ଆବୁଧାବି: ଓଡ଼ିଶାରେ ଶିଳ୍ପ ବିକାଶ ଓ ବୃହତ୍ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଆବୁଧାବିଠାରେ ଅତ୍ୟନ୍ତ ଆଡ଼ମ୍ବରପୂର୍ଣ୍ଣ ସମ୍ବର୍ଦ୍ଧନା ଦିଆଯାଇଛି। ଆବୁଧାବି ସ୍ଥିତ ପ୍ରସିଦ୍ଧ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ ସେଠାରେ ତାଙ୍କୁ ଆରବୀୟ ପାରମ୍ପରିକ ଲୋକନୃତ୍ୟ ଓ ସଂସ୍କୃତିର ପ୍ରଦର୍ଶନ ସହ ସ୍ୱାଗତ କରାଯାଇଛି। ରାଜ୍ୟରେ ନୂତନ ନିବେଶକଙ୍କୁ ଆକୃଷ୍ଟ କରିବା ଏବଂ ଶିଳ୍ପ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଆରମ୍ଭ ହୋଇଥିବା ଏହି ଆନ୍ତର୍ଜାତୀୟ ନିବେଶ ସମ୍ପର୍କ ଅଭିଯାନ ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ିବାକୁ ଯାଉଛି।
ଏହି ଗୁରୁତ୍ୱପୂର୍ଣ୍ଣ ଆନ୍ତର୍ଜାତୀୟ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ଉପସ୍ଥିତ ରହିଛନ୍ତି। ଏଥିରେ ରାଜ୍ୟ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ଶିଳ୍ପ, ଗୃହ ଥା ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ପ୍ରମୁଖ ସାମିଲ ଅଛନ୍ତି। କମ୍ପାନୀ ମୁଖ୍ୟାଳୟରେ ପହଞ୍ଚିବା ପରେ ପ୍ରତିନିଧିମଣ୍ଡଳୀକୁ ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ଅଲି ଅଲରାସଦି, ସୟଦ ବାସର ଶୁଏବ, ଚିଫ୍ ଷ୍ଟ୍ରାଟେଜିକ୍ ଆଣ୍ଡ ଗ୍ରୋଥ୍ ଅଫିସର ପିଟର ଆବ୍ରାମ ଏବଂ ଅନ୍ୟତମ ବରିଷ୍ଠ ଅଧିକାରୀ ସାମିଆ ବୁଆଜା ଆଦରର ସହ ସ୍ୱାଗତ କରିଥିଲେ। ପାରମ୍ପରିକ ଆରବୀୟ ସଂସ୍କୃତିର ଏହି ଆତିଥ୍ୟକୁ ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ପ୍ରତିନିଧିମଣ୍ଡଳୀ ଭୂୟସୀ ପ୍ରଶଂସା କରିଥିଲେ। ଏହି ଦ୍ୱିପାକ୍ଷିକ ଆଲୋଚନା କାଳରେ ଓଡ଼ିଶାର ବିଭିନ୍ନ ଉଦ୍ଯୋଗୀ କ୍ଷେତ୍ର, ବିଶେଷ କରି ଭିତ୍ତିଭୂମି, ସବୁଜ ଶକ୍ତି, ଖଣି, ଧାତୁ ଏବଂ ବାଣିଜ୍ୟିକ ସହଭାଗିତାର ପରିସର ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରାଯାଉଛି। ଉପସାଗରୀୟ ଅଞ୍ଚଳର ବୃହତ୍ ନିବେଶକମାନଙ୍କୁ ଓଡ଼ିଶାରେ ଥିବା ଶିଳ୍ପ ଅନୁକୂଳ ପରିବେଶ, ସରକାରୀ ପ୍ରୋତ୍ସାହନ ଏବଂ ବ୍ୟବସାୟିକ ସୁବିଧା ସୁଯୋଗ ବିଷୟରେ ଅବଗତ କରାଇ ନୂତନ ପୁଞ୍ଜି ଆଣିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଏହି କମ୍ପାନୀ ଓ ଏହାର ସହଯୋଗୀ ଶାଖାଗୁଡ଼ିକ ସହ ହେବାକୁ ଥିବା ଆଲୋଚନା ଆଗାମୀ ଦିନରେ ଓଡ଼ିଶାରେ ପ୍ରଚୁର ରୋଜଗାର ସୁଯୋଗ ସୃଷ୍ଟି କରିବା ସହ ରାଜ୍ୟର ଅର୍ଥନୈତିକ ପ୍ରଗତିକୁ ଆହୁରି ବେଗଗାମୀ କରିବ।


