କାନପୁର: କାନପୁର ନିକଟ ଗଙ୍ଗାନଦୀ କୂଳରେ ଗୁରୁବାର ଏକ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ପୂର୍ବାହ୍ନ ପ୍ରାୟ ୧୧ଟା ୫୦ରେ ଘଟିଥିବା ଏହି ଦୁର୍ଘଟଣାରେ ପାଇଲଟ୍ ସଚ୍ଚିନ ଭାଟିଆ ଓ କୋ-ପାଇଲଟ୍ ଅଭିଷେକ ପୂଜାରୀଙ୍କ ମୃତ୍ୟୁ ଘଟିଛି।
ଡିଜିସିଏ ସୂଚନା ଅନୁଯାୟୀ, ଦୁଇ ସିଟ୍ ବିଶିଷ୍ଟ ବିମାନଟି କାନପୁର ସିଭିଲ୍ ଏୟାରପୋର୍ଟରୁ ସକାଳ ୧୧ଟା ୩୦ରେ ଟ୍ରେନିଂ ପାଇଁ ଉଡ଼ାଣ ଆରମ୍ଭ କରିଥିଲା। ତାଲିମ ସାରି ବେସ୍କୁ ଫେରୁଥିବା ସମୟରେ ଗଙ୍ଗା କୂଳରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ବିମାନଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।
କାନପୁର ନଗର ପୁଲିସ କମିଶନରଙ୍କ ସୂଚନା ଅନୁଯାୟୀ, ପାଇଲଟ୍ଙ୍କର ପ୍ରାୟ ୩ ହଜାର ଘଣ୍ଟା ବିମାନ ଚଳାଇବାର ଅଭିଜ୍ଞତା ଥିଲା। ଦୁର୍ଘଟଣାର କାରଣ ଜାଣିବାକୁ ଡିଜିସିଏଠାରୁ ତଥ୍ୟ ମଗାଯାଇଛି।
ସୂଚନା ଅନୁସାରେ, ଏହି ଟ୍ରେନିଂ ବିମାନଟି ୨୦୨୩ରେ କିଣାଯାଇଥିଲା ଏବଂ ଏଥିରେ ଡବଲ୍ ଇଞ୍ଜିନ୍ ଥିଲା। ଘଟଣାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।


