ଭୁବନେଶ୍ୱର: ରାଜ୍ୟର ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବ୍ୟବସ୍ଥାରେ ଆସିବ ବଡ଼ ପରିବର୍ତ୍ତନ। ଏଣିକି ଡିଜିଟାଲ୍ ମାଧ୍ୟମରେ ରେକର୍ଡ ଓ ଯାଞ୍ଚ ହେବ ଉପସ୍ଥାନ। ଏଥିପାଇଁ HIMS ମାଧ୍ୟମରେ ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥା ଲାଗୁ କରାଯିବ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୦ଟି ଉଚ୍ଚଶିକ୍ଷାନୁଷ୍ଠାନରେ ଅଗଷ୍ଟ ୨୫ରୁ ପାଇଲଟ୍ ଭିତ୍ତିରେ ଏହି ବ୍ୟବସ୍ଥା ଆରମ୍ଭ ହେବ।
‘ଜ୍ଞାନୋଦୟ–ଶିକ୍ଷାରୁ ସମୃଦ୍ଧି’ ଯୋଜନାର ହିତାଧିକାରୀ ଛାତ୍ରଛାତ୍ରୀଙ୍କ ପାଇଁ ସର୍ବନିମ୍ନ ୭୫ ପ୍ରତିଶତ ଉପସ୍ଥାନ ବାଧ୍ୟତାମୂଳକ ରହିଛି। ଏହି ଉପସ୍ଥାନକୁ ସଠିକ୍ ଭାବେ ରେକର୍ଡ ଓ ଯାଞ୍ଚ କରିବା ସହ ଉପସ୍ଥାନରେ ସ୍ୱଚ୍ଛତା ଆଣିବା ଲକ୍ଷ୍ୟରେ ନୂଆ ବ୍ୟବସ୍ଥା କରାଯାଉଛି।
ପାଇଲଟ୍ ପ୍ରକଳ୍ପରେ ଛାତ୍ରଛାତ୍ରୀଙ୍କ ନାମ ପଞ୍ଜୀକରଣ ସହ ବାୟୋମେଟ୍ରିକ୍ ତଥ୍ୟ ରେକର୍ଡ କରାଯିବ। ଏହାପରେ ଉପସ୍ଥାନ ତଥ୍ୟ HIMS ସହ ସମନ୍ୱୟ କରାଯିବ। HIMS ମୋବାଇଲ୍ ଆପ୍ ମାଧ୍ୟମରେ ଉପସ୍ଥାନ ରେକର୍ଡ ପାଇଁ ସମ୍ପୃକ୍ତ କଲେଜର ଜିଓ-ଟ୍ୟାଗିଂ ହୋଇଥିବା ଆବଶ୍ୟକ।
ଏଥିରେ ଲୋକେସନ୍କୁ ମଧ୍ୟ ଗୁରୁତ୍ୱ ଦିଆଯିବ। କର୍ମଚାରୀଙ୍କ ମୋବାଇଲ୍ର GPS ଲୋକେସନ୍ କଲେଜ ପାଇଁ ନିର୍ଦ୍ଧାରିତ ସୀମା ମଧ୍ୟରେ ଥିଲେ ହିଁ ଉପସ୍ଥାନ ରେକର୍ଡ ହୋଇପାରିବ। ଏଥିସହ ଉପସ୍ଥାନ ସମୟରେ ଲାଇଭ୍ ଫଟୋ ନେବା ମଧ୍ୟ ବାଧ୍ୟତାମୂଳକ ରହିବ।
ପ୍ରଥମେ ୧୦ଟି ଉଚ୍ଚଶିକ୍ଷାନୁଷ୍ଠାନରେ ଏହି ବ୍ୟବସ୍ଥାର ପରୀକ୍ଷଣ କରାଯିବ। ପାଇଲଟ୍ ପ୍ରକଳ୍ପରେ ମିଳୁଥିବା ଅନୁଭୂତି, ଅସୁବିଧା ଓ ମତାମତକୁ ଆଧାର କରି ବ୍ୟବସ୍ଥାର ମୂଲ୍ୟାଙ୍କନ ଓ ଆବଶ୍ୟକ ସୁଧାର କରାଯିବ।
ପାଇଲଟ୍ ପର୍ଯ୍ୟାୟ ସଫଳ ହେବା ପରେ ରାଜ୍ୟର ଅନ୍ୟ ଯୋଗ୍ୟ ଉଚ୍ଚଶିକ୍ଷାନୁଷ୍ଠାନରେ ଏହାକୁ ପର୍ଯ୍ୟାୟକ୍ରମେ ଲାଗୁ କରିବାର ପ୍ରସ୍ତାବ ରହିଛି। ଏହା ଦ୍ୱାରା ଉପସ୍ଥାନ ବ୍ୟବସ୍ଥା ଅଧିକ ସ୍ୱଚ୍ଛ ଓ ଡିଜିଟାଲ୍ ହେବା ସହ ଯୋଜନାର ହିତାଧିକାରୀଙ୍କ ଉପସ୍ଥାନ ଉପରେ ମଧ୍ୟ ନଜର ରଖିବା ସହଜ ହେବ।


