ଭୁବନେଶ୍ବର: ଆଜି ପୋଲିସ ଡିଜି ୱାଇ ବି ଖୁରାନିଆଙ୍କ ଚାକିରୀ କାଳର ଶେଷ ଦିନ। ଆଜି ସେ ଅନ୍ତରୀଣ ଡିଜିପି ବିନୟତୋଷ ମିଶ୍ରଙ୍କୁ ଦାୟିତ୍ବ ହସ୍ତାନ୍ତର କରି ବିଦାୟ ନେବେ। ତେବେ ତା ପୂର୍ବରୁ ସେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସାକ୍ଷାତ କରି ନିଜୟର ବିଦାୟ କାଳିନ ସୂଚନା ପ୍ରଦାନ କରିଛନ୍ତି। ମୋହନ ମାଝୀ ସରକାରକୁ ଆସିବା ପରେ ୱାଇ ବି ଖୁରାନିଆ ଡିଜିପି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ।
ଏହି ସାକ୍ଷାତକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି ଯେ, ‘ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ (DGP) ଶ୍ରୀ ଯୋଗେଶ ବାହାଦୂର ଖୁରାନିଆଙ୍କ କାର୍ଯ୍ୟକାଳ ସମାପ୍ତି ଅବସରରେ ତାଙ୍କର ଦୀର୍ଘ ଓ ନିଷ୍ଠାପର ସେବା ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛି। ରାଜ୍ୟରେ ଆଇନ ଶୃଙ୍ଖଳା ରକ୍ଷା, ଶାନ୍ତି ଓ ସୌହାର୍ଦ୍ଦ୍ୟ ବଜାୟ ରଖିବା ସହ ଓଡ଼ିଶା ପୁଲିସ ପ୍ରଶାସନକୁ ଅଧିକ ଦକ୍ଷ, ସଶକ୍ତ ଓ ଜନକୈନ୍ଦ୍ରିକ କରିବାରେ ତାଙ୍କର ନେତୃତ୍ୱ ପ୍ରଶଂସନୀୟ। ଏକ ନିରାମୟ, ସୁସ୍ଥ ଓ ସମୃଦ୍ଧ ଅବସରକାଳୀନ ଜୀବନ ପାଇଁ ଆନ୍ତରିକ ଶୁଭେଚ୍ଛା।’


