ମୋରଡ଼ା: ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅଞ୍ଚଳରେ ସୁନା ବ୍ୟବସାୟୀଙ୍କୁ ବନ୍ଧୁକ ମୁନରେ ଲୁଟ ଘଟଣା ଚର୍ଚ୍ଚାରେ। ଦୁର୍ବୃତ୍ତମାନେ ଅତ୍ୟନ୍ତ ଚତୁରତାର ସହ ନିଶାସକ୍ତ ବ୍ୟକ୍ତି ହେବାର ଅଭିନୟ କରି ପ୍ରଥମେ ବ୍ୟବସାୟୀଙ୍କ କାର ଅଟକାଇଥିଲେ। ପରେ ବନ୍ଧୁକ ଦେଖାଇ ତାଙ୍କଠାରୁ ସୁନା ଓ ରୂପା ଗହଣା ଭର୍ତ୍ତି ବ୍ୟାଗ ଲୁଟି ଫେରାର ହୋଇଯାଇଛନ୍ତି। ଲୁଟ ହୋଇଥିବା ଗହଣାର ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ବ୍ୟବସାୟୀ ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ, କୋଷ୍ଠା ଅଞ୍ଚଳର ଗହଣା ବ୍ୟବସାୟୀ ତପନ ପରିଡ଼ା ନିକଟସ୍ଥ ସନମୁଣ୍ଢାବଣୀ ହାଟରେ ବ୍ୟବସାୟ ସାରି କାରରେ ଘରକୁ ଫେରୁଥିଲେ। ତାଙ୍କ ସହ ବିକ୍ରି ପାଇଁ ନେଇଥିବା ସୁନା ଓ ରୂପା ଗହଣା ଭର୍ତ୍ତି ଏକ ବ୍ୟାଗ ଥିଲା।
ନୂଆଝାଳିଆ ପଞ୍ଚାୟତର ନୂଆଗାଁ ପୋଖରୀ ନିକଟରେ ପହଞ୍ଚିବା ପରେ ଦୁଇଟି ବାଇକ୍ରେ ଆସିଥିବା ୪ ଜଣ ଦୁର୍ବୃତ୍ତ ହଠାତ୍ ତାଙ୍କ କାର ସମ୍ମୁଖକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ନିଶାସକ୍ତ ବ୍ୟକ୍ତିର ଅଭିନୟ କରି ବାଇକ୍ ସହ କାର ଆଗରେ ପଡ଼ିଯାଇଥିଲେ। ଘଟଣା ଦେଖି ତପନ କାର ଅଟକାଇବା ପରେ ଅନ୍ୟ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ତାଙ୍କୁ ଭୟଭୀତ କରିଥିଲେ।
ବନ୍ଧୁକ ଦେଖାଇବା ପରେ ଦୁର୍ବୃତ୍ତମାନେ ତପନଙ୍କ ନିକଟରୁ ଗହଣା ଭର୍ତ୍ତି ବ୍ୟାଗ ଛଡ଼ାଇ ନେଇଥିଲେ। ବ୍ୟବସାୟୀଙ୍କ ଅଭିଯୋଗ ଅନୁସାରେ, ବ୍ୟାଗରେ ପ୍ରାୟ ୫ କିଲୋଗ୍ରାମ ରୂପା ଏବଂ ୬୦ ଗ୍ରାମ ସୁନା ଅଳଙ୍କାର ଥିଲା। ଲୁଟ ହୋଇଥିବା ଗହଣାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ।
ଲୁଟ ପରେ ଦୁର୍ବୃତ୍ତମାନେ ଦ୍ରୁତ ଗତିରେ ଘଟଣାସ୍ଥଳରୁ ଫେରାର ହେବାକୁ ଉଦ୍ୟମ କରିଥିଲେ। କିନ୍ତୁ ସେମାନଙ୍କ ଦୁଇଟି ବାଇକ୍ ମଧ୍ୟରୁ ଗୋଟିଏ ହଠାତ୍ ଷ୍ଟାର୍ଟ ହୋଇନଥିଲା। ଫଳରେ ଗୋଟିଏ ବାଇକ୍କୁ ଘଟଣାସ୍ଥଳରେ ଛାଡ଼ି ଅନ୍ୟ ବାଇକ୍ରେ ଚାରି ଜଣ ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ।
ଘଟଣା ପରେ ତପନ ପରିଡ଼ା ମୋରଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରେ ଛାଡ଼ି ଯାଇଥିବା ବାଇକ୍କୁ ଜବତ କରି ପୁଲିସ ଲୁଟେରାଙ୍କ ପରିଚୟ ଓ ଠିକଣା ସମ୍ପର୍କରେ ସୁରାକ୍ ଖୋଜୁଛି।
କାର ଆଗରେ ନିଶାସକ୍ତ ବ୍ୟକ୍ତିର ଅଭିନୟ କରି ଗାଡ଼ି ଅଟକାଇବା, ପରେ ବନ୍ଧୁକ ଦେଖାଇ ଗହଣା ଲୁଟିବା ଭଳି ଯୋଜନାବଦ୍ଧ ତରିକା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଲୁଟେରାଙ୍କୁ ଶୀଘ୍ର ଗିରଫ କରିବା ସହ ଲୁଟ ହୋଇଥିବା ଗହଣା ଉଦ୍ଧାର କରିବା ପୁଲିସ ପାଇଁ ଏବେ ବଡ଼ ଚ୍ୟାଲେଞ୍ଜ।


