ଭୁବନେଶ୍ବର: ଚାଷ ଜମିର କିସମ ପରିବର୍ତ୍ତନ କରିଦେବା ପାଇଁ ଆବେଦନକାରୀଙ୍କ ଠାରୁ ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ପିପିଲି ତହସିଲ ଅଧୀନ ସିଉଳା ରାଜସ୍ୱ ନିରୀକ୍ଷକ (ଆରଆଇ) କଲ୍ୟାଣୀ ଜେନା ଓ ସହ-ରାଜସ୍ୱ ନିରୀକ୍ଷକ (ଏଆରଆଇ) ପୂର୍ଣ୍ଣଚନ୍ଦ୍ର ବେହେରା। ଏହି ଘଟଣାରେ ଭିଜିଲାନ୍ସ ବିଭାଗ ଉଭୟଙ୍କୁ ଗିରଫ କରିବା ସହ ସେମାନଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
ମିଳିଥିବା ସୂଚନା ଅନୁଯାୟୀ, ଧଉଳି ଅଞ୍ଚଳର ରଶ୍ମି ରଞ୍ଜନ ପଣ୍ଡା ନିଜ ଚାଷ ଜମିକୁ ‘ଘରବାରି’ କିସମକୁ ପରିବର୍ତ୍ତନ କରିବା ପାଇଁ ଅନ୍ଲାଇନ୍ରେ ଆବେଦନ କରିଥିଲେ। ଆବେଦନର ଅଗ୍ରଗତି ସମ୍ପର୍କରେ ଜାଣିବା ପାଇଁ ସେ ସିଉଳା ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟରେ ଉଭୟ ଆରଆଇ ଓ ଏଆରଆଇଙ୍କୁ ସାକ୍ଷାତ କରିଥିଲେ। ତେବେ କାମ କରାଇଦେବା ପାଇଁ ଦୁଇ ଅଧିକାରୀ ତାଙ୍କୁ ୩୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ସମ୍ପର୍କରେ ଶ୍ରୀ ପଣ୍ଡା ଭିଜିଲାନ୍ସର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିଲେ।
ଅଭିଯୋଗକୁ ଆଧାର କରି ଭୁବନେଶ୍ୱର ଭିଜିଲାନ୍ସ ପକ୍ଷରୁ ଦୁର୍ନୀତି ନିବାରଣ ଆଇନ (ସଂଶୋଧିତ ୨୦୧୮)ର ଧାରା ୭ ଅଧୀନରେ ୨୦/୨୬ (ତାରିଖ ୦୫/୦୯/୨୦୨୬)ରେ ଏକ ମାମଲା ରୁଜୁ କରାଯାଇଥିଲା। ପୂର୍ବପ୍ରସ୍ତୁତି ଅନୁଯାୟୀ ଆଜି ଅଭିଯୋଗକାରୀ ଶ୍ରୀ ପଣ୍ଡା ୩୫ ହଜାର ଟଙ୍କା ଦେଉଥିବା ସମୟରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍ ଉଭୟଙ୍କୁ କାବୁ କରିଥିଲେ। ଅନ୍ୟପଟେ ଗିରଫଦାରୀ ପରେ ରାଜସ୍ୱ ନିରୀକ୍ଷକ ଶ୍ରୀମତୀ ଜେନାଙ୍କ ଆୟବହିର୍ଭୂତ ସମ୍ପତ୍ତି ଠାବ କରିବା ପାଇଁ ଭିଜିଲାନ୍ସ ପକ୍ଷରୁ ବ୍ୟାପକ ଚଢ଼ାଉ ଆରମ୍ଭ ହୋଇଛି। ତାଙ୍କର ବ୍ରହ୍ମକୁମୁଡ଼, ଅଚ୍ୟୁତପୁର, ଚନ୍ଦନପୁର ଏବଂ ଭୁବନେଶ୍ୱରର ରସୁଲଗଡ଼ସ୍ଥିତ ବାସଭବନ ସମେତ ଏକାଧିକ ସ୍ଥାନରେ ଭିଜିଲାନ୍ସର ଭିନ୍ନ ଭିନ୍ନ ଟିମ୍ ଚଢ଼ାଉ ଜାରି ରଖିଛନ୍ତି।


