ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀଉଦ୍ୟାନରେ କ୍ୱାରେଣ୍ଟାଇନ୍ରେ ଥିବା ୫ଟି ଶିଶୁ ଓରାଙ୍ଗଓଟାନ୍ଙ୍କ ମାନସିକ ଚାପ କମାଇବା ପାଇଁ କର୍ତ୍ତୃପକ୍ଷ ନୂଆ ଉପାୟ ଆପଣାଇଛନ୍ତି। ମା’ଠାରୁ ଦୂରରେ ଥିବାରୁ ଏହି ଛୁଆମାନେ ଅତ୍ୟନ୍ତ ଚିନ୍ତାରେ ଅଛନ୍ତି। ସେମାନଙ୍କୁ ଆକ୍ଟିଭ୍ ଓ ସ୍ୱାଭାବିକ କରିବା ପାଇଁ ଏବେ ଶାନ୍ତ କ୍ଲାସିକାଲ୍ ମ୍ୟୁଜିକ୍ ଥେରାପି ଦିଆଯାଉଛି। ନନ୍ଦନକାନନ ଉପ-ନିର୍ଦ୍ଦେଶକଙ୍କ ସୂଚନା ଅନୁଯାୟୀ, ଓରାଙ୍ଗଓଟାନ୍ ଛୁଆମାନଙ୍କର ଜ୍ୱର କମିଥିଲେ ସୁଦ୍ଧା ସେମାନେ ଆଶାଜନକ ଭାବେ ଚଳପ୍ରଚଳ ବା ଆକ୍ଟିଭ୍ ହେଉନାହାନ୍ତି। ଏହି କାରଣରୁ ମ୍ୟୁଜିକ୍ ଥେରାପି ସହ ସେମାନଙ୍କୁ ଖେଳିବା ପାଇଁ ବିଭିନ୍ନ ଖେଳନା ମଧ୍ୟ ଯୋଗାଇ ଦିଆଯାଇଛି। ସେମାନଙ୍କର ଷ୍ଟ୍ରେସ କମିବା ପରେ ରକ୍ତ ନମୁନା ସଂଗ୍ରହ କରାଯାଇ ଡିଏନଏ ଟେଷ୍ଟ କରାଯିବ ବୋଲି ସୂଚନା ଦେଇଛନ୍ତି।


