ଭୁବନେଶ୍ୱର: ପବିତ୍ର ଜନ୍ମାଷ୍ଟମୀ ଓ କୃଷି ଭିତ୍ତିକ ଗଣପର୍ବ ‘ନୂଆଁଖାଇ’ର ଅବ୍ୟବହିତ ପୂର୍ବରୁ ରାଜ୍ୟର ଅଗଣିତ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ। ଆଜି ସ୍ଥାନୀୟ ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନ ଠାରେ ଆୟୋଜିତ ସି.ଏମ୍-କିଷାନ୍ (CM-KISAN) ଯୋଜନାର ପଞ୍ଚମ କିସ୍ତି ବାବଦକୁ ରାଜ୍ୟର ୪୧ ଲକ୍ଷ ୩୫ ହଜାର ୯୭୮ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୧୩ ହଜାର ୯୪୯ ଭୂମିହୀନ କୃଷି ପରିବାରଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ ୮୩୩ କୋଟିରୁ ଅଧିକ ଟଙ୍କାର ସହାୟତା ରାଶି ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହସ୍ତାନ୍ତର କରାଯାଇଛି। ସୂଚନା ଯୋଗ୍ୟଯେ, ୨୦୨୬-୨୭ ରବି ଫସଲ ପୂର୍ବରୁ ବିହନ, ସାର ଓ କୀଟନାଶକ କିଣିବାରେ ଏହି ଅର୍ଥ ଚାଷୀମାନଙ୍କୁ ସହାୟକ ହେବ।
ସମାବେଶକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମ ସରକାର ସଦାସର୍ବଦା ଚାଷୀ ଓ ଭୂମିହୀନ ପରିବାରଗୁଡ଼ିକର କଲ୍ୟାଣ ପାଇଁ ପ୍ରତିବଦ୍ଧ। କୃଷକଙ୍କ ସମୃଦ୍ଧି ହିଁ ଓଡ଼ିଶାର ପ୍ରଗତିର ପ୍ରକୃତ ମୂଳଦୁଆ। ‘ସି.ଏମ୍ କିଷାନ’ ଯୋଜନା ମାଧ୍ୟମରେ ଆମେ କେବଳ ଆର୍ଥିକ ସହାୟତା ପ୍ରଦାନ କରୁନାହୁଁ, ବରଂ ଚାଷୀଙ୍କୁ ଆତ୍ମନିର୍ଭରଶୀଳ କରିବା ସହ ସେମାନଙ୍କ ଶ୍ରମକୁ ଉଚିତ ସମ୍ମାନ ଦେଉଛୁ। କୃଷି ସାମଗ୍ରୀ କ୍ରୟଠାରୁ ଆରମ୍ଭ କରି ଆନୁଷଙ୍ଗିକ ଜୀବିକା ଏବଂ ଚାଷୀ ପରିବାରର ପିଲାମାନଙ୍କୁ ଗୁଣାତ୍ମକ ବୈଷୟିକ ଶିକ୍ଷା ଯୋଗାଇଦେବା ପର୍ଯ୍ୟନ୍ତ ଏହି ଯୋଜନା ପ୍ରତ୍ୟେକ ସ୍ତରରେ ସହାୟକ ହେଉଛି।
ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ ସମୃଦ୍ଧ କୃଷକ ଯୋଜନା, ଧାନ ସଂଗ୍ରହ ଓ ବନ୍ୟା କ୍ଷତିପୂରଣ ସମ୍ପର୍କରେ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉଲ୍ଲେଖ କରିଛନ୍ତି। ଚଳିତ ୨୦୨୬-୨୭ ଖରିଫ ଋତୁ ପାଇଁ ଧାନ ପଞ୍ଜିକରଣ ଅବଧିକୁ ସେପ୍ଟେମ୍ବର ୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେହିପରି ନିକଟରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ଼ ଆଦି ଜିଲ୍ଲାରେ ହୋଇଥିବା ପ୍ରବଳ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କ ପାଇଁ ୧୦୦୦ କୋଟି ଟଙ୍କାର ବିଶେଷ ସହାୟତା ପ୍ୟାକେଜ୍ ଘୋଷଣା କରାଯାଇଛି। ରାଜସ୍ୱ ଓ କୃଷି ବିଭାଗର କ୍ଷେତ୍ର କର୍ମଚାରୀଙ୍କ କ୍ଷତି ଆକଳନ ରିପୋର୍ଟ ଆଧାରରେ ପ୍ରଭାବିତ ଚାଷୀଙ୍କୁ ଆଶୁ କ୍ଷତିପୂରଣ ଯୋଗାଇ ଦିଆଯିବ।
ରାଜ୍ୟରେ କେବଳ ପାରମ୍ପରିକ ଚାଷ ନୁହେଁ, ବିବିଧିକରଣ ହିଁ ଦୁଇଗୁଣ କରିବ ଚାଷୀଙ୍କ ଆୟ ବୋଲି ପ୍ରକାଶ କରି ଆମ ରାଜ୍ୟ ର 60 ପ୍ରତିଶତରୁ ଅଧିକ ଲୋକ କୃଷି ଉପରେ ନିର୍ଭରଶୀଳ ଥିବାରୁ ଚାଷୀଙ୍କ ବାର୍ଷିକ ଆୟକୁ ଅତିକମରେ ଦୁଇଗୁଣ କରିବା ଆମ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ସେ କହିଛନ୍ତି ।
“ସମୃଦ୍ଧ କୃଷକ ଯୋଜନା” ମାଧ୍ୟମରେ କେନ୍ଦ୍ର ସରକାରଙ୍କ MSP ସହ ରାଜ୍ୟର ଇନପୁଟ୍ ସହାୟତା ମିଶାଇ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କାରେ ଧାନ କ୍ରୟ କରାଯାଉଛି ଏବଂ ବିକ୍ରିର ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ପଠାଯାଉଛି। ଗତ ୨୦୨୫-୨୬ ଖରିଫ ଋତୁରେ ୧୮.୮୪ ଲକ୍ଷ ଚାଷୀଙ୍କଠାରୁ ୭୭.୪୮ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ କରାଯାଇ ଇନପୁଟ୍ ସବସିଡି ବାବଦକୁ ରେକର୍ଡ ୫,୬୬୩.୮୪ କୋଟି ଟଙ୍କା ଏବଂ ରବି ଋତୁରେ ୩.୬୩ ଲକ୍ଷ ଚାଷୀଙ୍କୁ ୧,୪୯୪.୮୯ କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି।
ଚାଷୀ ପରିବାରର ପିଲାମାନଙ୍କୁ ଉଚ୍ଚ ବୈଷୟିକ ଶିକ୍ଷା କ୍ଷେତ୍ରରେ ସହାୟତା ପାଇଁ “କୃଷି ବିଦ୍ୟାନିଧି ଯୋଜନା” କାର୍ଯ୍ୟକାରୀ ହେଉଛି। ୨୦୨୫-୨୬ ଶିକ୍ଷା ବର୍ଷରେ ରେକର୍ଡ ସଂଖ୍ୟକ ୬୮,୯୧୦ ଜଣ ହିତାଧିକାରୀଙ୍କ ସନ୍ତାନଙ୍କୁ ୨୯୧.୬୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଛାତ୍ରବୃତ୍ତି ପ୍ରଦାନ କରାଯାଇଛି। ସରକାରୀ ସୁବିଧା ପାଇବା ପାଇଁ “ଫାର୍ମରସ ରେଜିଷ୍ଟ୍ରି” ରେ ଚାଷୀମାନେ ନିଜ ଜମିର ତଥ୍ୟ ସହ ପଞ୍ଜୀକରଣ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ଏହା ସହିତ ପ୍ରାଣୀପାଳନ, ମାଛଚାଷ, ‘ଶ୍ରୀ ଅନ୍ନ ଅଭିଯାନ’ (ମାଣ୍ଡିଆ ଚାଷ) ଏବଂ ଜାତୀୟ ଡାଲି ମିଶନ ଉପରେ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି ଏବଂ ଗତବର୍ଷ ରାଜ୍ୟରେ ୪,୮୮୬ ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟରେ ୬.୯୨ ଲକ୍ଷ କ୍ୱିଣ୍ଟାଲ ମାଣ୍ଡିଆ ସଂଗ୍ରହ କରାଯାଇଛି ବୋଲି ସେ ପ୍ରକାଶ କରିଥଲେ । ଏଥି ସହିତ ମୁଖ୍ୟମନ୍ତ୍ରୀ କୃଷି ଉଦ୍ଯୋଗ ଯୋଜନାରେ ୧ କୋଟି ଟଙ୍କା ପର୍ଯ୍ୟନ୍ତ ରିହାତି ବ୍ୟବସ୍ଥା ରହିଛି। ଅଭିଭାଷଣ ଶେଷରେ ମୁଖ୍ୟମନ୍ତ୍ରୀ ସମସ୍ତ ଚାଷୀ ଭାଇଭଉଣୀଙ୍କୁ ଆଗାମୀ ଗଣପର୍ବ ‘ନୂଆଁଖାଇ’ର ଆଗୁଆ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।
ପୂର୍ବ ସରକାରଙ୍କ ଶାସନ କାଳକୁ ସମାଲୋଚନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରାୟ ଅଢ଼େଇ ଦଶନ୍ଧି ଧରି ରାଜ୍ୟରେ କୃଷକଙ୍କ ମାସିକ ଆୟ ଅତ୍ୟନ୍ତ ନୈରାଶ୍ୟଜନକ ଥିଲା। ୨୦୨୨ ମସିହାରେ ଓଡ଼ିଶାର କୃଷି ପରିବାରର ମାସିକ ଆୟ ମାତ୍ର ୫,୧୧୨ ଟଙ୍କା ଥିଲା, ଯାହା ସାରା ଦେଶରେ ଦ୍ୱିତୀୟ ସର୍ବନିମ୍ନ ଥିଲା। କେବଳ ଝାଡ଼ଖଣ୍ଡ ଓଡ଼ିଶା ଠାରୁ ତଳେ ଥିଲା। ସେତେବେଳେ ଚାଷୀମାନେ ଅନ୍ୟ ଉପାୟ ନପାଇ କେବଳ ‘ଢୋକେ ପି, ଦଣ୍ଡେ ଜି’ ନ୍ୟାୟରେ ଚାଷବାଷ କରୁଥିଲେ। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ପରିବର୍ତ୍ତନ ଆସିଛି ବୋଲି ଦୃଢ଼ତାର ସହ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନୂତନ ସରକାର ଆସିବା ପରେ ଧାନ କିଣା ବାବଦକୁ କୁଇଣ୍ଟାଲ ପିଛା ୩,୧୦୦ ଟଙ୍କା ପ୍ରଦାନ କରାଯାଉଛି, ଯାହାଫଳରେ ଚାଷୀଙ୍କ ଆୟରେ ସିଧାସଳଖ ବୃଦ୍ଧି ଘଟିଛି। ସରକାର ଚାଷୀ ପରିବାରର ବାର୍ଷିକ ଆୟକୁ ଅତିକମରେ ଦୁଇଗୁଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଓଡ଼ିଶାର ପ୍ରାୟ ୯୨ ପ୍ରତିଶତ ଚାଷୀ ହେଉଛନ୍ତି କ୍ଷୁଦ୍ର ଓ ନାମମାତ୍ର । ତେଣୁ ଚାଷୀମାନେ ସରକାରୀ ଯୋଜନାଗୁଡ଼ିକୁ ଆପଣାଇ ନିଜର ଉପାର୍ଜନ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।
ଆଗାମୀ ଆହ୍ୱାନଗୁଡ଼ିକ ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା କୃଷି କ୍ଷେତ୍ରରେ ପ୍ରଶଂସନୀୟ ଅଗ୍ରଗତି କରିଥିଲେ ହେଁ ଜଳବାୟୁ ପରିବର୍ତ୍ତନ, ଅନିୟମିତ ପାଣିପାଗ, ଜଳାଭାବ ଏବଂ ମୃତ୍ତିକା କ୍ଷୟ ଭଳି ଗମ୍ଭୀର ସମସ୍ୟା କୃଷି ପାଇଁ ବିପଦ ସୃଷ୍ଟି କରୁଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଜୈବିକ ଚାଷ, ମାଣ୍ଡିଆ ଚାଷ ଏବଂ ପୁନରୁଦ୍ଧାରକାରୀ କୃଷିକୁ ବ୍ୟାପକ ଭାବେ ପ୍ରୋତ୍ସାହିତ କରାଯାଉଛି।
ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରି କହିଥିଲେ ଯେ, ଚଳିତ ବର୍ଷ ରାଜ୍ୟରେ ଖାଦ୍ୟଶସ୍ୟ, ଫଳ ଓ ପନିପରିବା କ୍ଷେତ୍ରରେ ରେକର୍ଡ ପରିମାଣର ଉତ୍ପାଦନ ହୋଇଛି। ଏପରିକି ଓଡ଼ିଶାରେ ଉତ୍ପାଦିତ କପା ଦେଶର ସର୍ବଶ୍ରେଷ୍ଠ ମାନ୍ୟତାପ୍ରାପ୍ତ ‘କସ୍ତୁରୀ କଟନ’ ତାଲିକାରେ ଅନ୍ତର୍ଭୁକ୍ତ ହୋଇପାରିଛି। ଏହି ସମସ୍ତ ସଫଳତା ଏବଂ ଐତିହାସିକ ଉପଲବ୍ଧି ପାଇଁ ସେ ରାଜ୍ୟର ସମସ୍ତ କୃଷକ ଭାଇଭଉଣୀମାନଙ୍କୁ ଆନ୍ତରିକ ଧନ୍ୟବାଦ ଓ ସାଧୁବାଦ ଜଣାଇଥିଲେ।
ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଚାଷୀଙ୍କୁ ସମ୍ବୋଧନ କରି କହିଥିଲେ ଯେ, ବନ୍ୟା ଅଞ୍ଚଳ ଗୁଡ଼ିକୁ ସରକାରଙ୍କ ଅଧିକାରୀଙ୍କ ସମେତ ମନ୍ତ୍ରୀ ମଣ୍ଡଳ ମଧ୍ୟ ଯାଇ ପ୍ରତ୍ୟକ୍ଷ ଭାବେ ଅନୁଧ୍ୟାନ କରିଛନ୍ତି। ବନ୍ୟା ପ୍ରପୀଡିତ ଚାଷୀଙ୍କୁ ସରକାରଙ୍କ ତରଫରୁ ସହାୟତା ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି। ସମ୍ପୃକ୍ତ ପ୍ରକ୍ରିୟାରେ ସ୍ୱଚ୍ଛତା ଅବଲମ୍ବନ କରାଯାଇଛି। କୌଣସି ବି ଯୋଗ୍ୟ ହିତାଧିକାରୀ ଏହି ପ୍ରକ୍ରିୟାରେ ସହାୟତା ପାଇବାରୁ ବଞ୍ଚିତ ହେବେ ନାହିଁ। ଯେଉଁଥିରେ ଚାଷୀ ନିଜେ ପନିପରିବା ମିନିକିଟ୍ କିଣିବେ ଏବଂ ବିଲ୍ ସରକାରଙ୍କ ପାଖରେ ଦେବେ। ଡିବିଟି ମାଧ୍ୟମରେ ସେହି ଟଙ୍କା ଆପଣଙ୍କ ଆକାଉଣ୍ଟକୁ ପହଂଚି ଯିବ। ଏଥିସହିତ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଥିଲେ ଯେ, ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ସାର ଉପଲବ୍ଧ ରହିଛି ତେଣୁ କୌଣସି ବି ଭ୍ରମାତ୍ମକ କଥାରେ ବିଶ୍ୱାସ କରନ୍ତୁ ନାହିଁ।
ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଜାରୀ ନିଜ ଅଭିଭାଷଣରେ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିଷୟରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଯିଏ କି ଚାଷୀମାନଙ୍କୁ ସବୁଠାରୁ ଅଧିକ ସବସିଡି ପ୍ରଦାନ କରୁଛି। ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ପରାମର୍ଶ ଓ ନିର୍ଦ୍ଦେଶକ୍ରମେ ସରକାର ‘ଅଦିନିଆ ବର୍ଷା’କୁ ଆନୁଷ୍ଠାନିକ ଭାବେ ବିପର୍ଯ୍ୟୟ ତାଲିକାଭୁକ୍ତ କରିଛନ୍ତି। ଯେଉଁ ସବୁ ଅଞ୍ଚଳରେ ଅଦିନିଆ ବର୍ଷା ଯୋଗୁଁ କ୍ଷୟକ୍ଷତି ହୋଇଛି, ସେହି ସ୍ଥାନର ପ୍ରଭାବିତ ଚାଷୀମାନଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯାଉଛି। ଚାଷୀମାନଙ୍କ ଆର୍ଥିକ ଅବସ୍ଥାର ପୁନରୁଦ୍ଧାର ଏବଂ ସେମାନଙ୍କୁ କୃଷି କାର୍ଯ୍ୟ ପାଇଁ ସମସ୍ତ ଅନୁକୂଳ ପରିବେଶ ଓ ଅତ୍ୟାଧୁନିକ ଜ୍ଞାନକୌଶଳ ଯୋଗାଇଦେବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ପ୍ରକାଶ କରିଛନ୍ତି।
ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର ଜଗଦ୍ଦେବ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏତଦ୍ବ୍ୟତୀତ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ଶୁଭମ୍ ସକ୍ସେନା, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ କାଲୁଙ୍ଗେ ଗୋରଖ ୱାମନ୍, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (OUAT)ର କୁଳପତି ଡକ୍ଟର ପ୍ରଭାତ କୁମାର ରାଉଳ, ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକ ଏବଂ ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ରାଜ୍ୟର ୭୫୦ରୁ ଊର୍ଦ୍ଧ୍ୱ କୃଷକ ପ୍ରତ୍ୟକ୍ଷ ଭାବେ ଅଂଶଗ୍ରହଣ କରିଥିଲେ।
ଏହି ସମାରୋହରେ ସି.ଏମ୍-କିଷାନ୍ ଯୋଜନାର ଅନେକ ସଫଳ ହିତାଧିକାରୀ ମଧ୍ୟ ନିଜର ଅନୁଭୂତି ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ । ଖୋର୍ଦ୍ଧାର ଚାଷୀ ଶୋଭା ମାଝୀ ଏବଂ ବୋଲଗଡ଼ର ଜୟକୃଷ୍ଣ ସାମନ୍ତରାୟ ସି.ଏମ୍-କିଷାନ୍ ଯୋଜନାରୁ ପାଇଥିବା ସହାୟତା ଏବଂ ନିଜର ସଫଳତା ସମ୍ପର୍କରେ ବକ୍ତବ୍ୟ ରଖିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଥିଲେ।
ଏହି କାର୍ଯ୍ୟକ୍ରମ ଟି ରାଜ୍ୟର ସମସ୍ତ ୩୦ ଗୋଟି ଜିଲ୍ଲାରେ ସୀଧାସଳଖ ଲାଇଭଷ୍ଟ୍ରିମିଂ କରାଯାଇଥିଲା। ସମସ୍ତ ଜିଲ୍ଲାରେ ମାନ୍ୟବର ମନ୍ତ୍ରୀ, ସାଂସଦ, ସ୍ଥାନୀୟ ବିଧାୟକ, ଜନପ୍ରତିନିଧି, ଜିଲ୍ଲାପାଳ ଏବଂ କୃଷି ବିଭାଗର କର୍ମଚାରୀ ଓ କୃଷକ ମାନଙ୍କ ଗୌରବମୟ ଉପସ୍ଥିତିରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ମଧ୍ୟ ମହାସମାରୋହରେ ସମ୍ପାଦିତ ହୋଇଯାଇଛି।


