ନୂଆଦିଲ୍ଲୀ: ଛୁଟି ଦିନରେ ବୁଲିବାକୁ ଯାଉଥିବା ବେଳେ ବାଟରେ ଜଗିଥିଲା କାଳ। କେରଳର ତ୍ରିଶୂର ଜିଲ୍ଲା କାଇପାମଙ୍ଗଲମ ନିକଟସ୍ଥ ୬୬ ନମ୍ବର ଜାତୀୟ ରାଜପଥରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟି ତାମିଲନାଡୁର ୮ ଜଣ ଇଞ୍ଜିନିୟରିଂ ଛାତ୍ରଙ୍କର ଦାରୁଣ ମୃତ୍ୟୁ ଘଟିଛି। ରାଜପଥ ପାର୍ଶ୍ୱରେ ଅବେଆଇନ ଭାବେ ଠିଆ ହୋଇଥିବା ଏକ ଟ୍ରକ୍କୁ ଦ୍ରୁତଗାମୀ କାର୍ଟି ପଛପଟୁ ଧକ୍କା ଦେବା ଫଳରେ ଏହି ଅଭାବନୀୟ ଘଟଣା ଘଟିଛି।
ସୂଚନା ଅନୁଯାୟୀ, ମୃତ ଛାତ୍ରମାନେ ତାମିଲନାଡୁ ଡିଣ୍ଡିଗୁଲସ୍ଥିତ ‘ପିଏସ୍ଏନ୍ଏ କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି’ର ଛାତ୍ର ଥିଲେ। ସେମାନେ କାର୍ ଯୋଗେ ଗୁରୁବାୟୁରରୁ କୋଡୁଙ୍ଗାଲୁର ଆଡ଼କୁ ଯାଉଥିଲେ। ଶୁକ୍ରବାର ବିଳମ୍ବିତ ରାତିରେ ମିନିଟ୍ ସମୟରେ ପାନାମ୍ବିକକୁନୁ ସେଣ୍ଟର ନିକଟରେ ନିର୍ମାଣାଧୀନ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ କାର୍ଟି ସମ୍ପୂର୍ଣ୍ଣ ଚୂର୍ମାର୍ ହୋଇ ଟ୍ରକ୍ ତଳେ ପଶିଯାଇଥିଲା। ଘଟଣାସ୍ଥଳରେ ହିଁ ୬ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣଙ୍କୁ ନିକଟସ୍ଥ ହସ୍ପିଟାଲ ନିଆଯାଇଥିଲେ ବି ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।
ମୃତକଙ୍କ ମଧ୍ୟରୁ ୬ ଜଣଙ୍କ ପରିଚୟ ମିଳିପାରିଛି। ସେମାନଙ୍କ ମଧ୍ୟରୁ ସୂର୍ଯ୍ୟ, ଯୁବସଞ୍ଜିଥ, ବିଶ୍ୱା ଓ ଯୋଶୁଆ ଡିଣ୍ଡିଗୁଲ ଅଞ୍ଚଳର ହୋଇଥିବା ବେଳେ ସନ୍ତୋଷ ଏବଂ ପ୍ରସନ୍ନା ମାଦୁରାଇ ଅଞ୍ଚଳର ଅଟନ୍ତି। ଅନ୍ୟ ୨ ଜଣଙ୍କ ପରିଚୟ ଅସ୍ପଷ୍ଟ ରହିଛି। ମୃତଦେହଗୁଡ଼ିକରୁ ମିଳିଥିବା କଲେଜ ଆଇଡି କାର୍ଡ ସାହାଯ୍ୟରେ ପୋଲିସ ସେମାନଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରିଛି। ତେବେ ପିଲାମାନେ କେରଳ ବୁଲିବାକୁ ଆସିଥିବା ନେଇ କିଛି ଛାତ୍ରଙ୍କ ପରିବାର ସମ୍ପୂର୍ଣ୍ଣ ଅଜ୍ଞ ଥିଲେ। ପରିବାର ଲୋକେ ତ୍ରିଶୂର ମେଡିକାଲ କଲେଜରେ ପହଞ୍ଚିବା ପରେ ମୃତଦେହ ବ୍ୟବଚ୍ଛେଦ କରାଯିବ। ସ୍ଥାନୀୟ ଜନସାଧାରଣ, ଅଗ୍ନିଶମ ବାହିନୀ ଓ ପୋଲିସ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ କରି ମୃତଦେହଗୁଡ଼ିକୁ କାର୍ ଭିତରୁ ବାହାର କରି ତ୍ରିଶୂର ମେଡିକାଲ କଲେଜ ମୋର୍ଚ୍ଚାରୀକୁ ପଠାଇଛନ୍ତି। ରାଜପଥରେ ଚାଲିଥିବା ନିର୍ମାଣ କାର୍ଯ୍ୟ ଯୋଗୁଁ ଡାଇଭର୍ସନ ବାରିକେଡ୍ ଲଗାଯାଇଥିଲା, ଯାହାକୁ ଦ୍ରୁତଗାମୀ କାର୍ ଚାଳକ ଦେଖିପାରିନଥିଲେ। ସେହି ବାରିକେଡ୍ ନିକଟରେ ମହାରାଷ୍ଟ୍ର ରେଜିଷ୍ଟ୍ରେସନ୍ ଥିବା ଟ୍ରକ୍ଟି ବେଆଇନ ଭାବେ ଠିଆ ହୋଇଥିଲା। ଘଟଣା ପରେ ଟ୍ରକ୍ ଡ୍ରାଇଭର ଫରାର ହୋଇଯାଇଛି। କାଇପାମଙ୍ଗଲମ ପୋଲିସ ଟ୍ରକ୍ ଡ୍ରାଇଭର ନାମରେ ଧାରା ୧୦୫ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।


