Categories
ଆଜିର ଖବର ରାଜ୍ୟ ଖବର

ଗଞ୍ଜାମ ଜିଲ୍ଲାରେ ପୁଣି କଡ଼ାକଡ଼ି ହେବ କୋଭିଡ଼୍ ନିୟମ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଅନ୍ୟ ରାଜ୍ୟରେ କରୋନାର ପୁଣି ସଂକ୍ରମଣ ଦେଖାଯିବାରୁ ଗଂଜାମ ପ୍ରଶାସନ ତତ୍ପରତା ପ୍ରକାଶ କରି ପୁଣିଥରେ କୋଭିଡ଼୍ ନିୟମ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛି। ଏନେଇ ଆଜି ଏକ ଭି.ସି. ବୈଠକ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।

ଜିଲ୍ଲାପାଳ କହିଥିଲେ ପୂର୍ବରୁ ଜିଲ୍ଲାରେ ପାଳନ କରାଯାଉଥିବା ପଦକ୍ଷେପ ପୁନର୍ବାର କଡ଼ାକଡ଼ି ପାଳନ ହେବ। ପୁଣିଥରେ ସଚେତନତାମୂଳକ ପ୍ରଚାର ଓ ପ୍ରସାର କାର୍ଯ୍ୟ ବ୍ୟାପକ କରାଯିବ। ବଜାର, ହାଟ, ଜନଗହଳିପୂର୍ଣ୍ଣ ସ୍ଥାନରେ ଡ଼ାକବାଜି ଯନ୍ତ୍ର ଦ୍ୱାରା କଡ଼ାକଡ଼ି ପ୍ରଚାର କରିବା ପାଇଁ ଜିଲ୍ଲାପାଳ କହିଥିଲେ। ଏହାସହ ପଞ୍ଚସୂତ୍ରୀ ନିୟମର ପାଳନ ଯେପରି ହେବ ସେ ଦିଗରେ ଚଢ଼ାଉ ହେବ।

ସରକାରୀ, ବେସରକାରୀ ସଂସ୍ଥା ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକରେ କୋଭିଡ଼୍ ୧୯ ସତର୍କତା ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟ। ଜନଗହଳିପୂର୍ଣ୍ଣ ସ୍ଥାନଠାରୁ ନିଜକୁ ଦୂରେଇ ରଖିବା ପାଇଁ ଜିଲ୍ଲାବାସୀଙ୍କୁ ଜଣାଇଛନ୍ତି। ସାମାଜିକ ଓ ଧାର୍ମିକ ଅନୁଷ୍ଠାନ, ଖେଳ, ମନୋରଂଜନ କାର୍ଯ୍ୟ, ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡ଼ିକ କୋଭିଡ଼୍ ନିୟମ ସତର୍କତା ଅବଲମ୍ବନ କରିବେ ଏବଂ କେତେ ସଂଖ୍ୟକ ଲୋକ ହେଉଛନ୍ତି ସେଥିନିମନ୍ତେ ଦୃଷ୍ଟି ଦିଆଯିବ। ବିବାହ ଉତ୍ସବ ନିମନ୍ତେ ସଂପୃକ୍ତ ଅଧିକାରୀଙ୍କଠାରୁ ଅନୁମତି ଗ୍ରହଣ କରିବା ଜରୁରି କରାଯାଇଛି।

ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ, ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଓ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡ଼ିକରେ ଯଥେଷ୍ଟ ସାନିଟାଇଜେସନ କରିବାକୁ କୁହାଯାଇଛି। ଛାତ୍ରଛାତ୍ରୀ, ଶିକ୍ଷକ କମିଟି ସଦସ୍ୟ କୋଭିଡ଼୍ ନିୟମ ଅନୁପାଳନ କରିବା ଅପରିହାର୍ଯ୍ୟ। ମାସ୍କ ବ୍ୟବହାର, ସାମାଜିକ ଦୂରତ୍ୱ, ହାତ ଧୋଇବା ଏବଂ ସାନିଟାଇଜେସନ ବାଧ୍ୟତାମୂଳକ କରାଯାଇଛି। ସ୍କୁଲରେ ପାଠ୍ୟକ୍ରମ ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟ ହେବ ନାହିଁ। କୌଣସି ବ୍ୟକ୍ତିବିଶେଷଙ୍କ କୋଭିଡ଼୍ ଲକ୍ଷଣ ଦେଖାଦେଲେ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ହୋଟେଲ୍‌, ରେଷ୍ଟୁରାଣ୍ଟ, ଢ଼ାବା, ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ଅନ୍ୟାୟ ଜନସାଧାରଣଙ୍କ ଖାଦ୍ୟପେୟ ସ୍ଥାନରେ କୋଭିଡ଼୍ ନିୟମର ଅନୁପାଳନ କରାଯାଉଛି କି ନାହିଁ ତାହା ପୋଲିସ୍ ବିଭାଗ ଦ୍ୱାରା କଡ଼ାକଡ଼ି ଯାଞ୍ଚ କରାଯିବ। ଜିଲ୍ଲାସ୍ତରୀୟ ଅଧିକାରୀଗଣ ବିଭିନ୍ନ ସ୍ଥାନ ଓ ଅନୁଷ୍ଠାନ ପରିଦର୍ଶନ କରି କୋଭିଡ଼୍ ନିୟମ ଅନୁପାଳନ ଯାଞ୍ଚ କରିବେ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ମହାନଗର ନିଗମ କମିଶନର ଡ. ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ, ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ଡ଼ୁଡ଼ାର ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ବ୍ରହ୍ମପୁର ଉପଜିଲ୍ଲାପାଳ ୱାଇ କୀର୍ତ୍ତିଭାସନ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଂଜନ ପୃଷ୍ଟି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ଉମାଶଙ୍କର ମିଶ୍ର, ଜାତୀୟ ସ୍ୱାସ୍ଥ୍ୟ ମିଶନର ପ୍ରକଳ୍ପ ସଂଯୋଜକ ଶ୍ୟାମସୁନ୍ଦର ତ୍ରିପାଠୀ ପ୍ରମୁଖ ଅଂଶ୍ରଗହଣ କରିଥିଲେ।

Categories
ଆଞ୍ଚଳିକ

ସଡ଼କ ସୁରକ୍ଷା ସଚେତନତା ନେଇ ସାଇକେଲ୍ ରାଲି

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ସଡ଼କ ସୁରକ୍ଷା ନିୟମ ପାଳନ ଦ୍ୱାରା ହିଁ ନିଜର ଅମୂଲ୍ୟ ଜୀବନକୁ ସୁରକ୍ଷିତ ରଖିପାରିବା। ଏହା ହିଁ ଏକ ମାତ୍ର ରକ୍ଷା କବଚ ବୋଲି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି।

ଶୁକ୍ରବାର ଜାତୀୟ ସଡ଼କ ସୁରକ୍ଷା ସଚେତନତା ନିମନ୍ତେ ଛତ୍ରପୁରଠାରେ ସାମୁହିକ ସାଇକେଲ୍ ରାଲି ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ, ଛତ୍ରପୁର ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାୟ ପତାକା ଦେଖାଇ ଏହି ସାଇକେଲ୍ ରାଲିର ଶୁଭାରମ୍ଭ କରି ସେମାନେ ମଧ୍ୟ ବହୁ ଛାତ୍ରଛାତ୍ରୀ, ମାନ୍ୟଗଣ୍ୟ ବ୍ୟକ୍ତି ସହିତ ମିଶି ସାଇକେଲ୍ ଶୋଭାଯାତ୍ରାରେ ସାଇକେଲ୍ ଚାଳନା କରି ଛତ୍ରପୁର ସହର ପରିକ୍ରମଣ କରିଥିଲେ। ଗଣ ସାଇକେଲ୍ ରାଲିଟି ଛତ୍ରପୁର ସହର ପରିଭ୍ରମଣ କରି କଣମଣାଠାରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ପ୍ରର୍ଯ୍ୟନ୍ତ ପ୍ରାୟ ୧୦ କିଲୋମିଟର ରାସ୍ତା ଅତିକ୍ରମ କରି ପୁଣି ଛତ୍ରପୁର ସହରକୁ ପ୍ରତ୍ୟାବର୍ତ୍ତନ କରିଥିଲା।

ଆଞ୍ଚଳିକ ପରିବହନ ଅଧିକାରୀ ବିକାଶ ଚନ୍ଦ୍ର ଚୌଧୁରୀଙ୍କ ତତ୍ତ୍ୱବଧାନରେ ହୋଇଥିବା ଏହି ସାଇକେଲ୍ ରାଲି ଅବସରରେ ଅନୁଷ୍ଠିତ ମଂଚରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଂଜନ ପୃଷ୍ଟି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମ୍ବିକା ପ୍ରସାଦ ଦାସ, ଅତିରିକ୍ତ ଉପଜିଲ୍ଲାପାଳ ସରୋଜ କୁମାର ଦାସ, ଛତ୍ରପୁର ଥାନାଧିକାରୀ ପ୍ରିୟରଂଜନ ରଂଜନ ଛୋଟରାୟ ପ୍ରମୁଖ ମଂଚାସୀନ ହୋଇ ସଡ଼କ ସୁରକ୍ଷା ଦିଗରେ ନିଜକୁ କିଭଳି ସତର୍କ ରଖିବେ ଏବଂ ନିଜ ଅମୂଲ୍ୟ ଜୀବନ ସୁରକ୍ଷିତ ରଖିବେ ସେଥି ନିମନ୍ତେ ନିଜେ ନିଜର ମତାମତ ଉପସ୍ଥାପନ କରିଥିଲେ।

କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରବି ନାରାୟଣ ବେହେରା ପରିଚାଳନା କରିଥିଲେ। ପ୍ରକାଶଥାଉକି ଗତ ଜାନୁୟାରୀ ୧୮ ତାରିଖରୁ ସଡ଼କ ସୁରକ୍ଷା ସଚେତନତା ମାସ ଚାଲୁରହିଛି।

Categories
ଆଜିର ଖବର ରାଜ୍ୟ ଖବର

ରବିବାରଠାରୁ ଖୋଲିବ ତାରାତାରିଣୀ ମନ୍ଦିର

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ତଥା ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ତାରାତାରିଣୀ ମନ୍ଦିର ଆସନ୍ତା ରବିବାରଠାରୁ ସର୍ବସାଧାରଣଙ୍କ ନିମନ୍ତେ ଖୋଲାଯିବା ନେଇ ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। ମଙ୍ଗଳବାର ଦିନ ଜିଲ୍ଲାପାଳଙ୍କ ସଦ୍‌ଭାବନା ସମ୍ମିଳନୀରେ ସମସ୍ତଙ୍କ ଉପସ୍ଥିତିରେ ମନ୍ଦିର ଖୋଲିବା ନେଇ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହା କୁହାଯାଇଛି।

ଭକ୍ତମାନେ ଦର୍ଶନ ନିମନ୍ତେ ଯିବାବେଳେ ମାସ୍କ ପରିଧାନ ସହିତ ସାମାଜିକ ଦୂରତ୍ୱ ଓ ସାନିଟାଇଜେସନ ଉପରେ ଅଧିକ ସତର୍କତା ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଛି। ଜିଲ୍ଲା ରହିଥିବା ଅନ୍ୟ ସମସ୍ତ ମନ୍ଦିରଗୁଡ଼ିକ ମଧ୍ୟ ସ୍ଥାନୀୟ ତହସିଲ୍‌ଦାର, ମନ୍ଦିର କମିଟି ଓ ସେବାୟତଙ୍କ ସହ ଆଲୋଚନା କରି ଖୋଲାଯିବ। ମନ୍ଦିର ଗର୍ଭଗୃହ ଗୁଡ଼ିକରେ ବାୟୁ ଚଳାଚଳ ହୋଇନଥାଏ ତେଣୁ ଜନଗହଳି ହେଲେ ସଂକ୍ରମଣ ଆଶା ରହିବ। ଏଣୁ ପୂଜକ ଓ ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ କୋଭିଡ଼-୧୯ ସତର୍କତା ଜରୁରୀ ବୋଲି ଜିଲ୍ଲାପାଳ କହିଥିଲେ। ମା’ ତାରାତାରିଣୀ ମନ୍ଦିରର ପାହାଡ଼ ସୁରକ୍ଷା କାର୍ଯ୍ୟ ସମେତ ଦୀପଘର, ସ୍ନାନ ମଣ୍ଡପ, ପ୍ରସାଦ ସେବନ ଗୃହ, ଭିଉ ପଏଣ୍ଟ ଇତ୍ୟାଦି ଅନେକ ଗୁଡ଼ିକ ଉନ୍ନୟନ କାର୍ଯ୍ୟ ଚାଲୁ ରହିଛି।

କୌଣସି ଯାନାବାହନ ପାହାଡ଼ର ୩.୫ କିଲୋମିଟର ଦେଇ ଯାତାୟତକୁ ବାରଣ କରାଯାଇଛି। ପାହାଡ଼ ରାସ୍ତା ସମସ୍ତଙ୍କ ପାଇଁ ଖୋଲା କିନ୍ତୁ ଯାନବାହାନ ନେବାକୁ ବାରଣ କରାଯାଇଛି। ପ୍ରଶାସନ ପକ୍ଷରୁ ବସ୍‌ଯୋଗେ ଯାତ୍ରୀଗଣ ଦର୍ଶନ କରିବାକୁ ଯାଇପାରିବେ। ସେବାୟତ ଓ ଉନ୍ନୟନ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବ। ପୂର୍ବାହ୍ନ ୬.୩୦ ରୁ ମଧ୍ୟାହ୍ନ ୧୨.୩୦ ଏବଂ ଅପରାହ୍ନ ୨ ଘଣ୍ଟାରୁ ୫ ଟା ପର୍ଯ୍ୟନ୍ତ ମନ୍ଦିର ଭିତରକୁ ଭକ୍ତମାନେ ବ୍ୟାରିକେଡ଼୍‌ରେ ଅଳ୍ପ ଅଳ୍ପ କରି ଦର୍ଶନ କରିବେ। ପିକ୍‌ନିକ୍ ଏବଂ ରୋଷଇ କରିବାକୁ ବାରଣ କରାଯାଇଛି। ଏହାସତ୍ତ୍ୱେ ବି କେହି ପକ୍‌ନିକ୍ କଲେ ସାମଗ୍ରୀକୁ ଜବତ କରିବାକୁ ତହସିଲ୍‌ଦାରଙ୍କ ନିର୍ଦ୍ଦେଶ ଦିଆଯାଇଛି।

ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅମୀୟ କୁମାର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଂଜନ ପୃଷ୍ଟି, ପୁରୁଷୋତ୍ତମପୁର ବିଡ଼ିଓ ବିଜୟ କୁମାର ବେହେରା, ତହସିଲ୍‌ଦାର ନିତେଶ୍ ତ୍ରିପାଠୀ, ଉପଖଣ୍ଡ ପୋଲିସ୍ ଅଧିକାରୀ ସୀମା, ସ୍ୱାଇଁ, ଭାରପ୍ରାପ୍ତ ଥାନା ଅଧିକାରୀ ଜଗନ୍ନାଥ ମଲିକ, ମନ୍ଦିର ଉନ୍ନୟନ କମିଟିର ଫାଉଣ୍ଡର ସଂପାଦକ ପ୍ରମୋଦ କୁମାର ପଣ୍ଡା, ମନ୍ଦିର ପ୍ରଶାସନିକ ଅଧିକାରୀ ଟି. କେ. ରେଡ୍ଡୀ, ସେବାୟତ ସଭାପତି ତପନ ରଣା, ସଂପାଦକ ବାପୁଜୀ ରଣା, ମିଟୁ ରଣା, ଧ୍ରୁବଚରଣ ପଣ୍ଡା ପ୍ରମୁଖ ଯୁବ ଏବଂ ସଂପୃକ୍ତ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜିଲ୍ଲାରେ ଜଣେ ବି ଶିଶୁଶ୍ରମିକ ରହିବେ ନାହିଁ: ଗଞ୍ଜାମ ଜିଲ୍ଲାପାଳ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଏଣିକି ପ୍ରତି ବ୍ଲକରେ ହେଉଥିବା ସମସ୍ତ ଲାଇନ ବିଭାଗର ଉନ୍ନୟନ କାର୍ଯ୍ୟ ଗୁଡିକର ଭିତ୍ତି ସଂରଚନା ଉନ୍ନୟନ କମିଟି ଗଠନ କରାଯାଇ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦ୍ୱାରା ପରିଚାଳିତ ହେବ। ବ୍ଲକସ୍ତରରେ ଦେଖାଯାଉଥିବା ସମସ୍ୟା ଗୁଡିକ ବିଡିଓଙ୍କ ସ୍ତରରେ ସମାଧାନ ହେବ। ବ୍ଲକସ୍ତରରେ ଯଦି ସମସ୍ୟାର ସମାଧାନ ହୋଇପାରୁନାହିଁ ତେବେ ଜିଲ୍ଲାସ୍ତରରେ ସେଗୁଡିକ ସମାଧାନ କରାଯିବ ବୋଲି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୋମବାର ଅନୁଷ୍ଠିତ ଭିଡିଓ କନଭେରନ୍ସିଂରେ ଜଣାଇଛନ୍ତି।

ବୈଠକରେ କୋଭିଡ-୧୯ ପରିଚାଳନା, ସ୍ୱଚ୍ଛ ଭାରତ ମିଶନର ଦ୍ୱିତୀୟ ଭାଗ କାର୍ଯ୍ୟ, ମୋ ୱାର୍ଡ, ଅଙ୍ଗନବାଡି କେନ୍ଦ୍ର, ଓଡିଶା ଆଦର୍ଶ ବିଦ୍ୟାଳୟ ଓ ବିଦ୍ୟାଳୟ ଗୁଡିକର ସଫେଇ କାର୍ଯ୍ୟ, ଅଙ୍ଗନବାଡି ଶିଶୁ ମାନଙ୍କୁ ପୋଷାକ ବଣ୍ଟନ ଇତ୍ୟାଦି ସଂପର୍କରେ ଆଲୋଚନା ହୋଇଯାଇଛି। ସମସ୍ତ ଦୋକାନ ଗୁଡିକରେ ପଞ୍ଚସୂତ୍ରୀ ନିୟମ ପାଳନ, ସାମାଜିକ ଦୂରତା ଓ ଧରପଗଡ ଦିଗରେ କଡାକଡି କରିବାକୁ ଜିଲ୍ଲପାଳ ନିର୍ଦ୍ଦେଶ ଦେଇଛନ୍ତି।

ଜିଲ୍ଲାର ସ୍ଥାନୀୟ ଲୋକଙ୍କ ଦ୍ୱାରା ସଂକ୍ରମଣର ଆଶା କ୍ଷୀଣ କିନ୍ତୁ ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତି ମାନଙ୍କ ସଂସ୍ପର୍ଶରେ ଆସି ସଂକ୍ରମଣ ହେବାର ଯଥେଷ୍ଟ ସମ୍ଭାବନା ହେତୁ ଉତ୍ସବ ଦ୍ୱାରା ଯେମିତି ସଂକ୍ରମଣ ବ୍ୟାପିବ ନାହିଁ ସେଥିପ୍ରତି ନଜର ରଖିବାକୁ କୁହାଯାଇଛି।

ସ୍ଥାନେ ସ୍ଥାନେ ଜଣେ କିମ୍ବା ଦୁଇଜଣ ସଂକ୍ରମିତ ବ୍ୟକ୍ତି ବାହାରୁଛନ୍ତି। ସେମାନଙ୍କ ପ୍ରତି ଧ୍ୟାନ ଦିଅନ୍ତୁ। ଜିଲ୍ଲାରେ ଜଣେ ମଧ ଶିଶୁ ଶ୍ରମିକ ରହିବେ ନାହିଁ ତାହା ସିନିଶ୍ଚିତ କରାନ୍ତୁ। କାମ ହେଉଥିବା ସ୍ଥାନରେ ଶ୍ରମିକ ମାନଙ୍କ ଅଧାର କାର୍ଡ ଯାଞ୍ଚ କରି ୧୪ବର୍ଷରୁ କମ୍ ପିଲା ଯେମିତି କାମ କରିବେ ନାହିଁ ତାହା ତଦାରଖ କରନ୍ତୁ। କାମବେଳେ କୋଭିଡ ନିୟମ ପାଳନ ହେଉଛି କି ନାହିଁ ତାହା ଶ୍ରମ ବିଭାଗର ଅଧିକାରୀ ମାନେ ଯାଞ୍ଚ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ମୋଗେହ୍ଲା ଝିଅ, ନିର୍ଭୟ କଢି କାର୍ଯ୍ୟକ୍ରମ ଅନୁସାରେ ବାଲ୍ୟବିବାହ ରୋକିବା ନେଇ ପ୍ରଚଳିତ ନୀତି ନିୟମର ଯାଞ୍ଚ କରାଯାଉ। ନରେଗାରେ ସ୍ୱଚ୍ଛ ଭାରତ, ଗାଁ ଯେମିତି ସଫାସୁତରା ରହିବ ତାହାର ପରିଚାଳନା ଦେଖନ୍ତୁ। ଗାଁର ପରିମଳ ଓ ସଫା ସୁତରା ନଥିଲେ ସଂପୃକ୍ତ ଅଧିକାରୀଙ୍କୁ ଦାୟୀ କରାଯିବ। ନାଳ ନର୍ଦ୍ଦମା ଉପରେ ରହିଥିବା ଘରକୁ ଅଧିକାରୀମାନେ ହଟାଇ ତାହାର ସଫେଇ କାର୍ଯ୍ୟ ତ୍ୱରାନ୍ୱୀତ କରାଯାଉ। ମୋ ୱାର୍ଡର ସାହି କମିଟି ଗଠନ କରି ହ୍ୱାଟସ୍‌ଅପ ଗୃଫ କରି ପରିଚାଳାନ ଦିଗରେ ସମସ୍ତ ବ୍ୟବସ୍ଥା ଶୀଘ୍ର ଶେଷ କରନ୍ତୁ। ସେ ସବୁ ଠିକ୍ ପରିଚାଳନା ହେଉଛି କି ନାହିଁ ତାହାର ତଦାରଖ ନିଜେ କ୍ଷେତ୍ର ପରିଦର୍ଶନ କରି ଜିଲ୍ଲାପାଳ ଦେଖିବେ ବୋଲି କହିଥିଲେ।

ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର, ଓଡିଶା ଆଦର୍ଶ ବିଦ୍ୟାଳୟ ଗୁଡିକର ସଫେଇ କାର୍ଯ୍ୟକୁ ତ୍ୱରାନ୍ୱୀତ କରାନ୍ତୁ। ବ୍ଲକ ସ୍ତରରେ ବିଡିଓ ଏବଂ ସହରାଞ୍ଚଳରେ କାର୍ଯ୍ୟନିର୍ବାହୀ ଅଧିକାରୀ ସମସ୍ତ ବିଦ୍ୟାଳୟ ପରିଦର୍ଶନ କରି ସ୍ଥିତି ଯାଞ୍ଚ କରନ୍ତୁ। ସମସ୍ତ ବ୍ଲକରେ ଅଭିଯୋଗ ପ୍ରକୋଷ୍ଠ ମାନ ଖୋଲି ରାସନ କାର୍ଡ, ଭତ୍ତା ଓ ଗ୍ରାମୀଣ ଗୃହ ଯୋଜନାର ଅଭିଯୋଗ ଗୁଡିକ ଶୁଣାଣୀ କରନ୍ତୁ।

ବୈଠକରେ ବ୍ରହ୍ମପୁର ମହାନଗର ନୀଗମ କମିସନର ଡଃ. ସିଦ୍ଧେଶ୍ୱର ବଳିରାମ ବନ୍ଦାର, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) କବିନ୍ଦ୍ର କୁମାର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି, ଡିଆରଡିଏ ଏପିଡି (ପ୍ରଶାସକ) ଜ୍ୟୋତି ଶଙ୍କର ରାୟ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଡଃ. ଦିବ୍ୟ ଲୋଚନ ମହାନ୍ତ, ଜିଲ୍ଲା ମଙ୍ଗଳ ଅଧିକାରୀ ପରକ୍ଷୀତ ଦାଶ, ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପ୍ରଧାନ, ଗଂଜାମ ଆରଟିଓ ବିକାଶ ଚୈାଧୂରୀ, ଭାରପ୍ରାପ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଧନ ଚନ୍ଦ୍ର ଦାଶ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରବି ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଗଂଜାମ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ରୋକିବା ନେଇ ବୈଠକ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ଯେଭଳି ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ନ ହେବେ ଏବଂ ଏହି ସଂକ୍ରମଣକୁ ରୋକିବା ନେଇ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଭି.ସି. ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ଆଶା ନେଇ ଜିଲ୍ଲା ପ୍ରଶାସନ ଦ୍ୱାରା ଏଥିପୂର୍ବରୁ କରାଯାଇଥିବା ସମସ୍ତ ବ୍ୟବସ୍ଥାକୁ ପୁନଃ ପ୍ରଚଳନ କରିବା ନେଇ ଜିଲ୍ଲାପାଳ ସମସ୍ତ ଉପଜିଲ୍ଲାପାଳ ଓ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ଭି.ସି. ମାଧ୍ୟମରେ ସତର୍କ କରାଇ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ପୁଣିଥରେ ଲକ୍‌ଡ଼ାଉନ୍ ଲଗାଇବାକୁ ସରକାର ଚାହାଁନ୍ତି ନାହିଁ। ସ୍ୱାବ୍ ସଂଗ୍ରହ କରି ନମୁନା ପରୀକ୍ଷା କାର୍ଯ୍ୟକୁ ବ୍ୟାପକ କରିବାକୁ ହେବ। ବର୍ତ୍ତମାନ ସମୟରେ ସଂକ୍ରମଣ କିଭଳି ବ୍ୟାପୁଛି ତାକୁ ତଦାରଖ କରିବାକୁ ପଡ଼ିବ।

ବର୍ତ୍ତମାନ ପୁଣି ଏମ୍‌କେସିଜି ମେଡ଼ିକାଲ୍‌ରେ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି। ଏହାର କାରଣ ଖୋଜିବା ସକାଶେ ସଂକ୍ରମିତ ବ୍ୟକ୍ତିଙ୍କର ସଂପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇ ସେଇ ଅନୁଯାୟୀ କାର୍ଯ୍ୟପନ୍ଥା ସ୍ଥିର କରିବାକୁ କହିଛନ୍ତି। ଜିଲ୍ଲାରେ କରୋନା ସଂକ୍ରମିତ ହୋଇ କେହି ଯେପରି ମୃତ୍ୟୁମୁଖରେ ପଡ଼ିବେ ନାହିଁ, ସେ ଲକ୍ଷ୍ୟ ନେଇ କାର୍ଯ୍ୟ କରିବାକୁ ପଡ଼ିବ। ସଚେତନତା କାର୍ଯ୍ୟକ୍ରମକୁ ଜୋର୍‌ଦାର କରିବା ସହିତ “ଆମ ସ୍ୱାସ୍ଥ୍ୟ ଆମ ଦାୟିତ୍ୱ” ଯୋଜନାକୁ ବ୍ୟାପକ କରି ଶିକ୍ଷକ, ଅଙ୍ଗନୱାଡ଼ି କର୍ମୀ ଓ ଆଶାକର୍ମୀଙ୍କୁ ନେଇ ଗଠିତ ଟିମ୍ ଜରିଆରେ ମେଗାସ୍ୱାସ୍ଥ୍ୟ ସ୍କ୍ରିନିଂ କରି ପ୍ରତି ଘରେ ତଥ୍ୟ ଥାଇ ପୋଷ୍ଟକାର୍ଡ଼ ସାଇଜର ଷ୍ଟିକର ଲଗାଯିବ। କୌଣସି ବାସଗୃହ ଯେପରି ବାଦ୍ ପଡ଼ିବେ ନାହିଁ ସେ ଦିଗରେ ସୁନିଶ୍ଚିତ କରି ନଭେମ୍ବର ପହିଲାରୁ ଏହି କାର୍ଯ୍ୟ ଆରମ୍ଭ କରାଯିବ।

ସାଇକେଲ୍ ରାଲି, ଜୁମ୍ ମିଟିଂ, ପଞ୍ଚସୂତ୍ର ନିୟମ, ଟୁଇଟ୍ ଦ୍ୱାରା ସଚେତନତା ବର୍ତ୍ତା, ହୋମ୍ ଆଇସେଲେସନ୍‌ରେ ରହିଥିବା ବ୍ୟକ୍ତିଙ୍କୁ କିଟ୍ ପ୍ରଦାନ, ସଂକ୍ରମିତ ବ୍ୟକ୍ତିଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ ଇତ୍ୟାଦି କାର୍ଯ୍ୟକୁ ବ୍ୟାପକ କରିବା ନେଇ ଆଲୋଚନା କରିଥିଲେ। ପଞ୍ଚସୂତ୍ରୀ ନିୟମକୁ କଡ଼ାକଡ଼ି କରି ଟିମ୍ ଦ୍ୱାରା ଯାଞ୍ଚ କରାଯାଇ ପ୍ରତି ଦୋକାନକୁ କୋଭିଡ଼୍ ନିରାପତ୍ତା (କୋଭିଡ଼୍‌ସେଫ୍‌) ପ୍ରମାଣପତ୍ର ପ୍ରଦାନ କରାଯିବ। ନିୟମ ଖିଲାପ ଦୋକାନକୁ ବନ୍ଦ କରାଯିବ। ସ୍ଥାନେ ସ୍ଥାନେ ମାସ୍କ ଚେକ୍ ପଏଣ୍ଟ କରି ଲୋକଙ୍କ ମାସ୍କ ପରିଧାନକୁ ସୁନିଶ୍ଚିତ କରାଯିବ। ପ୍ଲାଜମା ଦାନ ସଂଖ୍ୟା ବୃଦ୍ଧି କରିବାକୁ ପଡ଼ିବ। ସମସ୍ତ ସଚେତନତା କାର୍ଯ୍ୟ ପରେ ଚଢ଼ାଉ କରିବା ନିମନ୍ତେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ଉପଜିଲ୍ଲାପାଳ ଗଣ ନୋଡ଼ାଲ୍ ଅଧିକାରୀ ଭାବେ ସମସ୍ତ କାର୍ଯ୍ୟ ସଂପାଦନ କରିବେ। ବ୍ରହ୍ମପୁର ସହରକୁ ଅଧିକ ଫୋକସ୍ ଦେବା ସକାଶେ ମହାନଗର ନିଗମ କମିଶନର କଡ଼ା ଦୃଷ୍ଟି ଦେବେ। ହୋମ୍ ଆଇସୋଲେସନ୍ ଏବଂ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ସଂକ୍ରମିତ ବ୍ୟକ୍ତିଙ୍କୁ ଅଧିକ ଧ୍ୟାନ ଦେବାକୁ କହିବା ସହିତ ଶ୍ୱାସଜନୀତ ସମସ୍ୟା ରୋଗୀ ଓ ଗୁରୁତ୍ୱପୂର୍ଣ୍ଣ ରୋଗୀଙ୍କୁ ସ୍ୱତନ୍ତ୍ର ଭାବେ ଧ୍ୟାନଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

Categories
ଆଞ୍ଚଳିକ

ଗଞ୍ଜାମ ଜିଲ୍ଲାପାଳଙ୍କ ବେଗୁନିଆପଡା ଗସ୍ତ: କେ.ବରିଡା ସ୍ଥିତ ନିର୍ମାଣାଧୀନ ପାର୍କର ଅଗ୍ରଗତି ନେଇ କଲେ ସମୀକ୍ଷା

ପିଣ୍ଟୁ ବିଷୋୟୀ

ବେଗୁନିଆପଡା: ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ବେଗୁନିଆପଡା ବ୍ଲକ ଗ୍ରସ୍ତ। ମଙ୍ଗଳବାର ଦିନ ଜିଲ୍ଲାପାଳ କେ.ବରିଡା ସ୍ଥିତ ଅମରେଶ୍ବର ମନ୍ଦିର ପରିସରରେ ନିର୍ମାଣାଧୀନ ପାର୍କର ଅଗ୍ରଗତିର ସମୀକ୍ଷା କରିଛନ୍ତି। ନିର୍ମାଣଧୀନ ପାର୍କର ସୌନ୍ଦର୍ଯ୍ୟପୂର୍ଣ୍ଣ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦେବା ପାଇଁ ପ୍ରକାଶ କରିଥିଲେ। ମନରେଗା ଯୋଜନା ଏବଂ ପଂଚାୟତ ପାଣ୍ଠିରୁ ଆସିଥିବା ଅନୁଦାନରେ ଏହା ନିର୍ମାଣ ହେବାକୁ ଥିବା ବେଳେ ଏହି କାର୍ଯ୍ୟ ଶୀଘ୍ର ସାରିବା ପାଇଁ ସହକାରୀ ଯନ୍ତ୍ରୀଙ୍କୁ କହିଥିଲେ। ଏହି କାର୍ଯ୍ୟକ୍ରମରେ ବିଡ଼ିଓ ବେଦବର ପ୍ରଧାନ, ତହସିଲଦାର ପ୍ରଭାତ କୁମାର ପରିଡା, ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ପରିଡା, ସ୍ଥାନୀୟ ସରପଞ୍ଚ ଚିତ୍ରସେନ ନାୟକଙ୍କ ସମେତ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

Categories
ଆଜିର ଖବର ଆଞ୍ଚଳିକ

ଗଂଜାମରେ ସଂକ୍ରମଣ କମିଗଲା ବୋଲି ଭାବିବା ଭୁଲ୍‌, ସତର୍କ ରହିବା ଜରୁରୀ: ଜିଲ୍ଲାପାଳ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ କୋଭିଡ଼୍ ପରିଚାଳନାଗତ ବିସ୍ତୃତ ଆଲୋଚନା ହୋଇଥିଲା। ଆଲୋଚନାରେ ଆର୍‌ଟିପିସିଆର୍ ଏବଂ ଆଣ୍ଟିଜେନ୍ ପରୀକ୍ଷା, ଗ୍ରାମ୍ୟପଂଚାୟତ ଓ ୱାର୍ଡ଼ସ୍ତରୀୟ କୋଭିଡ଼୍ ପରିଚାଳନା, ପରିଚାଳନାରେ ସଂଘଗୁଡ଼ିକର ସଂପୃକ୍ତି କରାଇବା, ଆମ ସ୍ୱାସ୍ଥ୍ୟ ଆମ ଦାୟିତ୍ୱ, ଗର୍ଭବତୀ ମହିଳାଙ୍କ ନିମନ୍ତେ ସ୍ୱତନ୍ତ୍ର ଭାବେ ପରୀକ୍ଷା, ମିନି କଣ୍ଟନମେଣ୍ଟ ଜୋନ୍‌ର ପରିଚାଳନା, ସାମାଜିକ ଦୂରତ୍ୱ, ସମସ୍ତ ଏନ୍‌ଏସି ଗୁଡ଼ିକରେ ବୃକ୍ଷରୋପଣ କାର୍ଯ୍ୟକ୍ରମ, ଅଣ୍ଡା ବଣ୍ଟନ, ଆଡ଼ମିଶନ, ଡ଼ିସଚାର୍ଜ ଓ ମୃତ୍ୟୁଜନୀତ ପଂଜିକରଣ ଇତ୍ୟାଦି ବିଷୟରେ ସବିସ୍ତୃତ ଆଲୋଚନା ହୋଇଥିଲା।

ସେପ୍ଟେମ୍ବର ମାସ ମଧ୍ୟ ଗଂଜାମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଗଂଜାମରୁ କରୋନା ସଂକ୍ରମଣ କମିଗଲା ବୋଲି ଭାବିବା ସଂପୂର୍ଣ୍ଣ ଭୁଲ୍। ତେଣୁ ଜିଲ୍ଲାବାସୀ ସତର୍କ ରହିବା ନିହାତି ଆବଶ୍ୟକ। ଆର୍‌ଟିପିସିଆର୍ ଏବଂ ଆଣ୍ଟିଜେନ୍ ପରୀକ୍ଷା ନିମନ୍ତେ ଯାହା ଲକ୍ଷ୍ୟଧାର୍ଯ୍ୟ ହୋଇଛି ତାହା ଯେମିତି ପୂରଣ ହେବ ସେଥିପାଇଁ ଦୃଷ୍ଟି ଦିଅନ୍ତୁ, ପୂର୍ବଦିନମାନଙ୍କରେ ଯୋଜନା ପ୍ରସ୍ତୁତ କରି ପରୀକ୍ଷା କଲେ ଲକ୍ଷ୍ୟ ଧାର୍ଯ୍ୟ ପୂରଣ ହୋଇପାରିବ। କମ୍ୟୁନିଟି କ୍ୱାଡ଼ର କମିଟିକୁ ଚଳଚଞ୍ଚଳ କରି ସେମାନଙ୍କୁ କାର୍ଯ୍ୟରେ ନିୟୋଜିତ କରାନ୍ତୁ। କୋଭିଡ଼୍ ହୋମ୍ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ଚାଲୁ ରହିବ। ହୋମ୍ ଆଇସୋଲେସନ୍ ରୋଗୀଙ୍କ ସହ ସ୍ୱାସ୍ଥ୍ୟ ଅଧିକାରୀଗଣ ଭି.ସି. ମିଟି କରି ତାଙ୍କର ଅବସ୍ଥା ବୁଝନ୍ତୁ। ମେଗା ହେଲ୍‌ଥ ସ୍କ୍ରିନିଂ କରାଯିବ। ସ୍ୱୟଂ ସହାୟକ ଗୋଷ୍ଠୀରେ ଚଳଚଞ୍ଚଳ ଥିବା କୋଭିଡ଼୍ ସଖୀ ଭାବେ ଗ୍ରହଣ କରି ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ସେମାନ ଦ୍ୱାରା ସ୍ୱାସ୍ଥ୍ୟ ଓ ସଚେତନତା କାର୍ଯ୍ୟ ପରିଚାଳନା କରାଯିବ। ଗର୍ଭବତୀ ମହିଳାଙ୍କର ସ୍ୱତନ୍ତ୍ର ଭାବେ ପରୀକ୍ଷା କରାଯିବ। ମିନି କଣ୍ଟେନମେଣ୍ଟ ଅଂଚଳରେ ଭଲ କାର୍ଯ୍ୟ କରିବା ଯୋଗୁଁ ସଂକ୍ରମଣ ସଂଖ୍ୟା କମିଥିଲା।

ବର୍ତ୍ତମାନ ଖୋଲାଯାଉଥିବା ଦୋକାନ ଗୁଡ଼ିକ ସାମାଜିକ ଦୂରତ୍ୱ ପାଳନ କରୁନଥିବା ଦୃଷ୍ଟିକୁ ଆସୁଛି। ତେଣୁ ଚଢ଼ାଉ କରି ସଂପୃକ୍ତ ଦୋକାନକୁ ସାତଦିନ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ପ୍ରତି ସୋମବାର ଦିନ ଅଣ୍ଟା ବିତରଣ ହେବ। ସେପ୍ଟେମ୍ବର ମାସରେ ଚାରିମାସର ଜାତୀୟ ପେନସନ ଭତ୍ତା ଓ ମଧୁବାବୁ ପେନସନ ଭତ୍ତା ବଣ୍ଟନ କରାଯିବ। ସେପ୍ଟେମ୍ବର ମାସରେ ସମସ୍ତ ଏନ୍‌ଏସି ପରିଷଦ ଗୁଡ଼ିକରେ ବୃକ୍ଷରୋପଣ କାର୍ଯ୍ୟ କରାଯିବ। ଜିଲ୍ଲାର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରର ଓ ବିଦ୍ୟାଳୟଗୁଡ଼ିକର ସଫେଇ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ସ୍ୱତନ୍ତ୍ର ଅତିିରିକ୍ତ ଜିଲ୍ଲାପାଳ ପାରୁଲ ପଟୱାରୀ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ, ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଂଜନ ପୃଷ୍ଟି, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଲୋଚନ ମହାନ୍ତି, ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ଆର୍ ଜଗଦୀଶ ପଟ୍ଟନାୟକ ଓ ଏନ୍‌. ଆର୍‌ଏଚ୍‌ଏମ୍‌ର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ୟାମସୁନ୍ଦର ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ।

Categories
ଆଜିର ଖବର ଆଞ୍ଚଳିକ

ଗଞ୍ଜାମ ଜିଲ୍ଲାର ସମସ୍ତ ଆଧାର ପଂଜିକରଣ କେନ୍ଦ୍ର ଖୋଲିବାକୁ ନିର୍ଦ୍ଦେଶ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: କରୋନା ଭୟାବହତା ଯୋଗୁଁ ଆଧାର ପଂଜିକରଣ କେନ୍ଦ୍ରଗୁଡ଼ିକ ମାର୍ଚ୍ଚ ମାସ ୨୦ ତାରିଖଠାରୁ ବନ୍ଦ କରାଯାଇ ପଂଜିକରଣ କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। ଏଥିଯୋଗଁ ଅନେକ ହିତାଧିକାରୀ ବିଭିନ୍ନ ଯୋଜନାରୁ ବଂଚିତ ହେଉଥିଲେ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ତୁରନ୍ତ ଆଧାର ପଂଜିକରଣ କେନ୍ଦ୍ରଗୁଡ଼ିକ ଖୋଲିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାର ସମସ୍ତ ବ୍ଲକ୍‌, ଏନ୍‌ଏସିରେ ରହିଥିବା ଆଧାର ପଂଜିକରଣ କେନ୍ଦ୍ରଗୁଡ଼ିକ ସଠିକ୍ ସାନିଟାଇଜ୍ ଓ ସାମାଜିକ ଦୂରତ୍ୱ ବଜାୟ ରଖି ପଂଜିକରଣ କରନ୍ତୁ ବୋଲି ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଗଞ୍ଜାମ ଜିଲାରେ ଆଜି ରାତି ୯ ଟାରୁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌, ନିୟମ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ବ୍ରହ୍ମପୁର, ଗଞ୍ଜାମ ଜିଲାରେ ଆଜି(ଶୁକ୍ରବାର) ରାତି ୯ ଟାରୁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ହେବ। ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ଲକ୍‌ଡାଉନ୍‌ ପ୍ରକ୍ରିୟା ଜାରି ରହିବ। ଅପରପକ୍ଷରେ ଗଞ୍ଜାମ ଜିଲ୍ଲାର ୯ଟି ସହରରେ ୨୧ ତାରିଖ ପର୍ଯ୍ୟନ୍ତ ଜାରି ହୋଇଥିବା ସଟ୍‌ଡାଉନ୍‌କୁ ଉଠାଇ ଦିଆଯାଇଛି । ଏଠାରେ କେବଳ ଲକ୍‌ଡାଉନ୍ ବଳବତ୍ତର‌ ରହିବ। ଜିଲାର ଯେଉଁଠି ଯେଉଁଠି କରୋନା ସଂକ୍ରମଣ ବଢ଼ୁଛି ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ସେଠାରେ ପୂର୍ବ ଭଳି କଣ୍ଟେନମେଣ୍ଟ ନିୟମ ବଳବତ୍ତର ରହିବ ।

ଜିଲାରେ ଆରମ୍ଭ ହେବାକୁ ଥିବା ଲକ୍‌ଡାଉନ୍‌କୁ ସମ୍ପୂର୍ଣ୍ଣ ଭାବେ କଡ଼ାକଡ଼ି କରାଯିବ ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି । ଦୋକାନୀମାନେ କୋଭିଡ ନିୟମ ପାଳନ କରି ନିର୍ଦ୍ଧାରିତ ସମୟ ଭିତରେ ବ୍ୟବସାୟ କରିବେ, ଯଦି କେହି ନିୟମ ଉଲ୍ଲଘଂନ କରନ୍ତି ତେବେ ଦୋକାନ ବନ୍ଦ ସହ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଆଜି ରାଜ୍ୟରେ ୭୧୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬,୧୧୦କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୪୭୯ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୨୩୯ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ସବୁଦିନ ଭଳି ଆଜି ମଧ୍ୟ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୩୧ ଜଣ ଆକ୍ର‌ାନ୍ତ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଗଞ୍ଜାମ ଜିଲ୍ଲାରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫,୦୯୮ରେ ପହଞ୍ଚିଛି।