ସଡ଼କ ସୁରକ୍ଷା ସଚେତନତା ନେଇ ସାଇକେଲ୍ ରାଲି

Published: Feb 13, 2021, 7:10 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ସଡ଼କ ସୁରକ୍ଷା ନିୟମ ପାଳନ ଦ୍ୱାରା ହିଁ ନିଜର ଅମୂଲ୍ୟ ଜୀବନକୁ ସୁରକ୍ଷିତ ରଖିପାରିବା। ଏହା ହିଁ ଏକ ମାତ୍ର ରକ୍ଷା କବଚ ବୋଲି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି।

ଶୁକ୍ରବାର ଜାତୀୟ ସଡ଼କ ସୁରକ୍ଷା ସଚେତନତା ନିମନ୍ତେ ଛତ୍ରପୁରଠାରେ ସାମୁହିକ ସାଇକେଲ୍ ରାଲି ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ, ଛତ୍ରପୁର ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାୟ ପତାକା ଦେଖାଇ ଏହି ସାଇକେଲ୍ ରାଲିର ଶୁଭାରମ୍ଭ କରି ସେମାନେ ମଧ୍ୟ ବହୁ ଛାତ୍ରଛାତ୍ରୀ, ମାନ୍ୟଗଣ୍ୟ ବ୍ୟକ୍ତି ସହିତ ମିଶି ସାଇକେଲ୍ ଶୋଭାଯାତ୍ରାରେ ସାଇକେଲ୍ ଚାଳନା କରି ଛତ୍ରପୁର ସହର ପରିକ୍ରମଣ କରିଥିଲେ। ଗଣ ସାଇକେଲ୍ ରାଲିଟି ଛତ୍ରପୁର ସହର ପରିଭ୍ରମଣ କରି କଣମଣାଠାରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ପ୍ରର୍ଯ୍ୟନ୍ତ ପ୍ରାୟ ୧୦ କିଲୋମିଟର ରାସ୍ତା ଅତିକ୍ରମ କରି ପୁଣି ଛତ୍ରପୁର ସହରକୁ ପ୍ରତ୍ୟାବର୍ତ୍ତନ କରିଥିଲା।

ଆଞ୍ଚଳିକ ପରିବହନ ଅଧିକାରୀ ବିକାଶ ଚନ୍ଦ୍ର ଚୌଧୁରୀଙ୍କ ତତ୍ତ୍ୱବଧାନରେ ହୋଇଥିବା ଏହି ସାଇକେଲ୍ ରାଲି ଅବସରରେ ଅନୁଷ୍ଠିତ ମଂଚରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଂଜନ ପୃଷ୍ଟି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମ୍ବିକା ପ୍ରସାଦ ଦାସ, ଅତିରିକ୍ତ ଉପଜିଲ୍ଲାପାଳ ସରୋଜ କୁମାର ଦାସ, ଛତ୍ରପୁର ଥାନାଧିକାରୀ ପ୍ରିୟରଂଜନ ରଂଜନ ଛୋଟରାୟ ପ୍ରମୁଖ ମଂଚାସୀନ ହୋଇ ସଡ଼କ ସୁରକ୍ଷା ଦିଗରେ ନିଜକୁ କିଭଳି ସତର୍କ ରଖିବେ ଏବଂ ନିଜ ଅମୂଲ୍ୟ ଜୀବନ ସୁରକ୍ଷିତ ରଖିବେ ସେଥି ନିମନ୍ତେ ନିଜେ ନିଜର ମତାମତ ଉପସ୍ଥାପନ କରିଥିଲେ।

କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରବି ନାରାୟଣ ବେହେରା ପରିଚାଳନା କରିଥିଲେ। ପ୍ରକାଶଥାଉକି ଗତ ଜାନୁୟାରୀ ୧୮ ତାରିଖରୁ ସଡ଼କ ସୁରକ୍ଷା ସଚେତନତା ମାସ ଚାଲୁରହିଛି।

Related posts