ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ବିଭିନ୍ନ ସାମାଜିକ କ୍ଷେତ୍ରର ସମୀକ୍ଷା କରି ତଥ୍ୟଭିତ୍ତିକ ଅନୁଧ୍ୟାନ, ବିଭାଗୀୟ ସମନ୍ୱୟ ଓ ନିରନ୍ତର ତଦାରଖକୁ ଅଧିକ ସୁଦୃଢ଼ କରିବାକୁ ଆହ୍ୱାନ ଦେଇଛନ୍ତି। ଲୋକସେବା ଭବନଠାରେ ଅନୁଷ୍ଠିତ ‘ପ୍ରୟାସ’ ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ ସଂପର୍କିତ ବିଭିନ୍ନ ସୂଚକର ସମୀକ୍ଷା କରାଯାଇଛି। ତଥ୍ୟଭିତ୍ତିକ ସମୀକ୍ଷା ସହ ଜିଲ୍ଲାସ୍ତରରେ ଚିହ୍ନଟ ହୋଇଥିବା ସମସ୍ୟାର ସମାଧାନ ଓ ନିରନ୍ତର ଅନୁଧ୍ୟାନ ଉପରେ ଗୁରୁତ୍ୱ ଦିଆଯାଇଛି।
ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗର ସମୀକ୍ଷାରେ ଶିଶୁ ଓ ମାତୃ ପୋଷଣକୁ ଅଧିକ ପ୍ରଭାବୀ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଖାଦ୍ୟର ପରିମାଣ ସହିତ ପୃଷ୍ଟିସାର, ସ୍ନେହସାର ଓ ବିଭିନ୍ନ ପୋଷକତତ୍ତ୍ୱର ସମନ୍ୱୟ ମାଧ୍ୟମରେ ପରିବାରସ୍ତରରେ ପୋଷଣ ସୁରକ୍ଷା ସୁନିଶ୍ଚିତ କରିବାକୁ ଗୁରୁତ୍ୱ ଦିଆଯାଇଛି। ପୋଷଣ-ବଗିଚା, ଘରୋଇ ପନିପରିବା ଓ ଫଳ ଚାଷ, ଚାରା ବଣ୍ଟନ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ତାଜା ପନିପରିବା ଯୋଗାଣକୁ ବିଭିନ୍ନ ବିଭାଗର ସମନ୍ୱିତ ପ୍ରୟାସରେ କରାଯିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି। ରାଜ୍ୟରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ପୋଷଣ ସ୍ଥିତିର ଉନ୍ନତି ପାଇଁ ନିୟମିତ ଅନୁଧ୍ୟାନ କରାଯାଉଛି। ଶିଶୁମାନଙ୍କର ଶାରୀରିକ ଅଭିବୃଦ୍ଧି ମାପିବା, ନିୟମିତ ଗୃହ ପରିଦର୍ଶନ, ପୋଷଣ ଖାଦ୍ୟ ବଣ୍ଟନ ଏବଂ ଅଙ୍ଗନବାଡ଼ି କର୍ମୀଙ୍କ ଦକ୍ଷତା ବୃଦ୍ଧି ଆଦି କାର୍ଯ୍ୟକ୍ରମକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଉଥିବା ସଂପର୍କରେ ବିଭାଗୀୟ ସଚିବ ତଥ୍ୟ ରଖିଥିଲେ।
ଶିକ୍ଷା କ୍ଷେତ୍ରରେ ପ୍ରାଥମିକ ସ୍ତରରେ ଶିଶୁମାନଙ୍କର “ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ”(ଏଫଏଲଏନ) ଦକ୍ଷତା ବୃଦ୍ଧି ଉପରେ ସମୀକ୍ଷା କରାଯାଇଥିଲା। ଶିକ୍ଷଣ ପ୍ରକ୍ରିୟାର ନିୟମିତ ଅନୁଧ୍ୟାନ, ଶିକ୍ଷଣ ସାମଗ୍ରୀର ଉପଯୋଗ ଏବଂ ବିଦ୍ୟାଳୟସ୍ତରରେ ଶିଶୁମାନଙ୍କ ଶିକ୍ଷଣ ଫଳାଫଳର ନିୟମିତ ମୂଲ୍ୟାୟନକୁ ଅଧିକ ସୁଦୃଢ଼ କରିବାକୁ ପରାମର୍ଶ ଦିଆଯାଉଥିବା ସଂପର୍କରେ ବିଭାଗୀୟ ସଚିବ ଆଲୋଚନା କରିଥିଲେ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସମୀକ୍ଷାରେ ମାତୃ ଓ ନବଜାତ ଶିଶୁ ମୃତ୍ୟୁ ହ୍ରାସ, ନବଜାତ ଶିଶୁଙ୍କ ଉନ୍ନତ ଚିକିତ୍ସା, ସଂକ୍ରମଣ ନିରୋଧ ଓ ନିୟନ୍ତ୍ରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏ ସଂପର୍କରେ ଆଲୋଚନା କରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ୨୦୨୬ ଜାନୁଆରୀରୁ ଜୁଲାଇ ମଧ୍ୟରେ ରାଜ୍ୟରେ ନବଜାତ ଶିଶୁ ମୃତ୍ୟୁ ହାର ହ୍ରାସ ପାଇଥିବା ଦର୍ଶାଇଥିଲେ। ବିଭାଗୀୟ ସଚିବ ନବଜାତ ଶିଶୁଙ୍କ ଜୀବନରକ୍ଷା କ୍ଷେତ୍ରରେ କେତେକ ସଫଳ ଉଦାହରଣ ଦେଇଥିଲେ।
ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନବଜାତ ଶିଶୁ ଚିକିତ୍ସା କେନ୍ଦ୍ରରେ ୫୦୦ ଗ୍ରାମ ଓଜନରେ ଜନ୍ମ ନେଇଥିବା ଏକ ଶିଶୁ ୭୮ ଦିନର ଚିକିତ୍ସା ପରେ ୧.୬ କିଲୋଗ୍ରାମ ଓଜନରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୯୦୦ ଗ୍ରାମ ଓଜନରେ ଜନ୍ମ ନେଇଥିବା ଅପରିପକ୍ୱ ଶିଶୁ ମଧ୍ୟ ସଫଳ ଚିକିତ୍ସା ପରେ ସୁସ୍ଥ ହୋଇ ଡିସଚାର୍ଜ ହୋଇଛି। ବିଭିନ୍ନ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ସଂକ୍ରମଣ ନିରୋଧ ଓ ନିୟନ୍ତ୍ରଣ ସମ୍ପର୍କିତ ଅନୁଧ୍ୟାନ, ହାତ ସଫା ରଖିବା, ଚିକିତ୍ସାଳୟ ପରିସ୍କାର ପରିଚ୍ଛନ୍ନତା, ଜୈବ ଚିକିତ୍ସା ବର୍ଜ୍ୟ ପରିଚାଳନା ଏବଂ ସୁରକ୍ଷା ସାମଗ୍ରୀ ବ୍ୟବହାର ସମ୍ପର୍କିତ ଚିହ୍ନଟ ହୋଇଥିବା ଅଭାବଗୁଡ଼ିକର ସମୟ ସୀମା ମଧ୍ୟରେ ସମାଧାନ ସହ ନିୟମିତ ଯାଞ୍ଚ, କର୍ମଚାରୀଙ୍କ ପୁନଃପ୍ରଶିକ୍ଷଣ ଓ ନିରନ୍ତର ଅନୁଧ୍ୟାନକୁ ସୁଦୃଢ଼ କରାଯାଉଛି। ଫଳରେ ସଂସ୍ଥାଗତ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ପରିଲକ୍ଷିତ ହେଉଥିବା ସଂପର୍କରେ ସଚିବ ଦର୍ଶାଇଥିଲେ। ଆଗାମୀ ‘ପ୍ରୟାସ’ ସମୀକ୍ଷା ପାଇଁ ସମସ୍ତ ୩୦ଟି ଜିଲ୍ଲାରେ ନିୟମିତ ଓ ତଥ୍ୟଭିତ୍ତିକ ବିଭାଗୀୟ ବୈଠକର ଆୟୋଜନ ସ୍ତିରୀକୃତ ହୋଇଛି। ନିର୍ଦ୍ଧାରିତ ଦିନରେ ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ଉଚ୍ଚ ବିପଦପୂର୍ଣ୍ଣ ଗର୍ଭଧାରଣର ଚିହ୍ନଟ ଓ ଅନୁସରଣ ଏବଂ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ସଂକ୍ରମଣ ନିରୋଧ ଓ ନିୟନ୍ତ୍ରଣ ବ୍ୟବସ୍ଥାର ନିରନ୍ତର ଅନୁଧ୍ୟାନ ଉପରେ ଗୁରୁତ୍ୱ ଦିଆଯାଇଛି।
ଏହାସହ “ଯକ୍ଷ୍ମାମୁକ୍ତ ଭାରତ ଅଭିଯାନ”ର ୧୦୦ ଦିନିଆ ଅଭିଯାନ ଅଧୀନରେ ଆସନ୍ତା ୧ ସେପ୍ଟେମ୍ବରରୁ ବ୍ୟାପକ ‘ଏକ୍ସ-ରେ ଯାଞ୍ଚ’ ଅଭିଯାନ ଆରମ୍ଭ ହେବ। ଉପଲବ୍ଧ ଏକ୍ସ-ରେ ମେସିନର ସର୍ବାଧିକ ବ୍ୟବହାର, ଦୂରଦୂରାନ୍ତ ଅଞ୍ଚଳରେ ଯାଞ୍ଚ ଶିବିର ଆୟୋଜନ ଏବଂ ଦୈନିକ ଭିତ୍ତିରେ ଯାଞ୍ଚର ଅନୁଧ୍ୟାନ ଓ ରିପୋର୍ଟିଂ କରିବାକୁ ଜିଲ୍ଲାପାଳମାନଙ୍କୁ ଦାୟିତ୍ୱ ଦିଆଯାଇଛି। ଘରୋଇ ଯକ୍ଷ୍ମା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଏକ୍ସ-ରେ ଯାଞ୍ଚ ପରେ ପ୍ରତିଷେଧକ ଚିକିତ୍ସା ଅଧୀନରେ ଆଣିବା, ଯକ୍ଷ୍ମା ରୋଗୀଙ୍କ ସହ ଜଡ଼ିତ ଅନ୍ୟ ଅସୁରକ୍ଷିତ ବର୍ଗକୁ ଏହି ଚିକିତ୍ସା ସେବାରେ ସାମିଲ କରିବା ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ପୋଷଣ ସହାୟତା ତ୍ୱରିତ ଭାବେ ଯୋଗାଇଦେବାକୁ ଜିଲ୍ଲାସ୍ତରରେ ପଦକ୍ଷେପ ନେବାକୁ କୁହାଯାଇଛି।
ଦୃଷ୍ଟାନ୍ତମୂଳକ ଭାବେ ଅନୁଗୋଳ ଜିଲ୍ଲାରେ ମାତୃ ମୃତ୍ୟୁହାର ହ୍ରାସ କରିବା ଦିଗରେ ଉନ୍ନତ ଡାକ୍ତରୀ ସେବା, ପ୍ରସୂତିଙ୍କ ପାଇଁ ଆବଶ୍ୟକ ପୂର୍ବପ୍ରସ୍ତୁତି, ଡାକ୍ତରଖାନାଗୁଡ଼ିକରେ ବ୍ୟବହାରିକ ପରିବର୍ତ୍ତନ ଏବଂ ନିୟମିତ ତଦାରଖ ଭଳି ପଦକ୍ଷେପ ସହାୟକ ହୋଇଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। ସେହିପରି, ରାୟଗଡ଼ା ଜିଲ୍ଲାପାଳ ଜିଲ୍ଲାର ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ରକ୍ତହୀନତା ଦୂରୀକରଣ ପାଇଁ ବ୍ୟାପକ ସ୍କ୍ରିନିଂ କରାଯିବା ସହ ନିୟମିତ ଆଇରନ୍-ଫୋଲିକ୍ ଟାବଲେଟ୍ ଦିଆଯିବା ଫଳରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉଲ୍ଲେଖନୀୟ ଉନ୍ନତି ଘଟିଥିବା ପ୍ରକାଶ କରିଥିଲେ।
‘ପ୍ରୟାସ’ ଅଧୀନରେ ତଥ୍ୟଭିତ୍ତିକ ନିରୀକ୍ଷଣ, ବିଭାଗୀୟ ସମନ୍ୱୟ, ତୃଣମୂଳସ୍ତରରେ ଦାୟିତ୍ୱବୋଧ ଏବଂ ଚିହ୍ନଟ ହେଉଥିବା ଅଭାବ ବା ସମସ୍ୟାର ସମୟସୀମା ମଧ୍ୟରେ ସମାଧାନ ମାଧ୍ୟମରେ ସାମାଜିକ କ୍ଷେତ୍ରର ସେବାକୁ ଆହୁରି ଫଳପ୍ରଦ ଓ ଲୋକାଭିମୁଖୀ କରିବା ଉପରେ ଏହି ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।
ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ସଚିବଙ୍କ ସମେତ ବିଭାଗୀୟ ନିର୍ଦ୍ଦେଶକ ଓ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ବୈଠକରେ ସମସ୍ତ ରାଜସ୍ୱ ଆୟୁକ୍ତ, ଜିଲ୍ଲାପାଳମାନେ ମଧ୍ୟ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ।


