ଡୁଙ୍ଗୁରିପାଲି: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଅଞ୍ଚଳରେ ଗୁଳିକାଣ୍ଡ। ଚୀନାଜୁରୀ କେନାଲ ରାସ୍ତାରେ ଗତକାଲି ବିଳମ୍ବିତ ରାତିରେ ଜଣେ ସମିତି ସଭ୍ୟଙ୍କୁ ଗୁଳିକରି ହତ୍ୟା କରାଯାଇଛି। ମୃତକ ହେଲେ ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଆଗଲପୁର ପଞ୍ଚାୟତର ସମିତି ସଭ୍ୟ ଅଚ୍ୟୁତାନନ୍ଦ ନାୟକ। ଏହି ଘଟଣା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
ସୂଚନା ଅନୁସାରେ, ଅଚ୍ୟୁତାନନ୍ଦଙ୍କୁ ରାତିରେ କେହି ଅଜଣା ବ୍ୟକ୍ତି ଫୋନ୍ କରି ଚୀନାଜୁରୀ କେନାଲ ରାସ୍ତାକୁ ଡାକିଥିଲେ। ଫୋନ୍ ପାଇବା ପରେ ସେ ନିଜ କାର୍ରେ ଉକ୍ତ ସ୍ଥାନକୁ ଯାଇଥିଲେ। ସେଠାରେ ପହଞ୍ଚିବା ମାତ୍ରେ ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳି ଚଳାଇ ଫେରାର ହୋଇଯାଇଥିବା ଜଣାପଡ଼ିଛି।
ଗୁଳିଟି ଅଚ୍ୟୁତାନନ୍ଦଙ୍କ ବେକରେ ବାଜିଥିବା ସୂଚନା ମିଳିଛି। ଗୁଳିମାଡ଼ ପରେ କାର୍ ସିଟ୍ରେ ଗୁଳିର ଖୋକା ପଡ଼ିଥିବା ଜଣାପଡ଼ିଛି। ଘଟଣାର ସୂଚନା ପାଇ ବରପାଲି ପୁଲିସ ପ୍ରଥମେ ଘଟଣାସ୍ଥଳରେ ପହଞ୍ଚିଥିଲା।
ତେବେ ଘଟଣାସ୍ଥଳଟି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅଞ୍ଚଳରେ ଥିବାରୁ ପରେ ଡୁଙ୍ଗୁରିପାଲି ପୁଲିସ ମାମଲାର ତଦନ୍ତ ହାତକୁ ନେଇଛି। ଘଟଣାର ପ୍ରକୃତ କାରଣ ଏବଂ ଗୁଳିମାଡ଼ ପଛରେ କିଏ ରହିଛି, ସେନେଇ ପୁଲିସ ଛାନ୍ଭିନ୍ ଆରମ୍ଭ କରିଛି।
ଏହି ଘଟଣା ପଛରେ ପୂର୍ବ ଶତ୍ରୁତା, ବ୍ୟକ୍ତିଗତ ବିବାଦ ନା ଅନ୍ୟ କୌଣସି କାରଣ ରହିଛି, ତାହା ସ୍ପଷ୍ଟ ହୋଇନାହିଁ। ଦୁର୍ବୃତ୍ତଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।


