ଭୁବନେଶ୍ୱର: ପବିତ୍ର ଜନ୍ମାଷ୍ଟମୀ ଅବସରରେ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ‘ମୁଖ୍ୟମନ୍ତ୍ରୀ କିଷାନ ସମ୍ମାନ ନିଧି’ ଯୋଜନାର ସହାୟତା ରାଶି ପ୍ରଦାନ କରାଯାଇଛି। ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) କୃଷି ଶିକ୍ଷା ସଦନରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁଇଚ୍ ଟିପି ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର (ଡିବିଟି) ମାଧ୍ୟମରେ ଏହି ଅର୍ଥ ପ୍ରଦାନର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ ରାଜ୍ୟର ୪୧ ଲକ୍ଷରୁ ଅଧିକ କ୍ଷୁଦ୍ର, ନାମମାତ୍ର, ଭୂମିହୀନ ଚାଷୀ ପରିବାର ଏବଂ ବିଶେଷ ସମ୍ବେଦନଶୀଳ ଜନଜାତି ସମୁଦାୟଙ୍କ ବ୍ୟାଙ୍କ ଖାତାକୁ ପ୍ରତ୍ୟେକ ୨ ହଜାର ଟଙ୍କା ଲେଖାଏଁ ମୋଟ୍ ୮୩୩ କୋଟିରୁ ଅଧିକ ଟଙ୍କା ସିଧାସଳଖ ପଠାଯାଇଛି।
ଏହି ଅବସରରେ ଗଞ୍ଜାମ ଜିଲାର ୨,୩୯,୨୨୦ ଚାଷୀ ପରିବାରଙ୍କୁ ମୋଟ୍ ୪୮ କୋଟି ୨୧ ଲକ୍ଷ ୧୮ ହଜାର ଟଙ୍କା ସହାୟତା ମିଳିଛି। ଏଥିରେ ୨,୩୭,୪୯୭ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାରଙ୍କୁ ୪୭ କୋଟି ୪୯ ଲକ୍ଷ ୯୪ ହଜାର ଟଙ୍କା ଏବଂ ୧,୭୨୫ ଭୂମିହୀନ ଚାଷୀ ପରିବାରଙ୍କୁ ୭୧ ଲକ୍ଷ ୨୪ ହଜାର ଟଙ୍କା ପ୍ରଦାନ କରାଯାଇଛି। ଛତ୍ରପୁରସ୍ଥିତ ଗଞ୍ଜାମ ଜିଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।


