ଭୁବନେଶ୍ଵର: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟରେ ଖାଦ୍ୟର ଗୁଣବତ୍ତା ଓ ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ବ୍ୟାପକ ଯାଞ୍ଚ କରାଯାଉଛି। ଆଜି ପର୍ଯ୍ୟନ୍ତ ଏହି ଅଭିଯାନରେ ମୋଟ ୩ ହଜାର ୬ ଶହ ୫ କିଲୋଗ୍ରାମ ଖରାପ ଖାଦ୍ୟ ସାମଗ୍ରୀ ନଷ୍ଟ କରାଯାଇଥିବା ବେଳେ ୪୭୫ଟି ଖାଦ୍ୟ ନମୁନା ପରୀକ୍ଷା ନିମନ୍ତେ ସଂଗ୍ରହ କରାଯାଇଛି। ଏହା ସହିତ ମୋଟ ୨ ଲକ୍ଷ ୮୪ ହଜାର ୫୦୦ ଟଙ୍କାର ଜରିମାନା ଆଦାୟ କରାଯାଇଛି। ଉପଭୋକ୍ତାମାନଙ୍କୁ ଖାଦ୍ୟ କିଣିବା ସମୟରେ ଗୁଣବତ୍ତା, ପରିଷ୍କାର-ପରିଚ୍ଛନ୍ନତା ଓ ଲେବେଲିଂ ଯାଞ୍ଚ କରିବାକୁ ବିଭାଗ ପକ୍ଷରୁ ସଚେତନ କରାଯାଇଛି।


