ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ୍ କାଉନସିଲ୍ (ଆସିସି) ଦ୍ୱାରା ପ୍ରକାଶିତ ସଦ୍ୟତମ ଦିନିକିଆ ଟିମ୍ ର୍ୟାଙ୍କିଙ୍ଗ୍ରେ ଭାରତୀୟ କ୍ରିକେଟ୍ ଦଳ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛି। ୧୧୬ ରେଟିଂ ପଏଣ୍ଟ୍ ସହ ଟିମ୍ ଇଣ୍ଡିଆ ନମ୍ବର-୧ ସ୍ଥାନରେ ରହିଥିବା ବେଳେ ନ୍ୟୁଜିଲାଣ୍ଡ (୧୦୯) ଦ୍ୱିତୀୟ ଏବଂ ଅଷ୍ଟ୍ରେଲିଆ (୧୦୨) ତୃତୀୟ ସ୍ଥାନରେ ଅଛନ୍ତି।
ସୂଚନାଯୋଗ୍ୟ ଯେ, ୨୦୨୩ ସେପ୍ଟେମ୍ବରରେ ପାକିସ୍ତାନକୁ ପଛରେ ପକାଇ ଭାରତ ଦିନିକିଆ ର୍ୟାଙ୍କିଙ୍ଗ୍ର ଶୀର୍ଷକୁ ଉଠିଥିଲା। ସେବେଠାରୁ ଅର୍ଥାତ୍ ଗତ ୩୫ ମାସ ୧୮ ଦିନ ଧରି ଭାରତୀୟ ଦଳ ନିରବଚ୍ଛିନ୍ନ ଭାବେ ପ୍ରଥମ ସ୍ଥାନ ଅଧିକାର କରିଆସୁଛି। ଏହାପୂର୍ବରୁ ୨୦୧୩ ଜାନୁଆରୀରେ ଏମ୍.ଏସ୍. ଧୋନୀଙ୍କ ନେତୃତ୍ୱରେ ଇଂଲଣ୍ଡ ବିପକ୍ଷ ସିରିଜ୍ ୩-୨ରେ ଜିତି ଭାରତ ପ୍ରଥମ ଥର ପାଇଁ ନମ୍ବର-୧ ହେବାର ଗୌରବ ହାସଲ କରିଥିଲା। ଦିନିକିଆ ବ୍ୟାଟିଂ ର୍ୟାଙ୍କିଙ୍ଗ୍ର ଟପ୍-୧୦ରେ କୌଣସି ପରିବର୍ତ୍ତନ ହୋଇନାହିଁ। ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ୮୦୧ ରେଟିଂ ପଏଣ୍ଟ୍ ସହ ପ୍ରଥମ ସ୍ଥାନରେ କାଏମ ଅଛନ୍ତି। ବିରାଟ କୋହଲି (୭୬୭) ତୃତୀୟ ଏବଂ ରୋହିତ ଶର୍ମା (୭୫୮) ଚତୁର୍ଥ ସ୍ଥାନରେ ରହିଛନ୍ତି। ଅନ୍ୟପଟେ ଟି-୨୦ ବ୍ୟାଟିଂ ର୍ୟାଙ୍କିଙ୍ଗ୍ରେ ଭାରତୀୟ ୱିକେଟ୍କିପର୍ ବ୍ୟାଟର୍ ଈଶାନ୍ କିଶନ୍ ପ୍ରଥମ ସ୍ଥାନ ବଜାୟ ରଖିଛନ୍ତି। ଅଭିଷେକ ଶର୍ମା ୩ୟ ଏବଂ ତିଳକ ବର୍ମା ୭ମ ସ୍ଥାନରେ ରହିଛନ୍ତି।


