ରଣପୁର: ଶିକ୍ଷକମାନଙ୍କ ପାଇଁ ଲାଗୁ ହୋଇଥିବା ୟୁନିଫାଏଡ ଅଟୋମେସନ ବ୍ୟବସ୍ଥା ଭିତ୍ତିକ ଅନଲାଇନ ଉପସ୍ଥାନ ବ୍ୟବସ୍ଥାକୁ ନେଇ ଶିକ୍ଷକ ସଂଘ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି। ଅନେକ ବିଦ୍ୟାଳୟରେ ମୋବାଇଲ ନେଟୱର୍କ ଓ ଇଣ୍ଟରନେଟ ସୁବିଧା ଅପର୍ଯ୍ୟାପ୍ତ ଥିବାରୁ ଅନଲାଇନ ଉପସ୍ଥାନ ଦେବାରେ ଶିକ୍ଷକମାନେ ସମସ୍ୟାର ସମ୍ମୁଖୀନ ହେଉଥିବା ସଂଘ ପକ୍ଷରୁ କୁହାଯାଇଛି।
ଏହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟଗୁଡ଼ିକରେ ଆବଶ୍ୟକ ମୋବାଇଲ, ଇଣ୍ଟରନେଟ ଓ ନେଟୱର୍କ ସୁବିଧା ଯୋଗାଇଦେବା ପରେ UAS ଅନଲାଇନ ଉପସ୍ଥାନ ବ୍ୟବସ୍ଥାକୁ ସୁଚାରୁ ଭାବେ କାର୍ଯ୍ୟକାରୀ କରିବାକୁ ଶିକ୍ଷକ ସଂଘ ଦାବି କରିଛି।
ଏ ସମ୍ପର୍କରେ ଶିକ୍ଷକ ସଂଘର ପ୍ରତିନିଧିମାନେ ରଣପୁର ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରି ସମସ୍ୟାର ସମାଧାନ ପାଇଁ ଅନୁରୋଧ କରିଛନ୍ତି। ଦୁର୍ଗମ ଓ ନେଟୱର୍କ ସମସ୍ୟା ଥିବା ଅଞ୍ଚଳର ବିଦ୍ୟାଳୟଗୁଡ଼ିକ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଇ ଆବଶ୍ୟକ ଡିଜିଟାଲ ସୁବିଧା ଯୋଗାଇଦେବାକୁ ସଂଘ ପକ୍ଷରୁ ଦାବି ହୋଇଛି।
ଶିକ୍ଷକମାନଙ୍କ ମତରେ, ଡିଜିଟାଲ ଉପସ୍ଥାନ ବ୍ୟବସ୍ଥା ସଫଳ ଭାବେ କାର୍ଯ୍ୟକାରୀ କରିବା ପାଇଁ ପ୍ରଥମେ ବିଦ୍ୟାଳୟଗୁଡ଼ିକରେ ଆବଶ୍ୟକ ଭିତ୍ତିଭୂମି ଓ ଡିଜିଟାଲ ସୁବିଧା ସୁନିଶ୍ଚିତ କରାଯିବା ଆବଶ୍ୟକ।


