ନୂଆଦିଲ୍ଲୀ: ଭାରତ-ରୁଷ ସମ୍ପର୍କରେ ଆଉ ଏକ ନୂଆ ଅଧ୍ୟାୟର ସଙ୍କେତ! ୧୮ତମ ବ୍ରିକ୍ସ ସମ୍ମିଳନୀ ପୂର୍ବରୁ ଶୁକ୍ରବାର ନୂଆଦିଲ୍ଲୀରେ ପହଞ୍ଚିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ତାଙ୍କ ଗସ୍ତକୁ ନେଇ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବ୍ରିକ୍ସ ମଞ୍ଚରେ ଯୋଗଦେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ପୁଟିନଙ୍କ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକ ହେବ।
ଭୋରୁ ଭୋରୁ ପାଲମ ଏୟାରଫୋର୍ସ ଷ୍ଟେସନରେ ପୁଟିନଙ୍କ ବିମାନ ଅବତରଣ କରିଥିଲା। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ସ୍ୱାଗତ କରିବାକୁ ଉପସ୍ଥିତ ନଥିବା ବେଳେ କେନ୍ଦ୍ର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ ପାଲମ ବିମାନବନ୍ଦରରେ ରୁଷ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ।
ପୁଟିନଙ୍କ ଏହି ଭାରତ ଗସ୍ତ କେବଳ ବ୍ରିକ୍ସ ସମ୍ମିଳନୀରେ ଅଂଶଗ୍ରହଣ ମଧ୍ୟରେ ସୀମିତ ନୁହେଁ। ଭାରତ-ରୁଷ ଦୀର୍ଘଦିନର ରଣନୈତିକ ସମ୍ପର୍କକୁ ନୂଆ ଦିଗ ଦେବାରେ ମୋଦୀ-ପୁଟିନ ଆଲୋଚନା ଗୁରୁତ୍ୱ ବହନ କରୁଛି।
ଆଜି ମୋଦୀ-ପୁଟିନ ମୁହାଁମୁହିଁ
ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦୀ ଓ ରୁଷ ରାଷ୍ଟ୍ରପତି ପୁଟିନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ପୂର୍ବରୁ ନିର୍ଦ୍ଧାରିତ ହୋଇଛି। କ୍ରେମଲିନ ମଧ୍ୟ ଏହି ବୈଠକକୁ ନିଶ୍ଚିତ କରିଛି। ସେପ୍ଟେମ୍ବର ୧୨ ଓ ୧୩ରେ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀ ପୂର୍ବରୁ ଦୁଇ ନେତାଙ୍କ ଏହି ଆଲୋଚନା ଉପରେ ଏବେ ସମସ୍ତଙ୍କ ନଜର।
ବୈଠକରେ ଦୁଇ ଦେଶର ରାଜନୈତିକ ସମ୍ପର୍କ ସହ ପ୍ରତିରକ୍ଷା, ଶକ୍ତି, ବାଣିଜ୍ୟ, ନିବେଶ ଓ ମହାକାଶ କ୍ଷେତ୍ରରେ ସହଯୋଗକୁ ନେଇ ଆଲୋଚନା ହୋଇପାରେ। ଦୁଇ ଦେଶ ମଧ୍ୟରେ ରହିଥିବା ‘ବିଶେଷ ଓ ସୁବିଧାପ୍ରାପ୍ତ ରଣନୈତିକ ସହଭାଗୀତା’କୁ ଆହୁରି ମଜବୁତ କରିବା ମଧ୍ୟ ଆଲୋଚନାର ଏକ ବଡ଼ ଲକ୍ଷ୍ୟ ହୋଇପାରେ।
ପୁଟିନ-ମୋଦୀ ବୈଠକରେ ରହିବ ପ୍ରତିରକ୍ଷାର ବଡ଼ ପ୍ରସଙ୍ଗ
ମୋଦୀ-ପୁଟିନ ଆଲୋଚନାରେ ପ୍ରତିରକ୍ଷା ସହଯୋଗ ଏକ ପ୍ରମୁଖ କେନ୍ଦ୍ରବିନ୍ଦୁ ହୋଇପାରେ। ଦଶନ୍ଧି ଧରି ଭାରତର ପ୍ରତିରକ୍ଷା ବ୍ୟବସ୍ଥାରେ ରୁଷର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଆସିଛି। ତେଣୁ ଆଗାମୀ ପ୍ରତିରକ୍ଷା ସହଯୋଗ ନେଇ ଦୁଇ ନେତାଙ୍କ ଆଲୋଚନା ଉପରେ ବିଶେଷ ନଜର ରହିଛି।
ବ୍ରିକ୍ସ ସମ୍ମିଳନୀ ପୂର୍ବରୁ ଆସିଥିବା ରିପୋର୍ଟ ଅନୁଯାୟୀ, ରୁଷର S-400 ବାୟୁ ପ୍ରତିରକ୍ଷା ପ୍ରଣାଳୀର ଆଗାମୀ ବିତରଣ ଏବଂ ବ୍ରହ୍ମୋସ କ୍ଷେପଣାସ୍ତ୍ର ସମ୍ପର୍କିତ ସହଯୋଗ ଆଲୋଚନାରେ ସ୍ଥାନ ପାଇପାରେ। ଏହାଛଡ଼ା ପ୍ରତିରକ୍ଷା ଉତ୍ପାଦନ ଓ ପ୍ରଯୁକ୍ତି ସହଯୋଗ ନେଇ ମଧ୍ୟ ଦୁଇ ପକ୍ଷ ଆଲୋଚନା କରିପାରନ୍ତି।
ଶକ୍ତି ଓ ବାଣିଜ୍ୟ ଉପରେ ବି ଫୋକସ୍
ପ୍ରତିରକ୍ଷା ସହିତ ଶକ୍ତି କ୍ଷେତ୍ର ମଧ୍ୟ ଭାରତ-ରୁଷ ସମ୍ପର୍କର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ। ତେଣୁ ତୈଳ, ଗ୍ୟାସ୍ ଓ ଅନ୍ୟାନ୍ୟ ଶକ୍ତି ସହଯୋଗକୁ ଆହୁରି ବଢ଼ାଇବା ନେଇ ଦୁଇ ନେତାଙ୍କ ମଧ୍ୟରେ ମତବିନିମୟ ହୋଇପାରେ।
ଏହା ସହ ଦ୍ୱିପାକ୍ଷିକ ବାଣିଜ୍ୟ, ନିବେଶ ଓ ଆର୍ଥିକ ସହଯୋଗକୁ ନୂଆ ଗତି ଦେବା ନେଇ ମଧ୍ୟ ଆଲୋଚନା ହୋଇପାରେ। ବଦଳୁଥିବା ବିଶ୍ୱ ଭୂ-ରାଜନୈତିକ ସମୀକରଣ ମଧ୍ୟରେ ଭାରତ ଓ ରୁଷ ନିଜ ଆର୍ଥିକ ସମ୍ପର୍କକୁ ଆହୁରି ଦୃଢ଼ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି।
ମହାକାଶରୁ ଲୋକ-ଲୋକ ସମ୍ପର୍କ, ବିସ୍ତୃତ ହେବ ସହଯୋଗ
ପ୍ରତିରକ୍ଷା ଓ ଶକ୍ତି ବାହାରେ ମହାକାଶ, ବାଣିଜ୍ୟ ଏବଂ ଲୋକ-ଲୋକ ସମ୍ପର୍କ ଭଳି କ୍ଷେତ୍ରରେ ମଧ୍ୟ ସହଯୋଗକୁ ନେଇ ଦୁଇ ନେତା ଆଲୋଚନା କରିପାରନ୍ତି। ପୂର୍ବରୁ ମଧ୍ୟ ଭାରତ ଓ ରୁଷ ଏହି କ୍ଷେତ୍ରଗୁଡ଼ିକରେ ସହଯୋଗ ବୃଦ୍ଧି ପାଇଁ ଆଲୋଚନା କରିଛନ୍ତି।
ଏଭଳି ସ୍ଥିତିରେ ପୁଟିନଙ୍କ ଭାରତ ଗସ୍ତ ଏବଂ ମୋଦୀଙ୍କ ସହ ହେବାକୁ ଥିବା ବୈଠକ ଉପରେ ଆନ୍ତର୍ଜାତିକ ମହଲର ମଧ୍ୟ ନଜର ରହିଛି। ବ୍ରିକ୍ସର ବଡ଼ ମଞ୍ଚରେ ଦୁଇ ନେତାଙ୍କ ଆଲୋଚନା ଭାରତ-ରୁଷ ସମ୍ପର୍କର ଆଗାମୀ ରୋଡମ୍ୟାପ୍ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ହେବ, ତାହା ଉପରେ ଏବେ ନଜର।


