷ୍ୟ ପରମ୍ପରା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଆମର କଳା ପାଇଁ ଜ୍ଞାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉତ୍ସ ହେଉଛନ୍ତି ଜୀବନ୍ତ ଗୁରୁ। ଆଜିର ଦ୍ରୁତ ପରିବର୍ତ୍ତନଶୀଳ ସମୟରେ, ଆମର ଅନେକ ଲୋକକଳା ବିଲୁପ୍ତପ୍ରାୟ ସ୍ଥିତିରେ ପହଞ୍ଚିଛନ୍ତି। ଏପରି କଳା ରୂପଗୁଡ଼ିକର ସାକ୍ଷ୍ୟ ଓ ପ୍ରମାଣ ସଂରକ୍ଷଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥିସହିତ ସେଗୁଡ଼ିକୁ ଜୀବିତ ରଖିବା ପାଇଁ ବିଶେଷ ପ୍ରୟାସ କରିବା ମଧ୍ୟ ଅତି ଆବଶ୍ୟକ। ସଙ୍ଗୀତ ନାଟକ ଏକାଡେମୀ ଏହି ଉଦ୍ଦେଶ୍ୟରେ “କଳା-ଦୀକ୍ଷା” କାର୍ଯ୍ୟକ୍ରମ ଆୟୋଜନ କରିବା ଖୁସିର ବିଷୟ। ବରିଷ୍ଠ କଳାକାରମାନେ ଆଗାମୀ ପିଢ଼ିକୁ ପ୍ରସ୍ତୁତ କରିବା ପାଇଁ ବ୍ୟବସ୍ଥିତ ପ୍ରୟାସ କରିବାକୁ ଶ୍ରୀମତୀ ମୁର୍ମୁ ଆହ୍ୱାନ କରିଛନ୍ତି।
ରାଷ୍ଟ୍ରପତି କହିଛନ୍ତି ଯେ ସଂସ୍କୃତି ଓ କଳାର ଜ୍ଞାନ ସହିତ ଜୀବନକୁ ସମୃଦ୍ଧ କରିବା ପାଇଁ ପ୍ରକୃତିକୁ ସବୁଠାରୁ ସହଜ ତାଲିମ ଭୂମି ଭାବରେ ବିବେଚନା କରାଯାଏ। ଲୋକ ଏବଂ ଜନଜାତି କଳାରେ ଜୀବନର ପ୍ରାକୃତିକ ଆନନ୍ଦ ଏବଂ ପ୍ରକୃତି ସହିତ ଏକ ଗଭୀର ସମ୍ପର୍କକୁ ପ୍ରତିଫଳିତ ହୋଇଥାଏ। ଏହି କଳା ରୂପଗୁଡ଼ିକ ସ୍ୱାଭାବିକ ଭାବରେ ସମାଜର ସ୍ମୃତି ଏବଂ ସାମୂହିକ ଚେତନା ପ୍ରକାଶ କରେ। ଏହି କାରଣରୁ ଲୋକକଳା ଭାରତର ସାଂସ୍କୃତିକ ପରିଚୟର ଏକ ଗୁରୁତ୍ୱପୂର୍ଣ୍ଣ ଆଧାର।
ରାଷ୍ଟ୍ରପତି ସଙ୍ଗୀତ ନାଟକ ଏକାଡେମୀ ଫେଲୋସିପ୍ ଏବଂ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଥିବା କଳାକାରମାନଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ ଭାରତୀୟ ପରମ୍ପରାର ବାହକ ଭାବେ ଆମର କଳାକାରମାନେ ଦେଶର ସାମୂହିକ ସ୍ମୃତିର ରକ୍ଷକ ଏବଂ ଭବିଷ୍ୟତ ପାଇଁ ଦୃଷ୍ଟିକୋଣର ସ୍ରଷ୍ଟା।
ଶ୍ରୀମତୀ ମୁର୍ମୁ କହିଛନ୍ତି, ସଙ୍ଗୀତ ନାଟକ ଏକାଡେମୀକୁ ଭାରତର କୋମଳ ଶକ୍ତି ବା ସଫ୍ଟ ପାୱାରର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବରେ ବିବେଚନା କରାଯାଏ। ଆଗାମୀ ସମୟରେ ଏକାଡେମୀ ଭାରତର ସାଂସ୍କୃତିକ ଶକ୍ତି ସହିତ ସମଗ୍ର ବିଶ୍ୱକୁ ଲାଭ ପହଞ୍ଚାଇବ ବୋଲି ସେ ବିଶ୍ୱାସ ପ୍ରକଟ କରିଛନ୍ତି।


