ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ବିଚିତ୍ରପୁର ଜଙ୍ଗଲରୁ ୫ଟି ବିରଳ ଓରାଙ୍ଗଉଟାନ୍ ଉଦ୍ଧାର ଘଟଣା ଏବେ ବନ୍ୟଜନ୍ତୁ ଚାଲାଣର ଏକ ବଡ଼ ଗୁପ୍ତ କାରବାର ସାମ୍ନାକୁ ଆଣିଛି। ପ୍ରମାଣ ନଷ୍ଟ ହେବା ଆଶଙ୍କାରେ ବନ ବିଭାଗ ପକ୍ଷରୁ ସମ୍ପୂର୍ଣ୍ଣ ଉଦ୍ଧାରସ୍ଥଳରେ ବାଡ଼ ପକାଯାଇ ତାହାକୁ ନିଷିଦ୍ଧ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ସେଠାରେ ବନ ନିରୀକ୍ଷଣ କ୍ୟାମ୍ପ ସ୍ଥାପନ କରାଯାଇ କର୍ମଚାରୀମାନେ ଅହୋରାତ୍ର ଜଗି ରହିଛନ୍ତି। ତେବେ ଘଟଣାର ବହୁ ସମୟ ପରେ ଓ ଲୋକଙ୍କ ଆସିବା ଯିବା ଯୋଗୁଁ ପ୍ରମାଣ ନଷ୍ଟ ହେବା ପରେ ବାଡ଼ ଦିଆଯାଇଛି।
ଏହି ଆନ୍ତର୍ଜାତୀୟ ସ୍ତରର ଅପରାଧିକ ଲିଙ୍କର ତଦନ୍ତ ପାଇଁ ବନ୍ୟଜନ୍ତୁ ଅପରାଧ ନିୟନ୍ତ୍ରଣ ବ୍ୟୁରୋ (ଡବ୍ଲୁସିସିବି) ଟିମ୍ ଓଡ଼ିଶା ଗସ୍ତ କରୁଛନ୍ତି। ଅପରପକ୍ଷରେ ପଶ୍ଚିମବଙ୍ଗର ଏସଟିଏଫ୍ ଟିମ୍ ମଧ୍ୟ ଏହି ତଦନ୍ତରେ ସାମିଲ ହୋଇଛି। ଓରାଙ୍ଗଉଟାନ୍ ଉଦ୍ଧାର ହେବା ପୂର୍ବ ରାତିରେ ସେହି ଅଞ୍ଚଳରେ ଏକ କଳା ରଙ୍ଗର ବିଳାସପୂର୍ଣ୍ଣ ଗାଡ଼ି ବୁଲୁଥିବାର ସୂଚନା ମିଳିବା ପରେ ସେ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି। ଏଥିପାଇଁ ବିଭିନ୍ନ ସ୍ଥାନରୁ ପ୍ରାୟ ୧୫୦ଟି ସିସିଟିଭି ଫୁଟେଜ୍ ଜବତ କରାଯାଇ ଯାଞ୍ଚ ଚାଲିଛି। ଉଦ୍ଧାରସ୍ଥଳରୁ ଗୋଟିଏ ବ୍ୟବହୃତ ମାସ୍କ ମଧ୍ୟ ମିଳିଛି, ଯାହା ସନ୍ଦିଗ୍ଧ ତସ୍କରଙ୍କର ବୋଲି ସନ୍ଦେହ କରାଯାଉଛି। ଜଳପଥ ଦେଶାନ୍ତର ଚୋରାଚାଲାଣର ମୁଖ୍ୟ ମାଧ୍ୟମ ହୋଇଥିବା ଅନୁମାନ କରାଯାଉଛି।


