ଭୁବନେଶ୍ୱର: ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ଆହ୍ୱାନ କ୍ରମେ ଭୁବନେଶ୍ୱର ଗାନ୍ଧୀମାର୍ଗରେ ଚାଲିଥିବା ଅହୋରାତ୍ର ଗଣଧାରଣା ଗୁରୁବାର ପଞ୍ଚମ ଦିବସରେ ପହଞ୍ଚିଛି। ରାଜଧାନୀର ରାଜରାସ୍ତା ଆଜି ଗଣତନ୍ତ୍ରର ଏକ ଅନନ୍ୟ ଓ ମର୍ମସ୍ପର୍ଶୀ ପରୀକ୍ଷା ଦେଇ ଗତି କରୁଛି। ପାଗର ପ୍ରତିକୂଳତା, ମଶା ଡାଆଁସର ପାଦୁର୍ଭାବ, ଓଦା ଯୁଡ଼ୁବୁଡ଼ୁ ପୋଷାକ ଓ ବିଛଣା ସତ୍ତ୍ୱେ ଏବେବି ହଜାର ହଜାର ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷାକର୍ମଚାରୀ ଅହୋରାତ୍ର ଧାରଣାରେ ବସିଛନ୍ତି। ପେଟର ଭୋକ ଓ ଆଖିର ଲୁହ ଆଜି ବନ୍ଧାପଡ଼ିଛି ଗଣତାନ୍ତ୍ରିକ ମୂଲ୍ୟବୋଧ, ସରକାରୀ ଦଳ ଓ କଳର ଦାୟିତ୍ୱହୀନତା ଆଗରେ ଅଥଚ ସରକାର ଚିନ୍ତାଶୂନ୍ୟ ହୋଇ ବସିଛନ୍ତି। ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶ କହିଛନ୍ତି ୫ ଦିନ ଧରି ଅହୋରାତ୍ର ଧାରଣା ଚାଲୁ ରହିଥିଲେ ସୁଦ୍ଧା ସମସ୍ୟା ସମାଧାନ ଦିଗରେ ସରକାର ବିଳମ୍ବ କରି ଚାଲିଛନ୍ତି।
ସୂଚନାଥାଉକି, ରାଜଧାନୀର ଖୋଲା ଆକାଶ ତଳେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀମାନେ ଦାବି ହାସଲ ପାଇଁ ଅହୋରାତ୍ର ଧାରଣାରେ ବସିରହି ଗଣତାନ୍ତ୍ରିକ ପଦ୍ଧତିରେ ନିଜର ନ୍ୟାୟ ମାଗୁଛନ୍ତି। ସେମାନଙ୍କ ଦାବି ଅତ୍ୟନ୍ତ ସମ୍ବେଦନଶୀଳ ଓ ଯଥାର୍ଥ ହୋଇଥିଲେ ମଧ୍ୟ ସରକାର ସମସ୍ୟା ସମାଧାନ କରିବା ନାଆଁ ଧରୁନାହାନ୍ତି ବୋଲି ସମନ୍ୱୟ ସମିତି ପକ୍ଷରୁ କୁହାଯାଇଛି। ଶିକ୍ଷକ ନେତୃତ୍ୱମାନେ ବାରମ୍ବାର ସରକାରଙ୍କ ସହିତ ଆଲୋଚନା କରିଛନ୍ତି ଓ ଦାବିପତ୍ର ପ୍ରଦାନ କରିଛନ୍ତି। ଏହାର ପ୍ରତିଦାନରେ କେବଳ ପ୍ରତିଶ୍ରୁତି ପାଇଛନ୍ତି କିନ୍ତୁ ସମସ୍ୟା ଗୁଡ଼ିକର ସମାଧାନ ସୂତ୍ର ଅଦ୍ୟାବଧି ବାହାରି ପାରି ନାହିଁ।
ଦୀର୍ଘ ୨୫ରୁ ୩୦ ବର୍ଷ ବିନା ପାରିଶ୍ରମିକରେ କାର୍ଯ୍ୟରତ ଅନୁଦାନ ଯୋଗ୍ୟ ସ୍କୁଲ କଲେଜର ଶିକ୍ଷକ କର୍ମଚାରୀମାନେ ଶୂନ୍ୟ ହସ୍ତରେ ଅବସର ନେବା ଓ ମୃତ୍ୟୁବରଣ କରିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ। ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ପ୍ରାୟ ୭୦୦୦ ରୁ ଊର୍ଦ୍ଧ୍ୱ ଶିକ୍ଷକ କର୍ମଚାରୀ ଇତିମଧ୍ୟରେ ଅବସର ନେଇଗଲେଣି।
ଅବସର ନେବା ପରେ ନିଜେ ବଞ୍ଚିବା ଓ ପରିବାର ପ୍ରତିପୋଷଣ ପାଇଁ ରାହା ନପାଇ ଲୁଚି ଲୁଚି ଅନେକ ମୂଲଲାଗି ଜୀବିକା ନିର୍ବାହ କରୁଛନ୍ତି ଓ କେତେକ ଶାରୀରିକ ଅସୁସ୍ଥତା କାରଣରୁ ମୃତ୍ୟୁ ସହିତ ଲଢ଼ୁଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଥିଲେ ମଧ୍ୟ ଅନୁଦାନ, ପେନସନ୍ ଓ ସମାନ କାମକୁ ସମାନ ଦରମା ମିଳୁ ନାହିଁ। ତେଣୁ ଶିକ୍ଷକ କର୍ମଚାରୀମାନଙ୍କର ପ୍ରମୁଖ ଦାବୀଗୁଡ଼ିକ ମଧ୍ୟରେ ସାମ୍ବିଧାନିକ ଢାଞ୍ଚାନୁସାରେ ସମସ୍ତଙ୍କୁ ସମାନ ସୁବିଧା ସୁଯୋଗ ଓ ସମ୍ମାନଜନକ ଆଇନ ସମ୍ମତ ଜୀବନ ଜୀଇଁବାର ଅଧିକାର ଆଧାରରେ ଯୋଗ୍ୟ ବିବେଚିତ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ, ରାଜ୍ୟର ସମସ୍ତ ନୂତନ ଅନୁଦାନ ପ୍ରାପ୍ତ ସ୍କୁଲ କଲେଜରୁ ଅବସର ନେଇଥିବା ଓ ନେବାକୁଥିବା ଶିକ୍ଷକ ଅଧ୍ୟାପକ ଓ ଶିକ୍ଷାକର୍ମଚାରୀମାନଙ୍କ ପାଇଁ ବ୍ୟବସ୍ଥାନୁସାରେ ଚାକିରି ସର୍ତ୍ତାବଳୀ ସହିତ ପେନ୍ସନ୍ ପ୍ରଦାନ, ଶୂନ୍ୟପଡ଼ିଥିବା ପଦବୀରେ ନିଯୁକ୍ତି, ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ସରକାରୀକରଣ ଏବଂ ଅବସର ବୟସସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି, ନୂତନ ପେନ୍ସନ୍ ବ୍ୟବସ୍ଥାକୁ ବାତିଲ କରି ପୂର୍ବ ପ୍ରଚଳିତ ପୁରୁଣା ପେନ୍ସନ୍ ବ୍ୟବସ୍ଥା ଲାଗୁ କରିବା ସହ ଗ୍ରେଡ଼ ପେରେ ଥିବା ଅସଙ୍ଗତି ଦୂର କରିବା, ୨୦୦୪ ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ୬ଟି ନୋସ୍ନାଲ ଇନ୍କ୍ରିମେଣ୍ଟ ଦେବା ସହିତ ବରିଷ୍ଠତା ପ୍ରଦାନ କରିବା ଏବଂ ରାଜ୍ୟର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ସମାନ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବା ଇତ୍ୟାଦି।
ଆଜିର ସାଧାରଣ ସଭାରେ ପ୍ରାକ୍ତନ ଶିକ୍ଷାପ୍ରଦୀପ ସଂପାଦକ ପ୍ରଫୁଲ୍ଲ କୁମାର ମହାନ୍ତି ଏବଂ ଓଡ଼ିଶା ଲୋକ ଦଳର ସଭାପତି ସନ୍ତୋଷ ନାରାୟଣ ଯୋଗଦେଇ ଶିକ୍ଷକ ମାନଙ୍କର ଦାବି ସପକ୍ଷରେ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିବା ସହିତ ସରକାର ତୁରନ୍ତ ଏସବୁ ଦାବି ପୂରଣ କରିବା ନିମନ୍ତେ ନିଜର ଅଭିଭାଷଣରେ କହିଥିଲେ।
ରାଜ୍ୟ ସରକାରଙ୍କ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ବିଭିନ୍ନ ବର୍ଗର ଲୋକମାନଙ୍କ ସହିତ ସାକ୍ଷାତ ଆଲୋଚନା କରି ସେମାନଙ୍କର ସମସ୍ୟାକୁ ସମାଧାନ କରିବା ପାଇଁ ପ୍ରଚେଷ୍ଟା ଜାରି ରଖିଥିବା ବେଳେ; ମାନବସମ୍ବଳ ଗଢ଼ୁଥିବା ତଥା ରାଜ୍ୟ ଶିକ୍ଷାର ଅର୍ଦ୍ଧାଧିକ ଶିକ୍ଷାଦାନ ଭାର ବହନ କରୁଥିବା ଶିକ୍ଷକ ଓ କର୍ମଚାରୀମାନଙ୍କ ପାଇଁ ଅନୁଦାନ ଓ ଶୂନ୍ୟ ହସ୍ତରେ ଅବସର ନେଉଥିବା ବା ନେବାକୁ ଥିବା ଶିକ୍ଷକ କର୍ମଚାରୀମାନଙ୍କୁ ପେନସନ୍ ପ୍ରଦାନ ଓ ସ୍ଥାୟୀ ନିଯୁକ୍ତି ବ୍ୟବସ୍ଥା ପ୍ରଚଳନ କରିବାକୁ ରାଜ୍ୟ ସରକାରଙ୍କୁ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ଅନୁରୋଧ ଜଣାଇ କୁହାଯାଇଛି ଯେ ଏହି ସଂଘର୍ଷ କେବଳ ନିଜର ପେଟପାଟଣା ପାଇଁ ନୁହେଁ ଏହା ହେଉଛି ଆତ୍ମସମ୍ମାନ ଏବଂ ଗଣତାନ୍ତ୍ରିକ ଅଧିକାରର ପୁନରୁଦ୍ଧାର ପାଇଁ ଏକ ଅହିଂସା କ୍ରାନ୍ତି।
ରାଜ୍ୟ ସରକାର ତୁରନ୍ତ ସମନ୍ୱୟ ସମିତିର ନେତୃତ୍ୱ ମାନଙ୍କ ସହିତ ଆଲୋଚନା କରି ସମସ୍ୟା ସମାଧାନର ରାସ୍ତା ବାହାର ନକଲେ ଆଗାମୀ ଦିନରେ ଏହା ଏକ ଜନଆନ୍ଦୋଳନର ରୂପ ନେବ ବୋଲି ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶଙ୍କ ସମେତ ସମନ୍ୱୟ ସମିତିର ସଭାପତି ସୁକାନ୍ତ କୁମାର ବେହେରା, ଅକ୍ଷୟ କୁମାର ମିଶ୍ର, ଡ଼. ପ୍ରଶାନ୍ତ କୁମାର ପ୍ରଧାନ, ନିର୍ମଳା ପଣ୍ଡା, ବିକ୍ରମ କୁମାର ଦାସ, ପ୍ରମୋଦ କୁମାର ହୋତା, ହରେକୃଷ୍ଣ ପାଣିଗ୍ରାହୀ, ଅଜୟ କୁମାର ପତି, ରଞ୍ଜନ କୁମାର ପଣ୍ଡା, ଏମ୍.ଏ. କାସିମ୍ ବେଗ୍, ପ୍ରଶାନ୍ତ କୁମାର ପତି, ସୁରେଶ ଚନ୍ଦ୍ର ଦାଶ, ରାଜା ଓସିମ୍, ନୀଳମଣି ପୁରୋହିତ, ବ୍ରଜ କିଶୋର ବିଶ୍ୱାଳ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି, ବନମାଳୀ ବାରିକ, ରାଜଲକ୍ଷ୍ମୀ ବେହେରା, ଜୟନ୍ତୀ ବଳ, ମାଣିକେଶ୍ୱର ସ୍ୱାଇଁ, ରମାକାନ୍ତ ମହାପାତ୍ର, ପ୍ରଦୀପ କୁମାର ମଙ୍ଗରାଜ, ନବକୁମାର ପଣ୍ଡା, ଗଦାଧର ଶତପଥୀ, ରମାକାନ୍ତ ଲେଙ୍କା ଏବଂ ମଧୁସୂଦନ ଦେ ପ୍ରମୁଖ ସରକାରଙ୍କୁ ଦୃଢ଼ ଚେତାବନୀ ଦେଇଛନ୍ତି।


