ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଘଟିଥିବା ମର୍ମନ୍ତୁଦ ବହୁତଳ କୋଠା ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ମାଟିତଳୁ ଆଉ ଜଣଙ୍କ ମୃତଦେହ ଉଦ୍ଧାର ହେବା ପରେ ଏହି ସଂଖ୍ୟା ବଢ଼ିଛି। ଦୁର୍ଘଟଣାରେ ୨୫ରୁ ଉର୍ଦ୍ଧ୍ୱ ଲୋକ ଆହତ ହୋଇଥିବା ବେଳେ ସେଥିମଧ୍ୟରୁ ୫ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ସେମାନଙ୍କୁ ନିକଟସ୍ଥ ଟ୍ରମା ସେଣ୍ଟର ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଭୟଙ୍କର ଦୁର୍ଘଟଣାର ଏକ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି, ଯାହା ଯେକୌଣସି ଲୋକଙ୍କ ଛାତି ଥରାଇ ଦେବ। ଭିଡିଓରେ ଦେଖାଯାଉଛି ଯେ, ଆଖି ପିଛୁଳାକେ ସମ୍ପୂର୍ଣ୍ଣ କୋଠାଟି ତାସ ପତ୍ତା ପରି ଭୁଶୁଡ଼ି ପଡ଼ୁଛି। ଚାରିଆଡ଼େ କେବଳ ଧୂଳିର ଆସ୍ତରଣ, ଭୟରେ ଏଣେତେଣେ ଦୌଡ଼ୁଥିବା ଲୋକ ଏବଂ ଆତଙ୍କିତ ଚିତ୍କାର ଶୁଣିବାକୁ ମିଳୁଥିଲା। ଘଟଣାସ୍ଥଳରେ ଉପସ୍ଥିତ ଥିବା ପ୍ରତ୍ୟକ୍ଷଦର୍ଶୀ କୃଷ୍ଣ ଭରଦ୍ୱାଜଙ୍କ କହିବାନୁଯାୟୀ, “ସେତିକି ବେଳେ ମୁଁ କୋଠାର ଠିକ୍ ତଳେ ଥିଲି। ହଠାତ୍ ଭୟଙ୍କର ଶବ୍ଦ ସହ ସବୁକିଛି ଛାରଖାର ହୋଇଗଲା। ମୁଁ ଗୋଟିଏ ପିଲାକୁ ଉଦ୍ଧାର କରି ହସ୍ପିଟାଲ ପଠାଇଲି, କିନ୍ତୁ ଅନ୍ୟ ଜଣେ ପିଲା ମୋ ଆଖି ଆଗରେ ଆଖି ବୁଜିଦେଲା। ସେ ମୋ ହାତ ଧରି ‘ଭାଇ ମୋତେ ବଞ୍ଚାଅ, ବାହାର କର’ ବୋଲି ନିବେଦନ କରୁଥିଲା। ମାତ୍ର ଭଗ୍ନାବଶେଷରୁ ବାହାର କରି ହସ୍ପିଟାଲ ନେବା ବେଳକୁ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।”
ଦିଲ୍ଲୀ ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଏହି କୋଠାଟି ପ୍ରାୟ ୪୦ ରୁ ୫୦ ବର୍ଷର ପୁରୁଣା। ବେସମେଣ୍ଟ ସହ ଏହାର ୫ଟି ମହଲା ଥିଲା, ଯାହାକୁ ଛାତ୍ରଛାତ୍ରୀ ଓ ଆବାସିକଙ୍କ ପାଇଁ ପିଜି ଭାବେ ବ୍ୟବହାର କରାଯାଉଥିଲା। ବେସମେଣ୍ଟରେ ନବୀକରଣ କାମ ଚାଲିଥିବା ସମୟରେ ହଠାତ୍ ନିମ୍ନ ଭାଗ ଦବିଯାଇ ସମ୍ପୂର୍ଣ୍ଣ କୋଠାଟି ଧସିପଡ଼ିଥିଲା।ବର୍ତ୍ତମାନ ବି ଏନଡିଆରଏଫ ଓ ସ୍ଥାନୀୟ ପୋଲିସ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଭଗ୍ନାବଶେଷ ତଳେ ଆଉ କେହି ଫସି ରହିଛନ୍ତି କି ନାହିଁ, ସେ ନେଇ ସନ୍ଧାନ ଅଭିଯାନ ଚାଲିଛି।


