ଭୁବନେଶ୍ବର: ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ଚର୍ଚ୍ଚିତ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ପୁରୁଷ ବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ଜାମିନ ମିଳିଛି। ହାଇକୋର୍ଟ ତାଙ୍କୁ ୫୦ ହଜାର ଟଙ୍କା ଓ ଦୁଇ ଜଣ ଜାମିନଦାରଙ୍କ ବଦଳରେ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ଗତ ଜୁନ୍ ମାସରେ କାଠଯୋଡ଼ୀ ନଦୀରୁ ଚନ୍ଦ୍ରିକାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ବିବାହର ପ୍ରଲୋଭନ ଦେଇ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ପୁଲିସ ଅଭିଯୁକ୍ତ ଭୀମସେନଙ୍କୁ ଗିରଫ କରିବା ସହ ୨ ଦିନିଆ ରିମାଣ୍ଡରେ ନେଇ ଜେରା କରିଥିଲା। ପୁଲିସ ପଚରାଉଚରା ସମୟରେ ଭୀମସେନ ନିଜର ଦୋଷ ସ୍ୱୀକାର କରିଥିଲେ।
ମୃତ୍ୟୁ ପୂର୍ବରୁ ଭୁବନେଶ୍ୱରରେ ଚନ୍ଦ୍ରିକାଙ୍କ ସହ ତାଙ୍କର ଶେଷ ସାକ୍ଷାତ ହୋଇଥିବା ଏବଂ ସେ ବିବାହ କରିବାକୁ ସିଧାସଳଖ ମନା କରିଦେଇଥିବା କଥା ତଦନ୍ତରୁ ସ୍ପଷ୍ଟ ହୋଇଥିଲା। ଏହି ମାମଲା ସାମ୍ନାକୁ ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶକ୍ରମେ ଭୀମସେନଙ୍କୁ ସରକାରୀ ଚାକିରିରୁ ବହିଷ୍କାର କରାଯାଇସାରିଛି। ଏହାସହ ଆଗାମୀ ଦିନରେ ସେ କୌଣସି ବି ସରକାରୀ ପଦବୀ ପାଇଁ ଆଉ ଯୋଗ୍ୟ ବିବେଚିତ ହେବେ ନାହିଁ ବୋଲି ସ୍ପଷ୍ଟ କରିଦିଆଯାଇଛି।


