ଭୁବନେଶ୍ବର: ହୀରାକୁଦ ଜଳଭଣ୍ଡାରରୁ ୧୬ଟି ଗେଟ୍ ଖୋଲାଯିବା ପରେ ରାଜ୍ୟରେ ବନ୍ୟା ଆଶଙ୍କା ବଢ଼ିଛି। ମୁଣ୍ଡଳୀ ନିକଟରେ ପ୍ରାୟ ୬ ଲକ୍ଷ ୫୦ ହଜାର କ୍ୟୁସେକ୍ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧିକୁ ନେଇ ଚିନ୍ତା ବଢ଼ିଛି। ବିଶେଷକରି ଦେବୀ ନଦୀ ଓ ଏହାର ଶାଖା ନଦୀଗୁଡ଼ିକ ଉପରେ ଏବେ ନଜର ରହିଛି।
ଦେବୀ ନଦୀର ବନ୍ୟା ଜଳ ବାଉରିଆକଣ ନିକଟରେ ଆଜି ସକାଳ ସୁଦ୍ଧା ବିପଦ ସଂକେତ ତଳେ ପ୍ରବାହିତ ହେଉଛି। ତେବେ ଜଳସ୍ତର କ୍ରମାଗତ ଭାବେ ବଢ଼ୁଥିବାରୁ ଆଗାମୀ ସମୟରେ ସ୍ଥିତି ଗମ୍ଭୀର ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।
ସେପଟେ ଆଜି ପୂର୍ଣ୍ଣିମା ତିଥି ଥିବାରୁ ସମୁଦ୍ରକୁ ନଦୀଜଳ ନିଷ୍କାସନରେ ବାଧା ସୃଷ୍ଟି ହେଉଛି। ଫଳରେ ଦେବୀ ନଦୀ ସମେତ ଏହାର ଶାଖା ନଦୀଗୁଡ଼ିକରେ ଜଳସ୍ତର ଆହୁରି ବଢ଼ିପାରେ ବୋଲି ଆଶଙ୍କା ରହିଛି।
ନଦୀର ଜଳସ୍ତର ବଢ଼ିବା ଯୋଗୁଁ ଅସ୍ତରଙ୍ଗ ବ୍ଲକର ଦୁଇଟି ପଞ୍ଚାୟତର ଚାଷଜମିରେ ବନ୍ୟାଜଳ ପ୍ରବେଶ କରିଛି। ଏଥିରେ ଚାଷଜମି ଜଳମଗ୍ନ ହେବାରୁ ଚାଷୀଙ୍କ ଚିନ୍ତା ବଢ଼ିଛି।
ହୀରାକୁଦରୁ ଜଳ ନିଷ୍କାସନ ପରେ ମୁଣ୍ଡଳୀରେ ବଢ଼ୁଥିବା ଜଳ ପ୍ରବାହ ସହ ଦେବୀ ନଦୀର ଜଳସ୍ତର ଉପରେ ମଧ୍ୟ ନଜର ରଖାଯାଇଛି। ଆଗାମୀ ଘଣ୍ଟାଗୁଡ଼ିକରେ ଜଳସ୍ତର କିଭଳି ବଢ଼ୁଛି ଏବଂ ବନ୍ୟା ପରିସ୍ଥିତି କେତେ ଗମ୍ଭୀର ରୂପ ନେଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର।


