ଭୁବନେଶ୍ୱର: ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ସହ ଅପରାଧ ନିୟନ୍ତ୍ରଣ ଓ ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ପୁଲିସକୁ ନୂଆ ଦିଗଦର୍ଶନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟ ପୁଲିସ ଭବନରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଡିଜିପି ଓ ଆଇଜିପି ସମ୍ମିଳନୀରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଆଇନଶୃଙ୍ଖଳା, ଆଭ୍ୟନ୍ତରୀଣ ସୁରକ୍ଷା ଓ ‘ସ୍ମାର୍ଟ ପୁଲିସିଂ’ ବ୍ୟବସ୍ଥାର ସମୀକ୍ଷା କରିଥିଲେ।
ମହିଳା ବିରୋଧୀ ହିଂସା, ସଂଗଠିତ ଅପରାଧ ଓ ଅସାମାଜିକ ତତ୍ତ୍ୱଙ୍କ ବିରୋଧରେ ‘ଜିରୋ ଟଲରେନ୍ସ’ ନୀତି ଆପଣାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ମହିଳା ବିରୋଧୀ ଅପରାଧରେ ବର୍ତ୍ତମାନର ପ୍ରାୟ ୪୦ ପ୍ରତିଶତ ଦଣ୍ଡବିଧାନ ହାରକୁ ଅତି କମ୍ରେ ୭୫ ପ୍ରତିଶତକୁ ବଢ଼ାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି। ନିଶା କାରବାରର ମୂଳ ସିଣ୍ଡିକେଟ୍ ଓ ଆର୍ଥିକ ନେଟୱର୍କ ଧ୍ୱଂସ ପାଇଁ ପୁଲିସକୁ କଠୋର ଅଭିଯାନ ଚଳାଇବାକୁ ମଧ୍ୟ ନିର୍ଦ୍ଦେଶ।
ପାର୍ବଣ ଋତୁ ପୂର୍ବରୁ ବେଆଇନ ଚାନ୍ଦା ଆଦାୟ ଓ ଦାଦାବଟି ରୋକିବାକୁ ଅଭିଯାନକୁ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏବଂ ସର୍ବୋପରି ଥାନାକୁ ଆସୁଥିବା ସାଧାରଣ ଲୋକଙ୍କ ସହ ପୁଲିସ ସହାନୁଭୂତିଶୀଳ ଓ ଭଦ୍ର ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ସେହିପରି ତଟ ସୁରକ୍ଷାରେ ଡ୍ରୋନ୍ ଓ ବୋଟ୍ ଉପରେ ମଧ୍ୟ ଗୁରୁତ୍ଵାରୋପ କରିଛନ୍ତି । ୫୭୫ କିମି ତଟରେଖାର ସୁରକ୍ଷା ପାଇଁ ଡ୍ରୋନ୍, ଇଣ୍ଟରସେପ୍ଟର ବୋଟ୍, ATV ଓ ପୂର୍ବତନ ସେନାକର୍ମୀଙ୍କୁ ନିୟୋଜନ କରାଯିବା ନେଇ ସୂଚନା ଦେଇଛନ୍ତି ।
ସାଇବର ଠକେଇ ଉପରେ କଡା ନଜର ମଧ୍ୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଡିଜିଟାଲ ସର୍ଭେଲାନ୍ସ ସୁଦୃଢ଼ କରିବା ସହ ଡାର୍କ ୱେବ୍ ଉପରେ କଡ଼ା ନଜର ରଖାଯିବ। ଆହୁରି ମଧ୍ୟ NATGRID ଓ CCTNS ଜରିଆରେ ଗୁଇନ୍ଦା ବ୍ୟବସ୍ଥା ସୁଦୃଢ଼ କରାଯିବ। ଥାନା ଆଧୁନିକୀକରଣ ପାଇଁ ସ୍ୱତନ୍ତ୍ର ତଦନ୍ତ ପାଣ୍ଠି ମଞ୍ଜୁର ହୋଇଥିବାର କହିଛନ୍ତି ମୁଖ୍ୟମନ୍ତ୍ରୀ ।


