ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମଠାରେ ଆରମ୍ଭ ହେବାକୁ ଯାଉଛି ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ । ଆୟୋଜିତ ଏହି ଦୁଇଦିନିଆ ସମ୍ମିଳନୀରେ ଭାରତ, ବ୍ରାଜିଲ, ଚୀନ୍, ରୁଷ, ଦକ୍ଷିଣ ଆଫ୍ରିକା, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ସାଉଦି ଆରବ ଓ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଭଳି ୧୧ଟି ପ୍ରମୁଖ ରାଷ୍ଟ୍ରର ନେତା ଏକାଠି ହେବେ। ଏହା ସହିତ ବେଲାରୁଷ, କ୍ୟୁବା, ମାଲେସିଆ ଓ ଭିଏତନାମ ସମେତ ୧୦ଟି ସହଯୋଗୀ ରାଷ୍ଟ୍ରର ପ୍ରତିନିଧି ମଧ୍ୟ ଏଥିରେ ସାମିଲ ହେବେ। ସୂଚନାଯୋଗ୍ୟ ଯେ, ବ୍ରିକ୍ସ ଦେଶଗୁଡ଼ିକ ବିଶ୍ୱ ଜନସଂଖ୍ୟାର ୪୯% ଏବଂ ମୋଟ ଜିଡିପିର ୪୦% ପ୍ରତିନିଧିତ୍ୱ କରନ୍ତି।
ଏହି ସମ୍ମିଳନୀରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ, ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସା, ଇଜିପ୍ଟ ରାଷ୍ଟ୍ରପତି ଅବଦେଲ ଫତାହ ଅଲ୍-ସିସି, ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋୱୋ ସୁବିଆନ୍ତୋ, ଇରାନ ରାଷ୍ଟ୍ରପତି ମସୁଦ ପେଜେସ୍କିଆନ, ଆବୁଧାବିର ଯୁବରାଜ ଶେଖ ଖାଲେଦ ବିନ୍ ମହମ୍ମଦ ବିନ ଜାୟଦ ଅଲ ନାହ୍ୟାନ ଏବଂ ଇଥିଓପିଆ ପ୍ରଧାନମନ୍ତ୍ରୀ ଆବି ଅହମ୍ମଦ ଆଲି ଯୋଗଦେବେ। ବ୍ରାଜିଲ ପକ୍ଷରୁ ବୈଦେଶିକ ମନ୍ତ୍ରୀ ମୌରୋ ଭିଏରା ଏବଂ ସାଉଦି ଆରବ ପକ୍ଷରୁ ବୈଦେଶିକ ମନ୍ତ୍ରୀ ପ୍ରିନ୍ସ ଫୈଜଲ ବିନ୍ ଫରହାନ ଅଲ୍ ସାଉଦ ପ୍ରତିନିଧିତ୍ୱ କରିବେ।
ଶନିବାର ‘ବହୁପାକ୍ଷିକତାର ସୁଦୃଢ଼ୀକରଣ’ ଶୀର୍ଷକ ବୈଠକରୁ ସମ୍ମିଳନୀ ଆରମ୍ଭ ହେବ। ନେତାମାନେ ‘ଭାରତ ଇନୋଭେଟ୍ସ’ ପ୍ରଦର୍ଶନୀ ବୁଲିବା ସହ ମିଳିତ ବୃକ୍ଷରୋପଣ କରିବେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆୟୋଜିତ ନୈଶଭୋଜିରେ ଯୋଗଦେବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ସମ୍ମିଳନୀ ପାଇଁ ରାଜଧାନୀ ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।


