ଭୁବନେଶ୍ୱର: ନିଶାମୁକ୍ତ ଭାରତ ଗଠନ ଦିଗରେ ଓମ୍ଫେଡ୍ ଏକ ପ୍ରଶଂସନୀୟ ପଦକ୍ଷେପ ନେଇଛି। ଆଜି ଭୁବନେଶ୍ୱର ସହିଦନଗରସ୍ଥିତ ଓମ୍ଫେଡ୍ ମୁଖ୍ୟାଳୟରେ ‘ନଶା ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ଏକ ସ୍ୱତନ୍ତ୍ର ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଓମ୍ଫେଡ୍ର ସମସ୍ତ ଅଧିକାରୀ ଓ କର୍ମଚାରୀ ଯୋଗଦେଇ ନିଶାଦ୍ରବ୍ୟର ଅପବ୍ୟବହାର ବିରୋଧରେ ଶପଥ ନେଇଥିଲେ। ନିଶାଦ୍ରବ୍ୟରୁ ଦୂରେଇ ରହିବା ସହ ଅନ୍ୟମାନଙ୍କୁ ମଧ୍ୟ ନିଶାର କୁପ୍ରଭାବ ସମ୍ପର୍କରେ ସଚେତନ କରିବାକୁ ସମସ୍ତେ ସଂକଳ୍ପ ନେଇଛନ୍ତି।
ସରକାରଙ୍କ ‘ନଶା ମୁକ୍ତ ଭାରତ ଅଭିଯାନ’ର ଲକ୍ଷ୍ୟକୁ ସୁଦୃଢ଼ କରିବା ଏବଂ ଏକ ସୁସ୍ଥ, ସୁରକ୍ଷିତ ଓ ନିଶାମୁକ୍ତ ସମାଜ ଗଠନ ପାଇଁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ବଢ଼ାଇବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଓମ୍ଫେଡ୍ର ଏହି ପଦକ୍ଷେପ ନିଶା ବିରୋଧୀ ସାମାଜିକ ସଚେତନତାକୁ ଆହୁରି ବ୍ୟାପକ କରିବ ବୋଲି କହିଛନ୍ତି ପରିଚାଳନା ନିର୍ଦେଶକ ବିଜୟ ଅମୃତା କୁଲାଙ୍ଗେ।
ଆଜି ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଡେପୁଟି ମ୍ୟାନେଜର (ବିତ୍ତ) ତାପଶ ରଂଜନ ମିଶ୍ର, ମାନବ ସମ୍ବଳ ମୁଖ୍ୟ ନିତ୍ୟଦର୍ଶନ ମିଶ୍ରଙ୍କ ସମେତ ବହୁ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ମାନବ ସମ୍ବଳ ମୁଖ୍ୟ ଶ୍ରୀ ମିଶ୍ର ସମସ୍ତଙ୍କୁ ନିଶାମୁକ୍ତ ଭାରତ ଗଠନର ଶପଥ ପାଠ କରାଇଥିଲେ।


